ଆଜି କୁମାର ପୂର୍ଣ୍ଣିମା! ଚାନ୍ଦ ପୂଜା କରିବେ କୁଆଁରୀ ଝିଅ
ଆଜି ହେଉଛି ପବିତ୍ର କୁମାର ପୂର୍ଣ୍ଣିମା । କୁମାରୀ ମାନଙ୍କର ଏହା ହେଉଛି ଏକ ବଡ ପର୍ବ । କୁହାଯାଏ ଭଲ ବରଟିଏ ପାଇବା ପାଇଁ କୁମାରୀ ମାନେ ଏହି ଓଷା କରିଥାନ୍ତି ।
ସେଥିପାଇଁ କମାର ପୂର୍ଣ୍ଣିମା ଦିନ ବଡି ଭୋର କୁମାରୀ ମାନେ ଉଠି ସେମାନଙ୍କ ନିତ୍ୟକର୍ମ ସାରି ନୂତନ ବସ୍ତ୍ର ବିନ୍ଧ ଚଉଁରାମୂଳେ ଆଞ୍ଜୁଳା ଟେକିଥାନ୍ତି । ସେଥିପାଇଁ ଏକ କୁଲାରେ ଅଛଡା ଲିଆ, ଗୁଆ, ନଡିଆ, କଦଳୀ, କଷି କାକୁଡି, କଷି ଜହ୍ନି, ଫୁଲ ଆଦି ଏଭଳି ସାତଟି ଜିନିଷକୁ ସାତ ଥର ଆଞ୍ଜୁଳା ଟେକିଥାନ୍ତି । ଏହାପରେ ସୂର୍ଯ୍ୟଙ୍କୁ ନମସ୍କାର କରିଥାନ୍ତି । ସେହିପରି ସନ୍ଧ୍ୟାରେ ଲିଆରେ ଫଳ, ଛେନା ଆଦି ମିଶ୍ରଣ କରି ଏକ ଭୋଗ ପ୍ରସ୍ତୁତ କରି ସେହି ଚକଡା ଭୋଗରେ ଏକ ଚାନ୍ଦ ପ୍ରସ୍ତୁତ କରି ଚଉଁରାମୂଳେ ପୂଜା କରାଯାଇଥାଏ । ଏହାପରେ ଚନ୍ଦ୍ରଙ୍କୁ ପ୍ରଣାମ କରିଥାନ୍ତି କୁଆଁରୀ କନ୍ୟା ।
ଏହି ଦିନ କାର୍ତ୍ତିକେୟଙ୍କ ଜନ୍ମଦିନ ଥିବାରୁ ଏହି ପୂଜା କଲେ ତାଙ୍କ ଭଳି ସୁନ୍ଦର ଓ ବୀର ବର ମିଳେ ବୋଲି ଲୋକ ବିଶ୍ବାସ ରହିଛି । ତେଣୁ ସର୍ବଗୁଣସମ୍ପନ୍ନ ଜୀବନସାଥୀଟିଏ ପାଇବାକୁ କୁମାରୀ କରିବେ ଚନ୍ଦ୍ରପୂଜା । ଏନେଇ କୁମାରୀଙ୍କ ମନରେ ବେଶ୍ ଉତ୍ସାହ ଭରି ରହିଛି । ମା’ ଗଜଲକ୍ଷ୍ମୀଙ୍କ ଆବାହନ ଓ କୁଆଁର ପୂନେଇଁ ପୂଜାର୍ଚ୍ଚନା ପାଇଁ ବେଶ୍ ଚଳଚଞ୍ଚଳ ହୋଇଛି ରାଜଧାନୀ ।
ସାମୂହିକ ଓ ପାରିବାରିକସ୍ତରରେ ଏ ନେଇ ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି । ଗାଁ ଗହଳି ଭଳି ରାଜଧାନୀ ଓ ଏହାର ଉପକଣ୍ଠ ଅଞ୍ଚଳର ଝିଅମାନଙ୍କ ମନରେ ଏହି ପର୍ବକୁ ନେଇ ଉତ୍ସାହ ପରିଲକ୍ଷିତ ହୁଏ । ଗାଁ ପରି ଏଠାରେ ଦଳଦଳ ହୋଇ ଝିଅମାନେ ଚଉରା ମୂଳକୁ ଯିବା ସମ୍ଭବ ହେଉ ନ ଥିଲେ ବି ଘରେ ଘରେ ଏହି ପରମ୍ପରାକୁ ଧରି ରଖିବାର ପ୍ରୟାସରେ ଆଦୌ ହେଳା କରୁ ନାହାନ୍ତି । ଏହା ସହ କିଛି ଆବାସିକ କଲୋନିରେ ଝିଅମାନେ ମିଳିତ ଭାବେ ପୂଜାର୍ଚ୍ଚନା କରିବାର ବିଧି ଏବେ ବି ବଞ୍ଚି ରହିଛି । କିନ୍ତୁ ଚଳିତ ବର୍ଷ ପୂର୍ବ ବର୍ଷଗୁଡ଼ିକ ଭଳି ସାଂସ୍କୃତିକ ଅନୁଷ୍ଠାନଗୁଡ଼ିକ ପକ୍ଷରୁ କୁମାର ଉତ୍ସବ ଆୟୋଜିତ ହେଉନାହିଁ । କିନ୍ତୁ କିଛି ଲକ୍ଷ୍ମୀ ପୂଜା ମଣ୍ଡପରେ ଆଜି କୁମାରୀ ପୂଜା ହେବ ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି ।
ପରମ୍ପରା ଅନୁଯାୟୀ ସକାଳ ନ ପାଉଣୁ ଗାଧୋଇ ପାଧୋଇ ନୂଆ ଲୁଗା ପିନ୍ଧି କୁମାରୀମାନେ ସୂର୍ଯ୍ୟୋଦୟ ପୂର୍ବରୁ ସୂର୍ଯ୍ୟଦେବତାଙ୍କୁ ଆଞ୍ଜୁଳି ଟେକିବେ । ଚଉରା ମୂଳ ଲିପାଲିପି କରି ମୁରୁଜ ପକାଇ ଆରମ୍ଭ ହେବ ପୂଜାର୍ଚ୍ଚନା । ଖଇ, ଗୁଆ, କଦଳୀ, ନଡ଼ିଆ, କସି କାକୁଡ଼ି, କସି ଜହ୍ନି ଓ ଆଖୁ ଭଳି ଫଳ ଭୋଗ ଲାଗିବ । ସନ୍ଧ୍ୟାରେ କୁମାରୀମାନେ ଚଉରା ମୂଳେ ଏକତ୍ର ହୋଇ କରିବେ ଚାନ୍ଦ ପୂଜା । ଜହ୍ନ ଉଇଁଲେ ଆରମ୍ଭ ହୋଇଯାଏ ଏହି ପୂଜା । କୁଆଁରୀଙ୍କ ହୁଳହୁଳି ଶବ୍ଦରେ କମ୍ପିଉଠେ ପୂରା ପରିବେଶ । ଖଇ, ନଡ଼ିଆ, କଦଳୀ, ଛେନା ଓ ଗୁଡ଼ ଆଦିରେ ପ୍ରସ୍ତୁତ ଚାନ୍ଦ ଚକଟା ପୂନେଇଁ ଜହ୍ନକୁ ଭୋଗ ଲାଗେ । ପୂଜା ହେବା ପରେ କୁଆଁରୀମାନେ ଏହାକୁ କବାଟ କଣରେ ଲୁଚେଇ ଲୁଚେଇ ଖାଆନ୍ତି ଏବଂ ପରସ୍ପରକୁ ଖୁଆନ୍ତି । ଏହା ପରେ ଆରମ୍ଭ ହୋଇଯାଏ କୁଆଁର ପୁନେଇଁ ଜହ୍ନ ଗୋ…. ଗୀତ ସାଙ୍ଗକୁ ପୁଚି ଖେଳର ଆସର ।
