ଆଜିଠୁ କାର୍ତିକ ବ୍ରତ, ହବିଷ୍ୟାଳିଙ୍କ ପାଇଁ ପୁରୀରେ ସ୍ୱତନ୍ତ୍ର ବ୍ୟବସ୍ଥା
୫ଟି ସ୍ଥାନରେ ମାଗଣାରେ ହବିଷ୍ୟ ବ୍ରତ ପାଳନ କରିବେ ୩ ହଜାର ହବିଷ୍ୟାଳୀ
ପୁରୀ : ସୋମବାରଠୁ ଆରମ୍ଭ ହେବ କାର୍ତିକ ବ୍ରତ । ରାଜ୍ୟ ସରକାରଙ୍କ ଯୋଜନାରେ ପୁରୀର ୫ଟି ସ୍ଥାନରେ ମାଗଣାରେ ହବିଷ୍ୟ ବ୍ରତ ପାଳନ କରିବେ ୩ ହଜାର ହବିଷ୍ୟାଳୀ । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳୀ ଯୋଜନାରେ ବ୍ରତ ଧାରିଣୀ ମାନେ କିଭଳି ସୁରୁଖୁରୁରେ ପୁରୀରେ ରହି ଏହି ବ୍ରତ କରିବେ ସେନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । କୋଭିଡ ମହାମାରୀ ଯୋଗୁଁ ଗତ ଦୁଇବର୍ଷ ହେବ ଶ୍ରୀକ୍ଷେତ୍ରରେ ହବିଷ୍ୟାଳୀଙ୍କ ଭିଡ ଜମୁନଥିବା ବେଳେ ଚଳିତବର୍ଷ ପ୍ରାୟ ତିନି ହଜାର ହବିଷ୍ୟାଳୀ ଆସି ପାଂଚଟି ଶିବିରରେ ରହିଛନ୍ତି । ଜିଲ୍ଲାପ୍ରଶାସନ ପକ୍ଷରୁ ହବିଷ୍ୟାଳୀ ମାନଙ୍କ ପାଇଁ ରହିବା, ମହାପ୍ରସାଦ ସେବନ, ଶ୍ରୀଜୀଉଙ୍କ ଦର୍ଶନ, ପ୍ରବଚନ ଓ ଆଧ୍ୟାତ୍ମିକ ଆଲୋଚନା ଶୁଣିବା ବ୍ୟବସ୍ଥା ମଧ୍ୟ କରାଯାଇଛି ।
ଚଳିତବର୍ଷ ହବିଷିଆଳି ଯୋଜନାରେ ରାଜ୍ୟର ୨୯ଟି ଜିଲାରୁ ୨,୯୩୫ ଜଣ ନାମ ପଞ୍ଜୀକରଣ କରିଛନ୍ତି । କେବଳ ମାଲକାନଗିରି ଜିଲାରୁ କେହି ଆବେଦନ କରିନାହାନ୍ତି । ତେଣୁ ଏଥର ୩ ହଜାର ମା’ମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା କରାଯାଇଛି । ପୁରୀ ଜିଲାରୁ ସର୍ବାଧିକ ୯୬୪, ଖୋର୍ଦ୍ଧା ୭୩୦, ଗଞ୍ଜାମ ୩୭୦, ନୟାଗଡ଼ ଜିଲାରୁ ୨୭୦ ଜଣ ହବିଷିଆଳି ଆସିବେ । ଅନ୍ୟାନ୍ୟ ଜିଲାରୁ ମଧ୍ୟ ମା’ମାନେ ପୁରୀ ଆସିବେ । ସେମାନଙ୍କ ପାଇଁ ୫ଟି ରହଣି କେନ୍ଦ୍ରର ବ୍ୟବସ୍ଥା ହୋଇଛି । ସ୍ଥାୟୀ ରହଣି କେନ୍ଦ୍ର ବୃନ୍ଦାବତୀ ନିବାସରେ ପୁରୀ, ଗଞ୍ଜାମ ଓ ନୟାଗଡ଼ର ୧,୬୦୪ ଜଣ, ବଗଲା ଧର୍ମଶାଳା, ବାଗେଡ଼ିଆ ଧର୍ମଶାଳା ଓ ଅକ୍ଷୟ ପାତ୍ରରେ ଖୋର୍ଦ୍ଧା ଜିଲ୍ଲାର ୭୩୦ ଜଣ ଏବଂ ବଳକା ୨୫ଟି ଜିଲ୍ଲାର ୬୦୧ ଜଣ ହବିଷିଆଳି ମୋଚିସାହି କଲ୍ୟାଣ ମଣ୍ଡପରେ ରହିବେ ବୋଲି ସ୍ଥିର କରାଯାଇଛି । ସେହିପରି ରହଣି କେନ୍ଦ୍ରର ତଦାରଖ ପାଇଁ ଅଧିକାରୀଙ୍କୁ ଦାୟିତ୍ୱ ବଂଟନ କରାଯାଇଛି । ଜିଲାପାଳ ସମର୍ଥ ବର୍ମାଙ୍କ ତତ୍ୱାବଧାନରେ ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ ଓ ଉପଜିଲାପାଳ ଭବତାରଣ ସାହୁ ସବୁ ରହଣି କେନ୍ଦ୍ର ବୁଲି ତଦାରଖ କରିବେ । ଅତିରିକ୍ତ ଜିଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକଙ୍କୁ ବୃନ୍ଦାବତୀ ଭକ୍ତ ନିବାସ, ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଜ୍ୟୋତିଶଙ୍କର ମହାପାତ୍ରଙ୍କୁ ଅକ୍ଷୟପାତ୍ର ଓ ବଗଲା ଧର୍ମଶାଳା, ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁଙ୍କୁ ମୋଚିସାହି କଲ୍ୟାଣ ମଣ୍ଡପ ଏବଂ ଅତିରିକ୍ତ ଜିଲାପାଳ ପ୍ରୋଟୋକଲ ଦିଲ୍ଲୀପ କୁମାର ମହାପାତ୍ରଙ୍କୁ ବାଗେଡ଼ିଆ ଧର୍ମଶାଳାର ନୋଡାଲ ଅଫିସର ଭାବେ ଦାୟିତ୍ୱ ଦିଆଯାଇଛି ।
