ଶିଶୁକନ୍ୟାଙ୍କ ବିକାଶ ଦିଗରେ ଯତ୍ନବାନ ହେବାକୁ ଜିଲ୍ଲାପାଳଙ୍କ ଆହ୍ୱାନ
ଝାରସୁଗୁଡ଼ା : ଶିଶୁମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଗୁଣ ଚିହ୍ନିବା ସହ ସେମାନଙ୍କ ବିକାଶ ଦିଗରେ ଯତ୍ନବାନ ହେବାକୁ ଜିଲ୍ଲାପାଳ ସରୋଜ କୁମାର ସାମଲ ଆହ୍ୱାନ ଦେଇଛନ୍ତି । ଆନ୍ତର୍ଜାତୀୟ ଶିଶୁକନ୍ୟା ଦିବସ ପାଳନ ତଥା ଶିଶୁ ପାଇଁ ଧାର୍ଯ୍ୟ ଦିନଟିଏ କାର୍ଯ୍ୟକ୍ରମ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜିଲ୍ଲାପାଳ ଶ୍ରୀ ସାମଲ, ଅଧୁନା ନାରୀମାନେ ଅନେକ ସଫଳତାର ଅଧିକାରିଣୀ , ପୁରାଣ ଓ ଇତିହାସରେ ନାରୀମାନଙ୍କ ଗୌରଵଜ୍ଵଳ ଗାଥା ବିଦ୍ୟମାନ । ଦେଶ, ଜାତି ଓ ସମାଜର ପ୍ରଗତିରେ ନାରୀମାନଙ୍କର ଭୂମିକା ଅନସ୍ବୀକାର୍ଯ୍ୟ । ପୁଅ ଝିଅ ମଧ୍ୟରେ ଫରକ ନ ରଖିବା ଓ ଜିଲ୍ଳାକୁ ବାଲ୍ୟ ବିବାହମୁକ୍ତ କରିବା ଦିଗରେ ନିଜେ ସଚେତନ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରାଇବା ଦିଗରେ ଜିଲ୍ଲାପାଳ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଏହାକୁ ଏକ ସ୍ୱତନ୍ତ୍ର ଅଭିଯାନ ଭାବରେ ଗ୍ରହଣ କରି ନଭେମ୍ବର ମାସ ବ୍ୟାପୀ ଏହାକୁ ଚାଲୁ ରଖିବା ପାଇଁ ଜିଲ୍ଲାପାଳ ଆହ୍ୱାନ ଦେଇଥିଲେ। ଅଭିଯାନକୁ ‘ବିଜୟିନୀ’ ନାମରେ ଜିଲ୍ଲାପାଳ ଅଭିହିତ କରିଥିଲେ । କାର୍ଯ୍ୟକ୍ରମରେ କିଶୋର ଯତ୍ନ ଆଇନ – ୨୦୨୨, ପୋଷ୍ୟ ସନ୍ତାନ ଗ୍ରହଣ ବ୍ୟବସ୍ଥା ନିୟମାବଳୀ – ୨୦୨୨, ଆଶୀର୍ବାଦ ଯୋଜନା, ମିସନ ବାତ୍ସଲ୍ୟ ଓ ଅଣ ଆନୁଷ୍ଠାନିକ ଯତ୍ନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ମେଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷାରେ ସର୍ବୋଚ୍ଚ ନମ୍ବରଧାରୀ ଛାତ୍ରୀମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ଲଖନପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ହୁତେଶ୍ୱରୀ ତିହିରିଆ , କୋଲାବିରା ପଞ୍ଚାୟତ ସମିତି ଅଧ୍ୟକ୍ଷ ଧନଞ୍ଜୟ ପଟେଲ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ) ପ୍ରବୀର କୁମାର ନାୟକ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ପ୍ରଣବ କୁମାର ନାୟକ , ଡାକ୍ତର ସୁପ୍ରଭା ବାରିକ , ଡି ଏସ୍ ପି ବାଳକୃଷ୍ଣ କଅଁର, ଜିଲ୍ଲା ଶିକ୍ଷା ଅଧିକାରୀ ପୁଷ୍ପା ମିଞ୍ଜ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ମେହେରୁନ୍ନିସା ବେଗମ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଅମ୍ବରିଷ ରଥ, ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷା ଆନନ୍ଦିନୀ ପାଢ଼ୀ, କିଶୋର ନ୍ୟାୟ ବୋର୍ଡ ସଦସ୍ୟ ଜନ୍ମେଜୟ ଦାସ ଓ ସଦସ୍ୟା କବିତା ନାୟକ,ଜିଲ୍ଲା ସଂଯୋଜିକା ( ବାଲ୍ୟ ବିବାହ) ରଞ୍ଜିତା ଦାଶଙ୍କ ସମେତ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ବି ଇ ଓ , ଏ ବି ଇ ଓ, ବି ଆର ସି ସି ଓ ଶିଶୁ ଯତ୍ନ ଅନୁଷ୍ଠାନର କର୍ମକର୍ତ୍ତା ଯୋଗ ଦେଇଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲା ବେଳେ ଜୟନ୍ତ ବାଦୀ ଧନ୍ୟବାଦ ଅର୍ପଣ କରିଥିଲେ।
