ମହିଳା ଏସିଆ କପ : ଥାଇଲ୍ୟାଣ୍ଡକୁ ୯ ୱିକେଟରେ ହରାଇଲା ଭାରତ
ସିଲହେଟ୍ : ଏସିଆ କପ ଟି-୨୦ ଟୁର୍ଣ୍ଣାମେଣ୍ଟରେ ସୋମବାର ଭାରତୀୟ ମହିଳା ଦଳ କମାଲ । ସୋମବାର ଥାଇଲ୍ୟାଣ୍ଡକୁ ୯ ୱିକେଟରେ ହରାଇଲା ଭାରତ । ଗ୍ରୁପ୍ ପର୍ଯ୍ୟାୟର ଶେଷ ମ୍ୟାଚ୍ରେ ଭାରତୀୟ ମହିଳା ଦଳ ଥାଇଲ୍ୟାଣ୍ଡ ବିପକ୍ଷରେ ଏକତରଫା ବିଜୟ ହାସଲ କରିଛି।
ପାକିସ୍ତାନକୁ ହରାଇଥିବା ଥାଇଲ୍ୟାଣ୍ଡ ପ୍ରଥମେ ଭାରତୀୟ ବୋଲରଙ୍କୁ ଯାଦୁରେ ଫସି ଯାଇଥିଲା। ପୂରା ଟିମ୍ ମାତ୍ର ୩୭ ରନ କରି ଅଲଆଉଟ ହୋଇଯାଇଥିଲା। ଏହାପରେ ଭାରତ ଏହି ୩୮ ରନର ଟାର୍ଗେଟକୁ ମାତ୍ର ୬ ଓଭରରେ ହାସଲ କରି ୯ ୱିକେଟରେ ମ୍ୟାଚ୍କୁ ଜିତି ନେଇଥିଲା। ଏହି ବିଜୟ ସହ ଭାରତୀୟ ମହିଳା ଦଳ ଏସିଆ କପ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ନିଜକୁ ଆହୁରି ମଜବୁତ କରି ନେଇଛି। ଗ୍ରୁପ୍ ପର୍ଯ୍ୟାୟରେ ଭାରତୀୟ ମହିଳା ଦଳ ୬ଟି ମ୍ୟାଚ୍ ଖେଳି ୫ଟିରେ ଜିତିଛି।
ଭାରତ ଏକମାତ୍ର ମ୍ୟାଚ୍ ପାକିସ୍ତାନ ଠାରୁ ହାରିଥିଲା। ଏବେ ଦଳ ୧୦ ଏପଣ୍ଟ ପାଇ ସାରିଥିବାରୁ ସେମିରେ ନିଜର ସ୍ଥାନ ପକ୍କା କରି ନେଇଛି। ଭାରତ ପଛକୁ ପାକିସ୍ତାନ ଓ ଶ୍ରୀଲଙ୍କା ରହିଛନ୍ତି। ୪ର୍ଥ ଦଳ ଭାବେ ଏସିଆ କପ ଆୟୋଜନ କରୁଥିବା ବାଂଲାଦେଶ ଓ ଥାଇଲ୍ୟାଣ୍ଡ ମଧ୍ୟରେ ସଂଘର୍ଷ ଚାଲିଛି। ଥାଇଲ୍ୟାଣ୍ଡ ୬ଟି ମ୍ୟାଚ୍ ଖେଳି ୬ ପଏଣ୍ଟ ପାଇଛି। ଦଳ ପାଖରେ ଆଉ ମ୍ୟାଚ୍ ନଥିବା ବେଳେ ନେଟ ରନ ରେଟ୍ -୦.୯୪୯ ରହିଛି। ହେଲେ ବାଂଲାଦେଶ ପାଖରେ ଆଉ ଗୋଟିଏ ମ୍ୟାଚ୍ ରହିଛି। ଦଳ ଏବେ ୪ ପଏଣ୍ଟ ପାଇଛି ଓ ନେଟ ରନ ରେଟ +୦.୪୨୩ ରହିଛି। ତେଣୁ ଦଳକୁ ସେମିକୁ ଯିବା ହେଲେ କେବଳ ଶେଷ ମ୍ୟାଚ୍ ଜିତିବାକୁ ପଡ଼ିବ।
ଆଜିର ମ୍ୟାଚରେ ଭାରତୀୟ ମହିଳା ଦଳର କାମଚଳା ଅଧିନାୟକ ସ୍ମୃତି ମନ୍ଧାନା ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଭାରତୀୟ ବୋଲରମାନେ ଏହାକୁ ସଠିକ ସାବ୍ୟସ୍ତ କରି ଅନଭିଜ୍ଞ ଥାଇଲ୍ୟାଣ୍ଡ ବ୍ୟାଟରଙ୍କୁ ନିଜ ବୋଲିଂ ଯାଦୁରେ ଫସାଇ ଦେଇଥିଲେ। ସ୍ଥିତି ଏପରି ହୋଇଥିଲା ଯେ ୧୬ତମ ଓଭର ସୁଦ୍ଧା ଥାଇ ବ୍ୟାଟରମାନେ ମାତ୍ର ୩୭ ରନ କରି ଅଲଆଉଟ ହୋଇଯାଇଥିଲେ। ଦଳର ଏକମାତ୍ର ବ୍ୟାଟର ନାନ୍ନାପଟ କେ ଦୁଇ ଅଙ୍କ ଛୁଇଁବାକୁ ସକ୍ଷମ ହୋଇଥିଲେ। ସେ ୧୨ ରନ କରିଛନ୍ତି। ତାଙ୍କ ପଛକୁ ନାତ୍ୟା ବୋଚାଥମ ୭ ରନ କରିଛନ୍ତି। ସେହିପରି ନାନ୍ନାପଟ(୧୨) ଓ ନାଥାକନ ସି(୬) ପ୍ରଥମ ୱିକେଟ ପାଇଁ ୧୩ ରନ ଯୋଡ଼ିଥିଲେ। ଏହା ଥାଇଲ୍ୟାଣ୍ଡ ପାଇଁ ଆଜିର ମ୍ୟାଚ୍ରେ ସବୁଠାରୁ ବଡ଼ ଭାଗିଦାରୀ ଥିଲା। ଭାରତ ପକ୍ଷରୁ ସ୍ନେହ ରାଣା ୯ ରନରେ ୩ଟି ୱିକେଟ ନେଇଥିବା ବେଳେ ଦୀପ୍ତି ଶର୍ମା ୧୦ ରନରେ ୨ଟି ଓ ବାମ ହାତୀ ସ୍ପିନର ରାଜେଶ୍ୱରୀ ଗାଏକ୍ୱାଡ ୮ ରନରେ ୨ଟି ସଫଳତା ପାଇଛନ୍ତି। ଭାରତୀୟ ସ୍ପିନରମାନେ ମିଳିତ ଭାବେ ୭ଟି ୱିକେଟ ଦଖଲ କରିଛନ୍ତି। ଦ୍ରୁତ ବୋଲର ମେଘନା ସିଂହ ଗୋଟିଏ ସଫଳତା ପାଇଛନ୍ତି। ବାକି ଦୁଇଟି ୱିକେଟ ଭାରତୀୟ ଦଳକୁ ରନ ଆଉଟରୁ ମିଳିଛି। ପୂଜା ବସ୍ତ୍ରକର ଏକମାତ୍ର ବୋଲର ଭାବେ ୱିକେଟ ପାଇ ନାହାନ୍ତି। ତେବେ ସେ ୩୮ ରନର ଟାର୍ଗେଟର ପିଛା କରୁଥିବା ଭାରତ ପାଇଁ ୩ନଂରେ ବ୍ୟାଟିଂ କରିବାକୁ ଆସି ଅପରାଜିତ ୧୨ ରନର ଇନିଂସ ଖେଳିଛନ୍ତି। ସେହିପରି ଓପନର ଏସ୍ ମେଘନା ୨୦ ରନ କରିଛନ୍ତି। ଏକମାତ୍ର ବ୍ୟାଟର ଭାବେ ଶେଫାଳି ବର୍ମା(୮) ଆଉଟ ହୋଇଥିଲେ। କାମଚଳା ଅଧିନାୟକ ସ୍ମୃତି ମନ୍ଧାନା ଆଜି ନିଜର ୧୦୦ତମ ଟି-୨୦ ମ୍ୟାଚ୍ ଖେଳିଥିଲେ। ଏହି ମ୍ୟାଚରେ ଭାରତ ଜିତିବା ତାଙ୍କ କୀର୍ତ୍ତିମାନକୁ ଆହୁରି ସ୍ମରଣୀୟ କରିଛି। ୪ ଓଭରରେ ୯ ରନ ଦେଇ ୩ଟି ୱିକେଟ ପାଇଥିବା ରାଣା ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।
