ଶ୍ରୀମନ୍ଦିରରେ କୁମାର ପୂର୍ଣ୍ଣିମା ପାଇଁ ଚାଲିଛି ସ୍ୱତନ୍ତ୍ର ନୀତିକାନ୍ତି
ପୁରୀ : ଆଜି କୁମାର ପୂର୍ଣ୍ଣିମା । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଶ୍ରୀଦେବୀ ଓ ଭୂଦେବୀଙ୍କୁ ଖଟଶେଷ ଘରେ ବିଜେ କରାଯିବ । ଏହା ପରେ ଆଜ୍ଞାମାଳ ପାଇ ସୁଦର୍ଶନ ବିଜେ ହୋଇ ଚଉଦୋଳରେ ଶ୍ରୀକ୍ଷେତ୍ରରେ ଥିବା ଚାରି ଆଶ୍ରମକୁ ବିଜେ କରିବା ପରେ ସେଠାରେ ପନ୍ତଭୋଗ ଓ ବନ୍ଦାପନ ନୀତି କରାଯିବ ।
ସେପଟେ ସୋମବାର ଠାରୁ ଆରମ୍ଭ ହେଉଛି କାର୍ତ୍ତିକ ବ୍ରତ । ଏଥିପାଇଁ ଯେଉଁ ହବିଷ୍ୟାଳୀ ମାନେ କାର୍ତ୍ତିକ ବ୍ରତ ପାଳନ କରିବେ ସେମାନେ ଆଜି ସଙ୍କଳ୍ପ କରିଛନ୍ତି । ତେବେ ଭକ୍ତଙ୍କ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ସହ ସୁରୁଖୁରୁରେ ମହାପ୍ରସାଦ ପାଇପାରିବେ । ସେନେଇ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ପରମ୍ପରା ଅନୁଯାୟୀ, ଆଜି ଉଭୟ ବାହାର ଓ ଭିତର କୁମାର ପୂର୍ଣ୍ଣିମା ନୀତି ଅନୁଷ୍ଠିତ ହୋଇଯାଇଛି। ମଧ୍ୟାହ୍ନଧୂପ ପରେ ଶ୍ରୀଦେବୀ ଓ ଭୂଦେବୀଙ୍କୁ ଖଟଶେଯରେ ବିଜେ କରାଯାଇଥିଲା। ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଶ୍ରୀ ସୁଦର୍ଶନ ଜଗମୋହନସ୍ଥିତ ଚଉଦୋଳାରେ ବସିଥିଲେ। ସେଠାରେ ପାଟପତନି ଲାଗି ପରେ ଚୁଳଲାଗି କରାଯାଇ ଚଉଦୋଳାରେ ବସାଇ ଝୁଲଣମଣ୍ଡପ ନିକଟକୁ ନିଆଯାଇଥିଲା। ସେଠାରେ ଶୀତଳ ଭୋଗ ଓ ବନ୍ଦାପନା ନୀତି ବଢ଼ିବା ପରେ ପଶ୍ଚିମଦ୍ବାର ବାଟ ଦେଇ ବଡ଼ଦେଉଳକୁ ପୁନର୍ବାର ଫେରିଥିଲେ। ରୁନ୍ଧା ଫିଟାଯିବା ପରେ ଶ୍ରୀ ସୁଦର୍ଶନ ସିଂହାସନକୁ ବିଜେ କରିଥିଲେ। ଚାରିବାଡ଼ରେ ମହାସ୍ନାନ ପରେ ଶ୍ରୀଦେବୀ ଓ ଭୂଦେବୀ ସିଂହାସନକୁ ବିଜେ କରିଥିଲେ। ସଂଧ୍ୟା ଆଳତି ପରେ ଚାରିବାଡ଼ରେ ସଂଧ୍ୟାଧୂପ ନୀତି ସଂପନ୍ନ ହୋଇଥିଲା। ଏହି ଭୋଗରେ ଶ୍ରୀସୁଦର୍ଶନଙ୍କ ବାଡ଼ରେ ପ୍ରସାଦ ଲାଗି ଓ ବନ୍ଦାପନା ଆଦି ନୀତି ଅନୁଷ୍ଠିତ ହୋଇଥିଲା। ଭୋଗ ପରେ ଦକ୍ଷିଣ ଘରୁ ମଦନମୋହନ ସିଂହାସନକୁ ବିଜେ କରିଥିଲେ। ମଦନମୋହନ ଓ ମା’ ଲକ୍ଷ୍ମୀ ଆଜ୍ଞାମାଳ ପାଇବା ପରେ ସାତପାହାଚ ପାଖରେ ଥିବା ପାଲିଙ୍କିରେ ବସି ଲକ୍ଷ୍ମୀମନ୍ଦିର ଜଗମୋହନ ଖଟ ଉପରେ ବିଜେ କରିଥିଲେ। ଏଠାରେ ଉଭୟ ଠାକୁର-ଠାକୁରାଣୀଙ୍କ ମଧ୍ୟରେ କଉଡ଼ି, ପଶା, ସକଟା ଆଦି ଖେଳ ହୋଇଥିଲା। ଏହାପରେ ଶୀତଳ ମଣୋହୀ ବଢ଼ି ଠାକୁର-ଠାକୁରାଣୀ ଶ୍ରୀମନ୍ଦିରକୁ ବିଜେ କରିଥିଲେ। ଏହାକୁ ବାହାର କୁମାର ଉତ୍ସବ କୁହାଯାଏ। ବାହାର କୁମାର ଉତ୍ସବ ପରେ ଭିତର କୁମାର ଉତ୍ସବ ନୀତି ଅନୁଷ୍ଠିତ ହୋଇଥିଲା। ଶ୍ରୀମନ୍ଦିର ଭିତରେ ଚନ୍ଦନଲାଗି ଓ ବଡ଼ସିଂହାର ବେଶ ପରେ ବଡ଼ସିଂହାର ଭୋଗ ବଢ଼ି ପାଣି ପଡ଼ିଥିଲା। ସିଂହାସନ ତଳେ ଜୁଆ, ସକଟା, ପଶା ଓ କଉଡ଼ି ଖେଳ ଅନୁଷ୍ଠିତ ହୋଇଥିଲା। ଏହି ଖେଳରେ ଲକ୍ଷ୍ମୀଙ୍କଠାରୁ ମହାପ୍ରଭୁ ହାରିଯାଇଥିବାରୁ ଆଜିଠାରୁ ମାଧବ ସାତଦିନ ପର୍ଯ୍ୟନ୍ତ ଲକ୍ଷ୍ମୀ ମନ୍ଦିରରେ ବନ୍ଧା ପଡ଼ିଥିଲେ। ପରମ୍ପରା ଅନୁଯାୟୀ, ମାଧବ ହାତରେ ବିଜେ ହୋଇ ସାତଦିନ ଯାଏଁ ଲକ୍ଷ୍ମୀ ମନ୍ଦିରରେ ରହିବେ। ଅଷ୍ଟମୀ ଦିନ ଲକ୍ଷ୍ମୀ ମନ୍ଦିରରୁ ଆସି ସିଂହାସନରେ ବିଜେ କରିବେ।
