ପୁରୀରେ ହବିଷ୍ୟାଳିଙ୍କ ପାଇଁ ବୃନ୍ଦାବତୀ ନିବାସ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
ହବିଷ୍ୟାଳି ଯୋଜନାର ମା’ଙ୍କୁ ଗୋଟିଏ ଗୋଟିଏ ଶାଲ୍ ପ୍ରଦାନ କରିବାକୁ ଘୋଷଣା
ଭୁବନେଶ୍ୱର : ପୁରୀରେ ହବିଷ୍ୟାଳି ମା ମାନଙ୍କର କାର୍ତିକ ବ୍ରତ ଆରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସୋମବାର ହବିଷ୍ୟାଳି ମା ମାନଙ୍କ ପାଇଁ ‘ବୃନ୍ଦାବତୀ ନିବାସ’ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସବୁ ହବିଷ୍ୟାଳି ମା ମାନଙ୍କୁ ସ୍ୱାଗତ କରି ସମସ୍ତଙ୍କୁ ଗୋଟିଏ ଗୋଟିଏ ଶାଲ୍ ଉପହାର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ମା ମାନେ ଶାନ୍ତି ଓ ଆନନ୍ଦରେ କାର୍ତିକ ବ୍ରତ ପାଳନ କରିବେ ବୋଲି ଆଶା ପ୍ରକାଶ କରି ମୁଖ୍ୟମନ୍ତ୍ରୀ ସେମାନଙ୍କ ଓ ସେମାନଙ୍କ ପରିବାର ତଥା ସାରା ଓଡିଶାବାସୀଙ୍କ ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ କାମନା କରିଥିଲେ ।
ଏହି ଅବସରରେ ମନ୍ତ୍ରୀ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ, କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ ପାତ୍ର ଓ ସାଂସଦ ପିନାକୀ ମିଶ୍ର ପ୍ରମୁଖ ସେମାନଙ୍କର ଅଭିଭାଷଣ ରଖି କହିଥିଲେ ଯେ ମୁଖ୍ୟମନ୍ତ୍ରୀ ସବୁବେଳେ ଓଡିଶାବାସୀଙ୍କ କଲ୍ୟାଣ ପାଇଁ କାମ କରିଆସିଛନ୍ତି । ଆଜି ମା ମାନଙ୍କ ମନ କଥା ଜାଣି, ସେ ପୁରୀରେ କାର୍ତିକ ବ୍ରତ ପାଳନ ପାଇଁ ବୃନ୍ଦାବତୀ ନିବାସ ଉଦ୍ଘାଟନ କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପୁରୀ ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ପରିଚାଳନା କମିଟିର ସଦସ୍ୟଗଣ ଓ ଅନ୍ୟ ବରିଷ୍ଠ ବ୍ୟକ୍ତି ମାନେ ଯୋଗ ଦେଇଥିଲେ ।ପୁରୀ ଜିଲ୍ଲାପାଳ ସ୍ୱାଗତ ଭାଷଣ ଦେଇଥିଲେ ଓ ଅତିରିକ୍ତି ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ ।
