ରାଷ୍ଟ୍ରପତିଙ୍କୁ ନେଇ କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ, ମହିଳା କିମଶନ ଜାରି କଲା ନୋଟିସ୍
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ବିବାଦୀୟ ବୟାନ ଦେଇ ହରଡଘଣାରେ କଂଗ୍ରେସ ନେତା ଉଦିତ ରାଜ। ଗୁରୁବାର କଂଗ୍ରେସ ନେତାଙ୍କ ବିରୋଧରେ ଜାତୀୟ ମହିଳା କମିଶନ ନୋଟିସ ଜାରି କରିଛି। ନିଜ ବୟାନ ଉପରେ ସ୍ପଷ୍ଟୀକରଣ ରଖିବା ସହ କ୍ଷମା ମାଗିବାକୁ କମିଶନ କହିଛି। ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମା ଟ୍ୱିଟ କରି କଂଗ୍ରେସ ନେତା ଉଦିତଙ୍କ ବୟାନକୁ ନିନ୍ଦା କରିବା ସହ ତାଙ୍କୁ କାରଣ ଦର୍ଶାଅ ନୋଟିସ ପଠା ଯାଇଥିବା ସୂଚନା ଦେଇଛନ୍ତି।
ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମା ଗୁରୁବାର ମଧ୍ୟାହ୍ନରେ ଟ୍ୱିଟ କରି କହିଛନ୍ତି ଯେ, ଜଣେ ମହିଳା କୋଠର ପରିଶ୍ରମ କରି ଦେଶର ସର୍ବୋଚ୍ଚ ପଦବୀରେ ପହଞ୍ଚିଛନ୍ତି। ତାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଗ୍ରହଣୀୟ ନୁହେଁ। ଉଦିତ ରାଜ ତାଙ୍କୁ ନେଇ ଦେଇଥିବା ଆପତ୍ତିଜନକ ଓ ଅପମାନ ସୂଚକ ଟିପ୍ପଣୀ ପାଇଁ କ୍ଷମା ମାଗନ୍ତୁ। ତାଙ୍କୁ ମହିଳା କମିଶନ ପକ୍ଷରୁ କାରଣ ଦର୍ଶାଅ ନୋଟିସ ମଧ୍ୟ ପଠାଯାଇଛି। କେବଳ ମହିଳା କମିଶନ ନୁହଁ ବିଜେପି ମଧ୍ୟ କଂଗ୍ରେସ ନେତା ଉଦିତ ରାଜଙ୍କ ଉପରେ ବର୍ଷିଛି। କଂଗ୍ରେସ ବାରମ୍ବାର ରାଷ୍ଟ୍ରପତିଙ୍କୁ ଟାର୍ଗେଟ କରୁଛି ବୋଲି ଶାସକ ଦଳ ଅଭିଯୋଗ କରିଛି।
ବିଜେପିର ଜାତୀୟ ପ୍ରବକ୍ତ ସେହଜାଦ ପୁନାୱାଲା କହିଛନ୍ତି ଯେ, କଂଗ୍ରେସ ନେତାମାନେ ବାରମ୍ବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଟାର୍ଗେଟ କରୁଛନ୍ତି। ଅଜୟ କୁମାର ରାଷ୍ଟ୍ରପତିଙ୍କୁ ରାକ୍ଷସ ବୋଲି କହିଥିଲେ, ତାପରେ ଅଧିରଞ୍ଜନ ଚୌଧୁରୀ ତାଙ୍କୁ ରାଷ୍ଟ୍ରପତ୍ନୀ ବୋଲି ସମ୍ବୋଧନ କରିଥିଲେ। ଆଉ ଏବେ ଉଦିତ ରାଜ ଆପତ୍ତିଜନକ ମନ୍ତବ୍ୟ ଦେଇ ଦେଶର ପ୍ରଥମ ନାଗରିକଙ୍କୁ ଅପମାନ କରିଛନ୍ତି। ଉଦିତ ରାଜ ଜଣେ ଅଭ୍ୟାସଗତ ସମାଲୋଚକ। ସେ ଦିନେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମୁକ ବଧିର ବୋଲି କହିଥିଲେ। ଏହେ ରାଷ୍ଟ୍ରପତି ମୁର୍ମୁଙ୍କୁ ଚାମଚା ବୋଲି କହିଛନ୍ତି। ମହିଳା କମିଶନ ନୋଟିସ ଜାରି କରିଛନ୍ତି କିନ୍ତୁ ବର୍ତ୍ତମାନ ସୁଦ୍ଧା କଂଗ୍ରେସ ଏହି ମାମଲାରେ କୌଣସି ବୟାନ ଦେଇନାହିଁ।
ଉଦିତ ରାଜ, ଅସଙ୍ଗଠିତ ଶ୍ରମିକ ଓ କର୍ମଚାରୀ କଂଗ୍ରେସର ଅଧକ୍ଷ ଅଛନ୍ତି। ସେ ବୁଧବାର ଟ୍ୱିଟ କରି କହିଥିଲେ, “ଦ୍ରୌପଦୀ ମୁର୍ମୁ ଜୀ ପରି ରାଷ୍ଟ୍ରପତି ଦେଶକୁ ନ ମିଳୁ। ଚାମଚାଗିରିର ମଧ୍ୟ ଗୋଟିଏ ସୀମା ଅଛି। ସେ କହୁଛନ୍ତି ଯେ ଦେଶର ୭୦% ଲୋକ ଗୁଜୁରାଟର ଲୁଣ ଖାଉଛନ୍ତି। ନିଜେ ଲୁଣ ଖାଇ ବଞ୍ଚିଲେ ତ ଜଣା ପଡିବ।” ଲୋକଙ୍କ ସମାଲୋଚନା ପରେ କଂଗ୍ରେସ ନେତାଙ୍କ ଆଉ ଏକ ଟ୍ୱିଟ ସାମନାକୁ ଆସିଛି। ଯେଉଁଥିରେ ସେ ଲେଖିଛନ୍ତି, “ମୋର ବୟାନ ନଜସ୍ୱ, ଏଥିରେ କଂଗ୍ରେସର କୌଣସି ସମ୍ପର୍କ ନାହିଁ। ମୁର୍ମୁ ଜୀଙ୍କୁ ପ୍ରାର୍ଥୀ କରି ଆଦିବାସୀ ନାମରେ ଭୋଟ ମଗାଗଲା। ରାଷ୍ଟ୍ରପତି ହେଲା ପରେ ସେ କଣ ଆଦିବାସୀ ନୁହନ୍ତି? ସେ ଦେଶର ରାଷ୍ଟ୍ରପତି ହେବା ସହ ଆଦିବାସୀଙ୍କ ପ୍ରତିନିଧି ମଧ୍ୟ। ଦୁଃଖ ସେତେବେଳେ ଲାଗୁଛି, ଯେତେବେଳେ ଆଦିବାସୀ/ହରିଜନ ନାମରେ ପଦ ପାଇବା ପରେ ଲୋକ ନିରବ ରହିଯାଆନ୍ତି।”
ସେ ପୁଣି କହିଛନ୍ତି, “ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭାବେ ସମ୍ପୂର୍ଣ୍ଣ ସମ୍ମାନ ଜଣାଉଛି। ସେ ଦଳିତ ଓ ଆଦିବାସୀଙ୍କର ପ୍ରତିନିଧି। ତେଣୁ ନିଜ ଭାଗର ପ୍ରଶ୍ନ କରିବା ତାଙ୍କର ଅଧିକାର। ଏହାକୁ ରାଷ୍ଟ୍ରପତି ପଦ ସହ ଯୋଡା ନ ଯାଉ। ଦ୍ରୌପଦୀ ମୁର୍ମୁଙ୍କୁ ଯଦି ଦୁବେ, ତିୱାରୀ, ଅଗ୍ରୱାଲ, ଗୋୟଲ ମୋ ଭଳି ପ୍ରଶ୍ନ କରିଥିଲେ ପଦର ଗାରମା ନଷ୍ଟ ହୋଇଥାନ୍ତା। ଆମେ ଦଳିତ-ଆଦିବାସୀ ସମାଲୋଚନା କରିବୁ ଆଉ ତାଙ୍କ ପାଇଁ ଲଢିବୁ। ଆମ ପ୍ରତିନିଧି ହୋଇ ଗଲା ପରେ ମୁକ ବଧିର ହୋଇଯାଆନ୍ତି। ବିଜେପି ମୋର ସମ୍ମାନ କଲା, ଯେତେବେଳେ ଆଦିବାସୀ/ହରିଜନଙ୍କ କଥା କହିଲି ତ ଖରାପ ହୋଇଗଲି।”
