ଆଜି ଭାରତୀୟ ବାୟୁସେନାର ୯୦ତମ ପ୍ରତିଷ୍ଠା ଦିବସ
ନୂଆଦିଲ୍ଲୀ : ଆଜି ବାୟୁସେନା ଦିବସ । ଆଜି ଭାରତୀୟ ବାୟୁସେନାର ୯୦ତମ ପ୍ରତିଷ୍ଠା ଦିବସ। ୧୯୩୨ ମସିହା ଆଜିର ଦିନରେ ଭାରତୀୟ ବାୟୁସେନା ସ୍ଥାପନ କରାଯାଇଥିଲା। ଏହା ପରଠାରୁ ଭାରତୀୟ ବାୟୁସେନା ଦେଶପାଇଁ ଅନେକ ସେବା କରି ଆସୁଛି। ସ୍ୱାଧୀନତା ପରେ ଭାରତୀୟ ବାୟୁସେନା ଚୀନ ଓ ପାକିସ୍ତାନ ସହ ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛି। ଭାରତୀୟ ସୀମାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ବାୟୁସେନାର ଉଦ୍ୟମ ପ୍ରଶଂସନୀୟ। ଏଥିସହ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଭାରତୀୟ ବାୟୁସେନା ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିଥାଏ।
୧୯୩୨ ମସିହା ଅକ୍ଟୋବର ୮ ତାରିଖରେ ପ୍ରତିଷ୍ଠା ହୋଇଥିଲା ଭାରତୀୟ ବାୟୁସେନା । ୟୁକେର ରୟାଲ ଏୟାର ଫୋର୍ସକୁ ସହାୟତା ଯୋଗାଇବା ପାଇଁ ତତ୍କାଳୀନ ପରାଧୀନ ଭାରତରେ ବାୟୁସେନାର ଗଠନ ହୋଇଥିଲା । ହେଲେ ଦ୍ବିତୀୟ ବିଶ୍ବଯୁଦ୍ଧରେ ଏହାର ଗୁରୁତ୍ବପୂର୍ଣ୍ଣ ଭୂମିକା ରୟାଲ ଇଣ୍ଡିଆନ ଏୟାର ଫୋର୍ସ ଭାବେ ବିଶ୍ବ ଦରବାରରେ ପରିଚିତ କରାଇଥିଲା । ୧୯୫୦ ମସିହାରେ ଯେତେବେଳେ ଦେଶ ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହେଲା, ସେହି ସମୟରେ ଏହା ଭାରତୀୟ ବାୟୁସେନା ନାମରେ ନାମିତ ହୋଇଥିଲା ।ପ୍ରଥମେ ଦିଲ୍ଲୀର ପାଲାମ ବିମାନବନ୍ଦରରେ ଦିବସ ପାଳନର ମୁଖ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା । ମାତ୍ର ୨୦୦୬ ପରଠାରୁ ଉତ୍ତରପ୍ରଦେଶ ଗାଜିଆବାଦସ୍ଥିତ ହିନ୍ଦନ ବିମାନଘାଟିରେ ତାହା ପାଳିତ ହେଉଛି ।
ଆମେରିକା, ଚୀନ ଓ ଋଷିଆ ପରେ ବିଶ୍ବର ଚତୁର୍ଥ ସର୍ବବୃହତ୍ ବାୟୁଶକ୍ତି ହେଉଛି ଭାରତୀୟ ବାୟୁସେନା ।ଭାରତୀୟ ବାୟୁସେନାରେ ସି-୧୭ ଗ୍ଲୋବେମାଷ୍ଟର ପରି ବୃହତ୍ କାର୍ଗୋ ବିମାନ ରହିଛି । ଯାହା ଭାରି ଟ୍ୟାଙ୍କ ବହନ କରିବାକୁ ସକ୍ଷମ ।ଆମ ଭାରତୀୟ ବାୟୁସେନାର ମୋଟ ‘ନଭମ ସ୍ପର୍ଶମ ଦୀପ୍ତମ’ ଅଟେ । ଯାହାର ଅର୍ଥ ଗୌରବର ସହ ଆକାଶକୁ ସ୍ପର୍ଶ କରିବା । ଭଗବତ ଗୀତାର ୧୧ତମ ଅଧ୍ୟାୟରୁ ଏହା ନିଆଯାଇଛି ।ଆମ ବାୟୁସେନାରେ ପ୍ରାୟ ୧୪୦୦୦ ଏୟାରକ୍ରାଫ୍ଟ ଏବଂ ୧, ୭୦,୦୦୦ରୁ ଅଧିକ ସୈନିକ ରହିଛନ୍ତି । ଉତ୍ତରପ୍ରଦେଶର ଗାଜିଆବାଦସ୍ଥିତ ହିନ୍ଦନ ଏୟାରଫୋର୍ସ ଷ୍ଟେସନ ଏସିଆର ସର୍ବବୃହତ ଏବଂ ବିଶ୍ବର ଅଷ୍ଟମ ବୃହତ ବିମାନ ଘାଟି ଅଟେ ।
