ପଶ୍ଚିମବଙ୍ଗକୁ ଗୋ ଚାଲାଣ ବେଳେ ୩ କଣ୍ଟେନର ୧ ପିକ୍ଅପ୍ ଜବତ୍ : ୭ ଅଟକ ୧ ମୃତ
ଜଳେଶ୍ୱର : ସବୁଦିନ ପରି ଆଜି ମଧ୍ୟ ଓଡିଶାରୁ ପଶ୍ଚିମବଙ୍ଗକୁ ଗୋ ଚାଲାଣବେଳେ ୬୦ନଂ ଜାତୀୟ ରାଜପଥର ଜଳେଶ୍ୱର ଥାନା ଅନ୍ତର୍ଗତ ସୁବର୍ଣ୍ଣର୍ରେଖା ପୋଲ ନିକଟ ନାକା ପଏଣ୍ଟ ଠାରେ ୩ କଣ୍ଟେନର ଓ ୧ ପିକ୍ଅପ୍କୁ ପୁଲିସ୍ ଜବତ୍ କରିଛି । ଏହି ୪ଟି ଯାନରେ ପ୍ରାୟ ୨୫୦ରୁ ଅଧିକ ଗୋରୁ କୁ ପୁଲିସ୍ ଗୋ ଶାଳା ପଠାଇଥିବା ବେଳେ ଏଥିରେ ଥିବା ୭ଜଣକୁ ପୁଲିସ୍ ଅଟକ ରଖିଥିବା ବେଳେ ଜଣେ ପୋଲ ଉପରୁ ତଳକୁ ଡେଇଁପଡି ମୃତ୍ୟୁବରଣ କରିଛି । ଆଜି ଭୋର ୪ଟାରେ ବାଲେଶ୍ୱର ପଟୁ ପଶ୍ଚିମବଂଗ ଅଭିମୁଖେ ୩ଟି କଣ୍ଟେନର ଓ ଅନ୍ୟଏକ ପିକ୍ଅପ୍ରେ ପ୍ରାୟ ୨୫୦ଟି ଗୋରୁକୁ ଧରି ଗଲାବଳେ ପୁଲିସ୍ ନାକା ପଏଣ୍ଟଠାରେ ଅଟକାଇଥିଲା । ବସ୍ତା ଲଦାହେଲାଭଳି ଗୋରୁ ଗୁଡିକୁ ନିଆଯାଉଥିବାର ଦେଖି ପୁଲିସ୍ ୪ଟି ଯାକ ଯାନକୁ ଖାନତଲାସୀ କରିଥିଲେ । ସେଥିରୁ ଓଆର୍୦୯କେ୨୫୮୬ ଓ ଓଆର୍୦୯ଏଫ୨୨୦୭ ଦୁଇଟି କଣ୍ଟେନର ଥିବା ବେଳେ ଅନ୍ୟ ୨ଟି ଗାଡିର ନମ୍ବର ଜଣାପଡିନାହିଁ । ଖାନ ତଲାସୀରେ ଧରାପଡିଭା ଭୟରେ ଜଣେ ଗୋଚାଲାଣକାରୀ ସୁବର୍ଣ୍ଣରେଖା ନଦୀପୋଲ ଉପରୁ ନଦୀପଠାକୁ ଡେଇଁ ପଡିବା ଫଳରେ ଗୁରୁତର ଆହତ ହୋଇଥିଲା । ପରେ ତାକୁ ଜିକେ ଭଟ୍ଟର ହସ୍ପିଟାଲକୁ ନିଆଯାଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟପକ୍ଷରେ ୪ଟି ଗୋରୁ ବୋଝେଇ ଗାଡି ଓ ଅନ୍ୟଏକ ସ୍କର୍ପିଓରେ ଥିବା ଥିବା ମୋଟ ୭ଜଣଙ୍କୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଛି । ଗାଡି ଗୁଡିକରେ ଥିବା ଗୋରୁ ଗୁଡିକୁ ବାଲେଶ୍ୱର ଗୋଶାଳା ପଠାଯାଇଥିବା ଜଣାଯାଇଛି । ପ୍ରକାଶଯୋଗ୍ୟ ଗତ ୧୫ ଦିନ ମଧ୍ୟରେ ପୋଲିସ୍ ପକ୍ଷରୁ ୬୦ନଂ ଜାତୀୟ ରାଜପଥ ଜଳେଶ୍ୱର ଥାନା ଇଲାକାରେ ଥିବା ପୁଲିସ୍ ନାକାପଏଣ୍ଟ ଓ ଟୋଲ ପ୍ଲାଜାଠାରୁ ବାରମ୍ବାର ଚଢାଉ କରାଯାଇ ଗୋରୁଗୁଡିକୁ ଉଦ୍ଧାର କରାଯାଉଥିବା ବେଳେ ସେସବୁକୁ ବାଲେଶ୍ୱର ଗୋଶାଳାକୁ ପଠାଯାଇ ଆସୁଛି । ଅତୀତରେ ନାକା ପଏଣ୍ଟଠାରୁ କେତେକ ଗୋରୁକୁ ସ୍ଥାନୀୟ ଗ୍ରାମବାସୀ ନେଇ ଯାଇଥିବାରୁ ୧୦ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି । ଏନିମାଲ କୃଏଲିଟି ଆକ୍ଟର ଉଲଙ୍ଘନ କରି ପ୍ରତିଦିନ ପଶ୍ଚିମବଂଗକୁ ବେଆଇନ୍ଭାବେ ଗୋ ଚାଲାଣ ହେଉଥିବା ଘଟଣାରେ ସ୍ଥାନୀୟ ଦଲାଲମାନଙ୍କ ସଂପୃକ୍ତି ଯୋଗୁ ଏପରି କାରବାର ଚାଲୁଥିବା କୁହାଯାଇଛି । କିନ୍ତୁ ସ୍ଥାନୀୟ ଦଲାଲମାନଙ୍କୁ ଧରିବାରେ ପୁଲିସ୍ ସଂପୂର୍ଣ୍ଣ ବିଫଳ ହେଉଥିବା ନେଇ ସନ୍ଦେହ ପ୍ରକାଶ ପାଉଛି ।ଏ ସଂପର୍କରେ ଜଳେଶ୍ୱର ପୁଲିସ୍ ଅଧିକାରୀ ମାନଙ୍କ ମତାମତ ନେବାକୁ ସାମ୍ବାଦିକମାନେ ଅପେକ୍ଷା କରିଥିବା ବେଳେ କୌଣସି ସୂଚନା ମିଳିପାରିନାହିଁ । କଟକଣାକୁ ଅଧିକ କଡାକଡି କରିବାକୁ ସାଧାରଣରେ ଦାବି ହେଉଛି ।
