ଚୋରା ବେଆଇନ କ୍ରସର ୟୁନିଟକୁ ସିଲ କଲା ନୀଳଗିରି ପ୍ରଶାସନ
ନୀଳଗିରି : ନୀଳଗିରି ଅଞ୍ଚଳରେ ବିଭିନ୍ନ ଚୋରା ପଥର ଖାଦାନ ଚାଲୁଥିବାବେଳେ ପଥର ମାଫିଆମାନେ ଉକ୍ତ ସବୁ ଚୋରା ପଥର ଗୁଡ଼ିକୁ ତହସିଲଦାରଙ୍କ ଭୟରେ ଅନ୍ୟାନ୍ୟ କ୍ରସର ୟୁନିଟକୁ ସପ୍ଲାଏ କରିପାରୁ ନ ଥିବା ବେଳେ ଜଙ୍ଗଲ ମଧ୍ୟରେ ଥିବା ଏକ କ୍ରସର ୟୁନିଟକୁ ଚୋରାରେ ଦେଇ ଆସୁଥିବା ବେଳେ ବେଆଇନ କ୍ରସର ୟୁନିଟର ମାଲିକ କମ ଦରରେ ପଥର କ୍ରୟ କରି ଲକ୍ଷ ଲକ୍ଷ ଟଙ୍କା ଲାଭବାନ ହୋଇଆସୁଥିଲା । ସୂଚନା ଅନୁସାରେ ନୀଳଗିରି ତହସିଲ ଅଧିନସ୍ଥ ପୋଡ଼ାଶୁଳ ବାଦାମବାଡ଼ିରେ ଥିବା ଆପେକ୍ସ କ୍ରସର ୟୁନିଟରେ ବର୍ଷ ବର୍ଷ ଧରି ବେଆଇନ ଭାବେ ଚଳାଇ ଆସୁଥିବା ବେଳେ ସଠିକ୍ କାଗଜପତ୍ର ନ ଥିବାରୁ ନୀଳଗିରି ତହସିଲଦାର ଅଶେଷ କୁମାର ନାୟକ ୧ ବର୍ଷ ପୂର୍ବରୁ ଉକ୍ତ କ୍ରସର ୟୁନିଟକୁ ସିଲ କରିବା ସହ ନାଲିଫିତା ପୋତି ଦେଇଥିଲେ । ମାତ୍ର କ୍ରସର ୟୁନିଟର ମାଲିକ ଏ ନେଇ ନୀଳଗିରିର ତତ୍କାଳିନ ଉପଜିଲ୍ଲାପାଳଙ୍କ କୋର୍ଟରେ ଏକ ପିଟିସନ ଦାଏର କରିଥିଲେ । ପରେ ଉପଜିଲ୍ଲାପାଳ କ୍ରସର ୟୁନିଟ ଉପରୁ ସିଲ୍ ଖୋଲି ଦେଇଥିଲେ । ୟୁନିଟର ମାଲିକ ପୁର୍ନବାର କ୍ରସର ଚାଲୁ କରିବା ସହ କ୍ରସରକୁ ସବୁ ଚୋରା ପଥରକୁ କ୍ରୟ କରି ଚଢ଼ା ଦରରେ ଚିପସ ବିକ୍ରି କରି ଆସୁଥିଲା । ଏ ନେଇ ତହସିଲଦାର, ପଲ୍ୟୁସନ ବିଭାଗ, ନୀଳଗିରି ପୋଲିସ, ବିଦ୍ୟୁତ୍ ବିଭାଗ , ତହସିଲ କର୍ମଚାରୀ, ସଜନାଗଡ଼ ଆର.ଆଇ. , ଅଯୋଧ୍ୟା ଆର.ଆଇ. ପ୍ରମୁଖ କ୍ରସର ୟୁନିଟ ନିକଟରେ ପହଂଚିଥିଲେ । ମାତ୍ର କ୍ରସରର ମୁଖ୍ୟ ଫାଟକରେ ମାଲିକ ଜାଣିଶୁଣି ତାଲା ପକାଇ ଦେଇଥିଲେ । ମାଲିକ ସହିତ ଯୋଗାଯୋଗ ହୋଇ ନ ପାରିବାରୁ ଶେଷରେ ଅଧିକାରୀମାନେ ଗେଟ୍ ତାଲା ଭାଙ୍ଗି କ୍ରସର ୟୁନିଟରେ ବିଭିନ୍ନ ସ୍ଥାନରେ ନାଲି ଫିତା ବାନ୍ଧିଛନ୍ତି । କ୍ରସର ୟୁନିଟ୍କୁ ବିଦ୍ୟୁତ୍ ସଂଯୋଗ ବିଦ୍ୟୁତ୍ ବିଭାଗ ଦ୍ୱାରା ବିଛିନ୍ନ କରାଯାଇଛି । ଏପରିକି କ୍ରସର ୟୁନିଟର ସମସ୍ତ ଯନ୍ତ୍ରାଂଶରେ ନାଲିଫିତା ବାନ୍ଧି ସିଲ କରିଦିଆଯିବା ର ଦେଖିବାକୁ ମିିଳିଛି ।
