ଶ୍ରୀମନ୍ଦିରରେ କୁମାର ପୂର୍ଣ୍ଣମୀ ନୀତିଦ୍ୟୁତ୍କ୍ରିଡ଼ାରେ ମହାଲକ୍ଷ୍ମୀଙ୍କ ଠାରୁ ହାରି ବନ୍ଧାପଡ଼ିଲେ ଶ୍ରୀମାଧବ
ପୁରୀ : ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଆଜି କୁମାରପୂର୍ଣ୍ଣିମା ପାଇଁ ବିଶେଷ ନୀତି ଅନୁଷ୍ଠିତ ହୋଇଛି । ସକାଳୁ ମଙ୍ଗଳଆଳତି,ଅବକାଶ ପରେ ରାଧା ଦାମୋଦର ବେଶ ଅନୁଷ୍ଠିତ ହୋଇଥିଲା । ପରେ ପରେ ସକାଳଧୂପ ଓ ବାଳଧୂପ ନୀତି ଅନୁଷ୍ଠିତ ହୋଇଥିଲା । ମଧ୍ୟାହ୍ନଧୂପ ପରେ ଶ୍ରୀଦେବୀ ଓ ଭୂଦେବୀ ଖଟ ଶେଜରେ ବିଜେ କରିଥିଲେ । ଆଜ୍ଞାମାଳ ପାଇବା ପରେ ଶ୍ରୀସୁଦର୍ଶନ ଚଉଦଳରେ ବିଜେ କରି ବାଲିସାହି ଭୃଗୁ ଆଶ୍ରମ ଯାଇ ପନ୍ତି ଭୋଗ ଓ ବନ୍ଦାପନା ସରିବା ପରେ ପଶ୍ଚିମଦ୍ୱାର ଦେଇ ଶ୍ରୀମନ୍ଦିରକୁ ବିଜେ କରିଥିଲେ । ବଡ଼ସିଂହାର ଭୋଗ ପରେ ରତ୍ନ ସିଂହାସନ ଉପରେ ଓ ତଳେ ଶକଟା,ପଶା ଓ କଉଡ଼ି ଖେଳ ମହାଲକ୍ଷ୍ମୀ ସହ ଶ୍ରୀଜଗନ୍ନାଥଙ୍କ ପାଇଁ ଦୁଇପକ୍ଷ ସେବାୟତ ଖେଳିଥିଲେ । ଏଥିରେ ମହାପ୍ରଭୁ ହାରିବା ଫଳରେ ପୂର୍ବର୍ ନିୟମ ଅନୁଯାୟୀ ସାତଦିନ ଶ୍ରୀମାଧବ ମହାଲକ୍ଷ୍ମୀଙ୍କ ମନ୍ଦିରରେ ବନ୍ଧା ପଡ଼ିଥିଲେ । ଅଷ୍ଟମ ଦିନ ଲକ୍ଷ୍ମୀ ମନ୍ଦିରରୁ ଶ୍ରୀମାଧବ ବାହୁଡ଼ିଥିଲେ । କୁମାରପୂର୍ଣ୍ଣମୀ ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିବା ଦେଖିବାକୁ ମିଳିଛି ।
