ନିମାପଡ଼ାର ଶହେଟି ସ୍ଥାନରେ ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ମନ୍ତ୍ରୀଙ୍କ କୁଶପୁତଳିକା ଦାହ କରିବେ
ପୁରୀ : ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ପ୍ରତି ଦିନକୁ ଦିନ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହେଉଛି । ପୁରୀଜିଲ୍ଲା ଗୋପ ବ୍ଳକ ଅର୍ନ୍ତଗତ ୧୧ ନମ୍ବର ଜିଲ୍ଲାପରିଷଦ ସଭ୍ୟ ମୃତ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଘଟଣା ଏବେ ରାଜ୍ୟରେ ଚହଳ ସୃଷ୍ଟି କରିଛି । ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ରାଜ୍ୟ ଉପସଭାନେତ୍ରୀ ପ୍ରଭାତି ପରିଡ଼ା ଏହି ଘଟଣାକୁ ନେଇ ରଣହୁଙ୍କାର ଦେଇଛନ୍ତି । ଆଜି ପୁରୀରେ ଜିଲ୍ଲାପାଳଙ୍କୁ ଭେଟିବା ପରେ ସାମ୍ବାଦିକ ସମ୍ମିଳନୀରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମନ୍ତ୍ରୀଙ୍କ ବିରୋଧରେ ପ୍ରତିବାଦ ଗର୍ଜନ କରିଛନ୍ତି । ମନ୍ତ୍ରୀଙ୍କୁ ପଦୁର ନହଟାଇବା ପର୍ଯ୍ୟନ୍ତ ଖାଲି ନିମାପଡ଼ା ନୁହେଁ ସାରା ରାଜ୍ୟରେ ମହିଳାମାନେ ଏହି ଘଟଣାକୁ ନେଇ ପ୍ରତିବାଦ କରିବେ । ନିମାପଡ଼ାରେ ଆସନ୍ତା କାଲି ବିଜେଡ଼ି ପକ୍ଷରୁ ସ୍ୱଂୟ ସହାୟକ ଗୋଷ୍ଠୀମାନଙ୍କୁ ଦଳୀୟ ଚିହ୍ନ ସହ ଶାଢୀ ବଟଂନ କରାଯାଇ ସମାବେଶକୁ ୩୦ ହଜାର ମହିଳା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହାକୁ ଏନକାଉଂଟର ଭାବେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଶହେଟି ସ୍ଥାନରେ ମନ୍ତ୍ରୀଙ୍କ କୁଶପୁତଳିକା ଦାହ କରାଯିବ ବୋଲି ରାଜ୍ୟ ସଭାନେତ୍ରୀ ସ୍କୃତି ପଟ୍ଟନାୟକ ସମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି । ସ୍ୱର୍ଗତ ଧର୍ମେନ୍ଦ୍ର ସାହୁ ମରିବା ପୂର୍ବରୁ ମୃତକାଳୀନ ଜମାନବନ୍ଦୀ ଭାବେ ଯେଉଁ ବୟାନ ସମ୍ବାଦିକ ଅକ୍ଷୟ ନାୟକଙ୍କୁ ଦେଇଛନ୍ତି ତା ଉପରେ ପୋଲିସ ତର୍ଜମା କରିବା ଆବଶ୍ୟକ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି । ଏହି ଘଟଣାକୁ ଚାପିଦେବା ପାଇଁ ମନ୍ତ୍ରୀ ଯେଉଁ ଷଡ଼ଯନ୍ତ୍ର କରିଛନ୍ତି ତାକୁ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଖୋଲାସା କରାଯିବା ପାଇଁ ଦାବି ହୋଇଛି । ବର୍ତମାନ ସୁଦ୍ଧା ବିନ୍ଦାସ ଚିନୁ ପାଖରେ ପୋଲିସ ପହଞ୍ଛି ପାରିନାହିଁ । ଏଥିରେ ସଂପୃକ୍ତି ଥିବା ଠିକାଦାର ଟୁନାଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିନାହିଁ । ଏହି ଘଟଣାକୁ ଅତି ସତର୍କତା ଭାବେ ଚପାଇଦେବା ପାଇଁ ଷଡ଼ଯନ୍ତ୍ର କରାଯାଉଛି ବୋଲି ବିଜେପି ଦାବି କରିଛି । ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଜିଲ୍ଲା ସଭାପତି ପ୍ରଭଞ୍ଜନ ମହାପାତ୍ର, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଜିଲ୍ଲା ସଭାନେତ୍ରୀ ଜ୍ୟୋତି ମହାପାତ୍ର, ସୁବାସିନୀ ପୃଷ୍ଟି, ଅନିତା ଶୁଭଦର୍ଶନୀ, ଐଶର୍ଯ୍ୟା ବିଶ୍ୱାଳଙ୍କ ସହ ଅନେକ ନେତ୍ରୀ ଯୋଗ ଦେଇଥିଲେ ।
