ଆଜି ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ : ଚଳିତବର୍ଷର ବାର୍ତ୍ତା ‘ମନସ୍ତାତ୍ୱିକ ପ୍ରାଥମିକ ଚିକିତ୍ସା’
ଆଜି ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ । ଚଳିତବର୍ଷର ସ୍ଲୋଗାନ ବା ବାର୍ତ୍ତା ରହିଛି ‘ ମନସ୍ତାତ୍ୱିକ ପ୍ରାଥମିକ ଚିକିତ୍ସା’ (ସାଇକୋଲୋଜିକାଲ୍ ଫାଷ୍ଟ୍ରାଏଡ଼୍) । ଖାଦ୍ୟ, ବସ୍ତ୍ର, ପାନୀୟ, ବାସଗୃହ ପରେ ପ୍ରଦୂଷଣମୁକ୍ତ ବାୟୁ ପରି ସୁସ୍ଥ ଜୀବନ ବିତାଇବା ପାଇଁ ଶାରୀରିକ ସ୍ୱାସ୍ଥ୍ୟ ଭଳି ମନୁଷ୍ୟ ଆବଶ୍ୟକ କରେ ମାନସିକ ଶାନ୍ତି । ଏଥିପାଇଁ ମାନସିକ ସ୍ୱାସ୍ଥ୍ୟର ଗୁରୁତ୍ୱ ଯଥେଷ୍ଟ ବେଶୀ । ଶାରୀରିକ ଦୌର୍ବଲ୍ୟ ବା ଅସୁସ୍ଥତାର ଚିକିତ୍ସା ପାଇଁ ଯେପରି ଶାରୀରିକ ରୋଗ ଚିକିତ୍ସାମାନଙ୍କ ପରାମର୍ଶ ଓ ସେବା ଦରକାର ହୋଇଥାଏ, ମାନସିକ ରୋଗ ପାଇଁ ସେହିପରି ଦରକାର ହୋଇଥାଏ ମନୋଚିକିତ୍ସକମାନଙ୍କ ପରାମର୍ଶ ଓ ସେବା । କିନ୍ତୁ ଭାରତରେ ମାନସିକ ରୋଗୀମାନଙ୍କ କ୍ଷେତ୍ରରେ ଏହା ସବୁବେଳେ ବିଭିନ୍ନ କାରଣରୁ ସମ୍ଭବ ହୋଇପାରିନଥାଏ । କେତେବେଳେ ରୋଗୀର ଆତ୍ମୀୟସ୍ୱଜନଙ୍କ ଅଜ୍ଞତା ଅର୍ଥାତ୍ ସଚେତନତାର ଅଭାବରୁ ତ ଆଉ କେବେ ଆର୍ଥିକ ପ୍ରତିବନ୍ଧକ ଏହି ରୋଗୀମାନଙ୍କ ଚିକିତ୍ସା ପାଇଁ ସମସ୍ୟା ସୃଷ୍ଟି କରୁଥିବାବେଳେ ମନୋଚିକିତ୍ସକଙ୍କ ଅଭାବ ଅନ୍ୟ ଏକ ପ୍ରମୁଖ ସମସ୍ୟା ଭାବରେ ଉଭା ହୋଇଛି । ତେଣୁ ସମଗ୍ର ଦେଶରେ ସଦାସର୍ବଦା ମାନସିକ ରୋଗ ଚିକିିତ୍ସା ହୋଇ ଆସିଛି ବେଶ୍ ଅବହେଳିତ ।
ଏପରି କହିବାର କାରଣ ଦେଶରେ ମୋଟ ୧,୩୨,୦୦୦ ମନୋ ଚିକିତ୍ସାବିତ୍ଙ୍କର ଆବଶ୍ୟକତା ରହିଥିବାବେଳେ ଅଛନ୍ତି ମାତ୍ର ୩୦୦୦ । ଆଉ ଏମାନଙ୍କ ମଧ୍ୟରୁ ଅଧିକାଂଶ ସେମାନଙ୍କର ଚିକିତ୍ସା ପେସାରେ ଚାଲୁରଖନ୍ତି ସହରାଞ୍ଚଳରେ । ସଚରାଚର ଦେଖାଯାଏ, ଗ୍ରାମାଞ୍ଚଳର ଲୋକମାନଙ୍କର ତ ଏପର୍ଯ୍ୟନ୍ତ ଏ ବିଷୟରେ ଧାରଣ ହିଁ ନାହିଁ । ପାଶ୍ଚାତ୍ୟ ଦେଶମାନଙ୍କରେ ଅଧିକାଂଶ କ୍ଷେତ୍ରରେ ଏପରି ରୋଗ ସୃଷ୍ଟି ହୋଇଥାଏ ମାନସିକ ତଥା ସ୍ନାୟବିକ ସମସ୍ୟା ଏବଂ ବିଭିନ୍ନ ପ୍ରକାରର ଯାନ୍ତ୍ରିକ ଉପକରଣର ବ୍ୟବହାର ଯୋଗୁଁ । ଭାରତରେ କିନ୍ତୁ ଏହି କାରଣଗୁଡ଼ିକ ମାତ୍ର ୧୨ ପ୍ରତିଶତ କ୍ଷେତ୍ରରେ ଦାୟୀ । ଯେତେବେଳେ ବି କୌଣସି ବ୍ୟକ୍ତିଙ୍କ ଠାରେ ମାନସିକ ରୋଗର ଲକ୍ଷଣ ଦେଖାଯାଏ, ସମାଜର ରହିଥିବା ଅନ୍ଧବିଶ୍ୱାସ ଯୋଗୁଁ ତାଙ୍କୁ ମନୋଚିକିତ୍ସକଙ୍କ ପାଖକୁ ନିଆଯାଇନଥାଏ ଉପଯୁକ୍ତ ଚିକିତ୍ସା ପାଇଁ । ମାନସିକ ଅବସାଦ ଭଳି ରୋଗ ପାଇଁ ମଧ୍ୟ ଚିକିତ୍ସାଳୟ ବା ଡାକ୍ତରଖାନାର ଦ୍ୱାର ମାଡ଼ିବା ଦେଖାଯାଏ କ୍ୱଚିତ୍ । ପ୍ରାୟତଃ ରୋଗର ଶିକାର ହୋଇଥିବା ବ୍ୟକ୍ତିକୁ ପାଗଳଖାନାରେ ଭର୍ତ୍ତି କରିଦେଇ ତାର ଆତ୍ମୀୟସ୍ୱଜନ ହୋଇଯାନ୍ତି ନିଶ୍ଚିତ ।
ମନୋଚିକିତ୍ସା ଯେ ଡାକ୍ତରୀ ଚିକିତ୍ସା ଭଳି ଚିକିତ୍ସା ଶାସ୍ତ୍ରର ଏକ ବିଭାଗ ଏବଂ ଅନ୍ୟାନ୍ୟ ରୋଗ ଭଳି ଏହା ମଧ୍ୟ ପ୍ରଭାବଶାଳୀ ଔଷଧମାନ ଆବିଷ୍କାର କରି ଚିକିତ୍ସା କରିବାରେ ସକ୍ଷମ, ତାହାକୁ ଗ୍ରାମାଞ୍ଚଳର ଜନସାଧାରଣ ସହଜରେ ଗ୍ରହଣ କରିପାରିନଥାନ୍ତି । ସଂପ୍ରତି ସାଧାରଣ ମାନସିକ ଅବସାଦଠାରୁ ଆରମ୍ଭ କରି ଦୀର୍ଘଦିନ ପର୍ଯ୍ୟନ୍ତ ଭୋଗିଆସୁଥିବା ସିଜୋଫର୍ଣ୍ଣିଆ ରୋଗର ଚିକିତ୍ସା ପାଇଁ ମଧ୍ୟ ଔଷଧ ଆବିଷ୍କୃତ ହୋଇସାରିଛି ଏବଂ ରୋଗୀକୁ ଚିକିତ୍ସାଳୟରେ ରଖିବା କିମ୍ବା ଇଲେକ୍ଟ୍ରିକ୍ ସକ୍ ଦେବାର ଆବଶ୍ୟକତା ମଧ୍ୟ ନାହିଁ । କିନ୍ତୁ ଏହା ଜନସାଧାରଣଙ୍କୁ ଅବଗତ କରାଇବା ଦରକାର କାରଣ ସାଧାରଣତଃ କୌଣସି ପରିବାରରେ କୌଣସି ବ୍ୟକ୍ତି ଏପରି ରୋଗର ଶିକାର ହେଲେ ସୋମନେ ରୋଗୀକୁ ଜଣେ ଅପରାଧୀଠାରୁ ମଧ୍ୟ ଅଧିକ ଖରାପ ବ୍ୟବହାର ପ୍ରଦର୍ଶନ କରିଥାନ୍ତି । ନିକଟରେ କେରଳରେ ଘଟିଥିବା ଏହିପରି ଏକ ଘଟଣାକୁ ଉଦାହରଣ ରୂପେ ନିଆଯାଇପାରେ । ସେଠାରେ ବିହାରର ଜଣେ ମାନସିକ ରୋଗୀ ଜନୈକ ସାମାଜିକ ପ୍ରତିଷ୍ଠାସମ୍ପନ୍ନ ବ୍ୟକ୍ତିଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଯୋଗୁଁ ତାଙ୍କୁ ପିଟିପିଟି ମାରିଦିଆଗଲା । ସେହି ମାନସିକ ରୋଗୀକୁ ମାରିଦେଇଥିବା ବ୍ୟକ୍ତି ଜଣକଙ୍କର ବୁଝିବାର ଥିଲା ଯେ ସଂପୃକ୍ତ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ବ୍ୟକ୍ତିଙ୍କର ମୃତ୍ୟୁଦଣ୍ଡ ନୁହେଁ, ଉପଯୁକ୍ତ ଡାକ୍ତରୀ ଚିକିତ୍ସା ଆବଶ୍ୟକ । କିନ୍ତୁ ସେପରି ହେବାର ଦୃଷ୍ଟାନ୍ତ କ୍ୱଚିତ୍ ।
ଏପରିକି ପାଗଳଖାନାଗୁଡ଼ିକ ମଧ୍ୟ ଏଭଳି ରୋଗୀମାନଙ୍କୁ ଉପଯୁକ୍ତ ସୁରକ୍ଷା ଯୋଗାଇଦେବାରେ ହେଉଛନ୍ତି ଅକ୍ଷମ, କାରଣ ସେଠାରେ ମଧ୍ୟ ମାନବିକ ଅଧିକାର ଉଲ୍ଲଘଂନ ହେଉଥିବାର ଘଟଣାମାନ ନଜରକୁ ଆସୁଛି । ଏବେ ଆସନ୍ତୁ ବିଚାର କରିବା ଓଡ଼ିଶା କଥା । ଓଡ଼ିଶାରେ ସ୍ୱାସ୍ଥ୍ୟସେବା ଯେତେବେଳେ ଅବହେଳିତ, ସେତେବେଳେ ମାନସିକ ସ୍ୱାସ୍ଥ୍ୟ କଥା ପଚାରେ କିଏ ? ଏଠାରେ ଆଜି ବି ଅଧିକାଂଶ ମାନସିକ ରୋଗୀଙ୍କୁ ଚିକିତ୍ସା କରାଯାଏ ପାରମ୍ପରିକ ପଦ୍ଧତିରେ ଯଥା ଗୁଣିଆ କିମ୍ବା ଗ୍ରାମାଞ୍ଚଳରେ ବାସ କରୁଥିବା କ୍ୱାକ୍ମାନଙ୍କ ଦ୍ୱାରା । ରାଜ୍ୟର ପ୍ରତ୍ୟେକଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅତି କମ୍ରେ ଜଣେ ମନୋଚିକିତ୍ସାବିତ୍ ରହିବା କଥା । କିନ୍ତୁ ଏଯାବତ୍ ସରକାର ତାହା କରିବାରେ ସମର୍ଥ ହୋଇପାରିନାହାନ୍ତି । ତେଣୁ ଏଠାକାର ମାନସିକ ରୋଗୀଙ୍କ ଅବସ୍ଥା କହିଲେ ନସରେ । ଭାରତରେ ପ୍ରତିବର୍ଷ ଦୁଇ ଲକ୍ଷ ଲୋକ ଆତ୍ମହତ୍ୟା କରନ୍ତି । ମାନସିକ ରୋଗର ଶିକାର ଲକ୍ଷ ଲକ୍ଷ ସଂଖ୍ୟକ ବ୍ୟକ୍ତି ସମାଜ ପାଇଁ ସେମାନଙ୍କର ବହୁମୂଲ୍ୟ ଅବଦାନ ପ୍ରଦାନ କରିବାରୁ ବଞ୍ଚିତ । ଦେଶ ଏ ବାବଦରେ ଯେତିକି ପରିମାଣର କ୍ଷତି ସହୁଛି, ତାହା ସଠିକ୍ ଭାବେ ଆକଳନ କରିବା ଏକ ଦୁରୂହ ବ୍ୟାପାର ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁ ଏଚ୍ ଓ ) ଅନୁଯାୟୀ ମାନସିକ ସ୍ୱାସ୍ଥ୍ୟର ସଂଜ୍ଞା ହେଉଛି – “ଏକ ସୁସ୍ଥ ଅବସ୍ଥା, ଯେଉଁଥିରେ ମନୁଷ୍ୟ ଓ ତାର ନିଜର ଦକ୍ଷତା ସଂପର୍କରେ ସଚେତନ ଜୀବନର ଚାପ ସହିତ ମନୁଷ୍ୟ ଖାପଖୁଆଇ ଚଳିପାରେ, ଉତ୍ପାଦନକ୍ଷମ ଭାବରେ ତଥା ସଫଳ ଭାବରେ ନିଜର କାମ କରିପାରେ ଏବଂ ନିଜର ଗୋଷ୍ଠୀ ପ୍ରତି କୌଣସି ଅବଦାନ ଦେବାରେ ସକ୍ଷମ ହୋଇଥାଏ\’ । ତେଣୁ ସମୟ ଉପଗତ, ମାନସିକ ସ୍ୱାସ୍ଥ୍ୟ ନୀତି ଗୋଷ୍ଠୀ (ମେଣ୍ଟାଲ ହେଲ୍ଥ ପଲିସି ଗ୍ରୁପ୍) ଦେଶର ସମସ୍ତ ନାଗରିକମାନଙ୍କ ମାନସିକ ସ୍ୱାସ୍ଥ୍ୟ ଆବଶ୍ୟକତାକୁ ଅନୁଭବ କରିବା ଉଚିତ୍ ଏବଂ ସମସ୍ତଙ୍କ ପାଇଁ ମାନସିକ ସ୍ୱାସ୍ଥ୍ୟ ଚିକିତ୍ସାର ବ୍ୟବସ୍ଥା ଯୋଗାଇଦେବା ପାଇଁ ଚେଷ୍ଟିତ ହେବା ଦରକାର ।
