ଆଚାର୍ଯ୍ୟ ହରିହର କର୍କଟ ଗବେଷଣା ପ୍ରତିଷ୍ଠାନରେ ପିଇଟି-ସିଟି ସ୍କାନ ବ୍ୟବସ୍ଥାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
କଟକ/ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଆଚାର୍ଯ୍ୟ ହରିହର କର୍କଟ ରୋଗ ଗବେଷଣା ପ୍ରତିଷ୍ଠାନରେ ପିଇଟି-ସିଟି ସ୍କାନ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ଏହାସହ ଲିନାକ୍ ମେସିନ୍ କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି । ସେହିପରି ହସ୍ପିଟାଲରେ ନୂତନ ଆଇପିଡି ଓ ଆଇସିୟୁ ମଧ୍ୟ ଲୋକାର୍ପିତ ହୋଇଛି । ଆଇପିଡିରେ ବେଡ୍ ସଂଖ୍ୟା ୨୮୧ରୁ ୫୦୭କୁ ବୃଦ୍ଧି ପାଇଥିବା ବେଳେ ଆଉ ୨୦ ଆଇସିୟୁ ବେଡ୍ ବୃଦ୍ଧି କରାଯାଇଛି ।
କର୍କଟ ରୋଗ ଚିକିତ୍ସା ପାଇଁ ଆଚାର୍ଯ୍ୟ ହରିହର ସ୍ନାତକୋତର କର୍କଟ ରୋଗ ପ୍ରତିଷ୍ଠାନ ପୂର୍ବ ଭାରତର ସର୍ବବୃହତ୍ ସରକାରୀ ଚିକିତ୍ସାଳୟ । ଏଠାରେ ଦୁଇଟି ଲିନାକ୍ ମେସିନ୍ ସ୍ଥାପନ ହେବା ପରେ ବିକିରଣ ଚିକିତ୍ସା କ୍ଷେତ୍ରରେ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି । ଜି+୬ ମହଲା ବିଶିଷ୍ଟ ‘ଲିନାକ୍ କୋଠା’ର ତଳ ମହଲାରେ ଅତ୍ୟାଧୁନିକ ବିକିରଣ ପଦ୍ଧତିରେ ଲିନିୟର ଆକ୍ସିଲିରେଟର ଚିକିତ୍ସା(ଲିନାକ୍) ସେବା ମିଳୁଛି । ପ୍ରାୟ ୩୫ କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ସମ୍ପୂର୍ଣ୍ଣ ଲିନାକ୍ କୋଠା ନିର୍ମାଣ ହୋଇଛି । ତେବେ ୨୦୧୯ରେ କୋଠାର ଉପର ମହଲା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ୨୦୨୦ ମାର୍ଚ୍ଚ ଶେଷ ସୁଦ୍ଧା କୋଠା ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ପୂର୍ତ ବିଭାଗ ଆକଳନ କରିଥିଲା । ମାତ୍ର କୋଭିଡ୍ କଟକଣା ଯୋଗୁଁ ନିର୍ମାଣ କାର୍ଯ୍ୟରେ ବାଧାପ୍ରାପ୍ତ ଘଟିଥିଲା । ଏବେ କାର୍ଯ୍ୟ ଶେଷ ହୋଇଥିବାବେଳେ ୭ଟି ଯାକ ମହଲା କାର୍ଯ୍ୟକ୍ଷମ ହୋଇଛି ।
ସମ୍ପ୍ରତି ଆଚାର୍ଯ୍ୟ ହରିହର ଆଂଚଳିକ କର୍କଟ ରୋଗ ପ୍ରତିଷ୍ଠାନରେ ୨୮୩ ସଂଖ୍ୟକ ଶଯ୍ୟା ରହିଛି । କୋଠା ସମ୍ପୂର୍ଣ୍ଣ ହୋଇଥିବାବେଳେ ଏହାର ଉପର ମହଲାଗୁଡ଼ିରେ ଆଇପିଡି ଏବଂ ଆଇସିୟୁ ବ୍ୟବସ୍ଥା ହୋଇଛି । ଏଥି ସହିତ ପ୍ରତିଷ୍ଠାନରେ ଶଯ୍ୟା ସଂଖ୍ୟା ୫୦୭ରେ ପହଂଚିଛି । ଲିନାକ୍ କୋଠାରେ ଥିବା ଆଇପିଡି ଏବଂ ଆଇସିୟୁକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି । ସେହିପରି ଲିନାକ୍ କୋଠାରେ ରହିଛି ପେଟ୍ ସିଟି ସ୍କାନ ମେସିନ୍ । ସେପ୍େଟମ୍ବର ମାସରୁ ରୋଗୀଙ୍କର ପରୀକ୍ଷାମୂଳକ ଭାବେ ପେଟ୍ ସିଟି ସ୍କାନ କରାଯାଉଛି । ହେଲେ ଏହି ସେବାକୁ ଆନୁଷ୍ଠାନିକ ଭାବେ ଗୁରୁବାର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି ।
ସୂଚନାଯୋଗ୍ୟ, ପେଟ୍ ସିଟି ସ୍କାନ ଅର୍ଥାତ୍ ପୋଜିଟ୍ରନ୍ ଏମିସନ ଟୋମୋଗ୍ରାଫି ଆଣ୍ଡ କମ୍ପ୍ୟୁଟେଡ୍ ଟୋମୋଗ୍ରାଫି ସ୍କାନ୍ । ପୋଜିଟ୍ରନ୍ ହେଉଛି ଇଲେକ୍ଟ୍ରନ ସହ ସମାନ ବସ୍ତୁତ୍ୱ ବିଶିଷ୍ଟ ବିପରୀତ(ଯୁତ୍କାତ୍ମକ) ବୈଦ୍ୟୁତିକ ପ୍ରଭାବ ଥିବା ମୂଳକଣିକା । ପୋଜିଟ୍ରନକୁ ନିଃସରଣ କରାଯାଇ ରୋଗ ଚିହ୍ନଟ ହେବା ପ୍ରକ୍ରିୟା ହେଉଛି ପେଟ୍ ସିଟି ସ୍କାନ । ଏହା ଦ୍ୱାରା କ୍ୟାନ୍ସର ଚିହ୍ନଟ କରାଯିବା ସହିତ ରୋଗର ସ୍ତର ଜାଣିହେବ । ବାୟୋପ୍ସି କରାଯିବା ପାଇଁ ଶରୀରର ପ୍ରକୃଷ୍ଟ ସ୍ଥାନ ମଧ୍ୟ ଚିହ୍ନଟ କରାଯାଇ ପାରିବ । କ୍ୟାନ୍ସର ରୋଗର ଚିକିତ୍ସା ସଠିକ୍ ଭାବେ ଚାଲିଛି ନା ନାହିଁ ତାହା ମଧ୍ୟ ନିରୂପଣ କରିବ ଏହି ପରୀକ୍ଷା । ଚିକିତ୍ସା ଶେଷ ହେବା ପରେ ଶରୀରରେ ପୁଣି ଥରେ କ୍ୟାନ୍ସର ରୋଗ ବ୍ୟାପୁଛି କି ନାହିଁ ତାହା ଜାଣିବା ପାଇଁ ପେଟ୍ ସିଟି ସ୍କାନ ପରୀକ୍ଷା ମଧ୍ୟ ସହାୟକ ହେବ । ପୂର୍ବରୁ ପେଟ୍ ସିଟି ସ୍କାନ ପରୀକ୍ଷା ପାଇଁ ରୋଗୀମାନେ ଘରୋଇ କେନ୍ଦ୍ରଗୁଡ଼ିକ ଉପରେ ନିର୍ଭର କରୁଥିଲେ । ପରୀକ୍ଷା ପାଇଁ ୨୦ରୁ ୨୫ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା । ରୋଗୀଙ୍କୁ ଭୁବନେଶ୍ୱର ମଧ୍ୟ ଯିବାକୁ ପଡୁଥିଲା । ହେଲେ ଏହି ସମସ୍ୟା ଦୂର ହୋଇଛି । ରାଜ୍ୟ ସରକାରଙ୍କ ସହଯୋଗରେ ଏଏଚ୍ପିଜିଆଇସିରେ ପେଟ୍ ସିଟି ସ୍କାନ ମେସିନ୍ ସଂସ୍ଥାପିତ ହୋଇଛି । ପବ୍ଲିକ୍-ପ୍ରାଇଭେଟ ପାର୍ଟନର୍ସିପ (ପିପିପି) ମୋଡ୍ରେ ଏହି ବ୍ୟବସ୍ଥା କରାଯାଇଛି । ସିମେନ୍ସ ହେଲ୍ଥ କେୟାର ଜରିଆରେ ଜାପାନ ଟେକ୍ନୋଲୋଜିର ଉନ୍ନତଧରଣର ମେସିନ୍ ଅଣାଯାଇଛି ।
