ସୋର ରେଳଷ୍ଟେସନରୁ ଉଦ୍ଧାର ହୋଇଥିବା ଆଦିବାସୀ ନାବାଳିକା ଚାଇଲଡ ଲାଇନକୁ ହସ୍ତାନ୍ତର
ସୋର : ସୋର ରେଳଷ୍ଟେସନ ନିକଟରୁ ଜଣେ ନାବାଳିକାକୁ ଆଦର୍ଶ ଯୁବ ପରିଷଦର ସଦସ୍ୟମାନେ ଉଦ୍ଧାର କରି ଖଇରା ଚାଇଲଡ ଲାଇନକୁ ହସ୍ତାନ୍ତର କରିଛନ୍ତି । ସୋର ବ୍ଲକ ନଟାପଡା ପଞ୍ଚାୟତ ଆମ୍ବଗଡ଼ିଆ ଗ୍ରାମର ସ୍ୱର୍ଗତ କନ୍ଦା ସିଂଙ୍କ ନାବାଳିକା ଝିଅ ମାମା (୧୧) ଗତକାଲି ବିଳମ୍ବିତ ରାତ୍ରିରେ ରେଳ ଷ୍ଟେସନରେ ଏଣେତେଣେ ବୁଲୁ ଥିବା ଦେଖି ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ନାବାଳିକାକୁ ପଚାରିବାରୁ ସେ ଘରୁ ଲୁଚି ପଳାଇ ଆସିଥିବା କଥା କହିଥିଲେ । ଯୁବକ ଜଣଙ୍କ ସଙ୍ଗେ ସଙ୍ଗେ ସ୍ୱେଛାସେବୀ ସଂଗଠନ ଆଦର୍ଶ ଯୁବ ପରିଷଦର ସହ ସମ୍ପାଦକ ସଞ୍ଜୟ ଦାସଙ୍କୁ ଜଣାଇବା ପରେ ନାବାଳିକାଙ୍କୁ ନେଇ ନିଜ ଘରେ ରଖିଥିଲେ । ଆଜି ସକାଳେ ପରିଷଦର ସଦସ୍ୟମାନେ ଖଇରା ଚାଇଲଡ ଲାଇନକୁ ଯୋଗାଯୋଗ କରିବା ସହିତ ଥାନାରେ ଜଣାଇଥିଲେ । ଖଇରା ଚାଇଲଡ ଲାଇନର ସଦସ୍ୟା ତପସ୍ୱିନୀ ରାଉତ ସୋରର ସଂପୃକ୍ତ ଯୁବକଙ୍କ ଘରକୁ ଯାଇ ନାବାଳିକାଙ୍କୁ ଉଦ୍ଧାର କରି ସୋର ଥାନାକୁ ଆଣିଥିଲେ । ଥାନାରେ ଏକ ଲିଖିତ ଅଭିଯୋଗ ପ୍ରଦାନ କରିବା ପରେ ଚାଇଲଡ ଲାଇନର ସଦସ୍ୟା ଶ୍ରୀମତୀ ରାଉତ ନାବାଳିକାଙ୍କୁ ବାଲେଶ୍ୱର ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି । ନାବାଳିକା ଜଣକଙ୍କର ବାପା ମୃତ୍ୟୁବରଣ କରିଥିବା ବେଳେ ମା ପିଲାଙ୍କୁ ଛାଡି କୁଆଡେ ଚାଲି ଯାଇଛନ୍ତି । ତାଙ୍କ ସମ୍ପର୍କୀୟ ଭାଇ ତାଙ୍କ ଭଲମନ୍ଦ ବୁଝୁ ନଥିବାରୁ ନାବାଳିକା ଜଣଙ୍କ ଘରୁ ଲୁଚି ପଳାଇ ଆସିଥିବା କଥା କହିଛନ୍ତି । ପରିଷଦର ସଦସ୍ୟ ବସନ୍ତ ଦଳେଇ, ମମତା ଦଳେଇ, ପୃଥିବୀ ବେହେରା, ବସନ୍ତ ରାଉତ, ପରେଶ ଦାସ, ଚନ୍ଦ୍ରକାନ୍ତ ଧଡ଼ା, ଭବାନୀ ବିଶ୍ୱାଳ, ସଞ୍ଜୟ ନାୟକ, ମନ୍ମଥ ଜେନା ପ୍ରମୁଖ ନାବାଳିକାକୁ ଚାଇଲଡ ଲାଇନକୁ ହସ୍ତାନ୍ତର ବେଳେ ଉପସ୍ଥିତ ଥିଲେ ।
