ଫିଫା ବିଶ୍ବକପ୍ ପରେ ଅବସର ନେବେ ମେସି
ବୁଏନସ୍ ଏୟର୍ସ : ଫୁଟ୍ବଲ୍ ଦୁନିଆର ମହାନ ଖେଳାଳି ତଥା ଆର୍ଜେଣ୍ଟିନା ଅଧିନାୟକ ଲିଓନେଲ ମେସି ଚଳିତବର୍ଷ କାତାରରେ ଅନୁଷ୍ଠିତ ହେବାକୁ ଥିବା ଫିଫିା ବିଶ୍ବକପ୍-୨୦୨୨ ପରେ ଅବସର ନେବେ।
ଆର୍ଜେଣ୍ଟିନା ଅଧିନାୟକ ଲିଓନେଲ ମେସିଙ୍କୁ ବର୍ତ୍ତମାନ ୩୫ ବର୍ଷ । ପରବର୍ତ୍ତୀ ବିଶ୍ୱକପ (୨୦୨୬) ବେଳକୁ ତାଙ୍କୁ ୩୯ ବର୍ଷ ହୋଇଥିବ।ପ୍ରଥମ ଥର ପାଇଁ ମେସି ତାଙ୍କ ଫୁଟବଲ୍ ଭବିଷ୍ୟତ ଉପରେ ଆଲୋଚନା କରିଛନ୍ତି। ତେବେ ବିଶ୍ବକପ୍ ୨୦୨୨ ପରେ ସେ ଫୁଟବଲରୁ ଅବସର ନେବେ କି ନାହିଁ ତାହା ସ୍ପଷ୍ଟ କରି ନାହାଁନ୍ତି। ମେସିଙ୍କ ଅଧିନାୟକତ୍ୱରେ ଆର୍ଜେଣ୍ଟିନା ଦଳ କ୍ରମାଗତ ୩୫ଟି ମ୍ୟାଚ୍ ଜିତିଛି। ଆର୍ଜେଣ୍ଟିନା ୨୦୨୧ କୋପା ଆମେରିକାର ଫାଇନାଲରେ ବ୍ରାଜିଲକୁ ପରାସ୍ତ କରି ଚାମ୍ପିୟନ ହୋଇଥିଲା।
୨୦୦୭ ମସିହାରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ମେସି ଅଦ୍ୟାବଧି ମୋଟ ୧୬୪ ମ୍ୟାଚ୍ ଖେଳିଛନ୍ତି। ନିଜ କ୍ୟାରିୟରରେ ମେସି ପ୍ରାୟ ସବୁ ଟ୍ରଫି ଜିତିଛନ୍ତି । ତେବେ ଏଯାବତ୍ ବିଶ୍ବକପ୍ ଟାଇଟଲ୍ ତାଙ୍କ ଭାଗ୍ୟରେ ଜୁଟି ନାହିଁ । ସେ ଏଯାବତ ୪ଟି ବିଶ୍ବକପ୍ ରେ ଖେଳିଥିଲେ ମଧ୍ୟ ଚାମ୍ପିୟନ ମୁକୁଟ ପିନ୍ଧିବାରେ ବିଫଳ ହୋଇଛନ୍ତି । ବିଶ୍ୱକପର କାତାର ସଂସ୍କରଣରେ ମେସି ତାଙ୍କର ଏହି ଅବଶୋଷ ପୂରଣ କରିବାକୁ ଶେଷ ସୁଯୋଗ ପାଇବେ।
ଏକ ସାକ୍ଷାତକାରରେ ଲିଓନେଲ ମେସି କହିଛନ୍ତି ଯେ ୨୦୨୨ ସଂସ୍କରଣ ମୋର ଶେଷ ବିଶ୍ୱକପ ହେବ। ମୁଁ ଶାରୀରିକ ଭାବେ ଠିକ୍ ଅନୁଭବ କରୁଛି । ମୁଁ ଚଳିତ ବର୍ଷ ପ୍ରି-ସିଜନରେ ବହୁତ ଭଲ କରିଛି ଯାହା ମୁଁ ଗତ ବର୍ଷ କରିପାରି ନଥିଲି । ମାନସିକ ସ୍ଥିତି ଏବଂ ଆତ୍ମବିଶ୍ବାସ ମାମଲାରେ ମୁଁ କେଉଁଠାରେ ଅଛି ତାହା ଜାଣିବା ଜରୁରୀ ଥିଲା । ସେହିପରି ବିଶ୍ୱକପ ଉପରେ ମେସି କହିଛନ୍ତି, ବିଶ୍ୱକପରେ ସବୁକିଛି ସମ୍ଭବ । ସବୁ ମ୍ୟାଚ୍ ବେଶ୍ କଷ୍ଟକର । ଫେଭରିଟ୍ ଭାବେ ବିବେଚିତ ଦଳ ହିଁ ବିଶ୍ବକପ୍ ଜିତିବ ବୋଲି କିଛି ଗ୍ୟାରେଣ୍ଟି ନାହିଁ । ଆମେ ଫେଭରିଟ୍ କି ନା ମୁଁ ଜାଣେନି କିନ୍ତୁ ଏହାର ଇତିହାସ ଯୋଗୁଁ ଆର୍ଜେଣ୍ଟିନା ସର୍ବଦା ଏକ ଟାଇଟଲ ଦାବିଦାର ହୋଇଆସୁଛି ।
ସୂଚାନା ଯେ, ୩୨ ଦେଶକୁ ନେଇ ଫିଫା ବିଶ୍ବକପ୍ ଚଳିତ ବର୍ଷ ନଭେମ୍ବର ୨୦ରୁ ଡିସେମ୍ବର ୧୮ ତାରିଖ ଯାଏଁ କାତାରର ୫ ସହର ୮ ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବ।
