କୁଲୁ ଦଶହରା ମହୋତ୍ସବରେ ଯୋଗଦେବାରେ ନରେନ୍ଦ୍ର ମୋଦି ପ୍ରଥମ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ହିମାଚଳ ପ୍ରଦେଶ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଶହରା ରଥଯାତ୍ରାରେ ସାମିଲ ହୋଇଥିଲେ। ଏହି ସମୟରେ କହିଥିଲେ କି କୁଲ୍ଲୁରେ ମୋର ସୌଭାଗ୍ୟ ଯେ ମୋତେ ଏହି ଐତିହାସିକ ରଥଯାତ୍ରାରେ ସାମିଲ ହେବାର ସୁଯୋଗ ମିଳିଥିଲା। ହିମାଚଳ ପ୍ରଦେଶ ଗସ୍ତରେ ଆସିବା ବେଳେ ଆନ୍ତର୍ଜାତୀୟ କୁଲୁ ଦଶହରା ମହୋତ୍ସବରେ ଯୋଗ ଦେବାରେ ନରେନ୍ଦ୍ର ମୋଦି ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ପାରମ୍ପାରିକ ହିମାଚଳ ଟୋପି ଏବଂ ହଳଦିଆ କୁର୍ତ୍ତା ପିନ୍ଧି ପ୍ରଧାନମନ୍ତ୍ରୀ ମୋଦୀ ଭଗବାନ ରଘୁନାଥଙ୍କୁ ପ୍ରଣାମ କରି ଆଶୀର୍ବାଦ ଲୋଡିଥିଲେ। ସେ ପ୍ରଧାନ ଦେବତାଙ୍କ ରଥ ଉପରକୁ ଯିବାବେଳେ ପ୍ରଧାନମନ୍ତ୍ରୀଙ୍କ ଝଲକ ଦେଖିବାକୁ ହଜାର ହଜାର ଭକ୍ତ ଏକତ୍ରୀତ ହୋଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ହିମାଚଳ ପ୍ରଦେଶରେ ନିର୍ବାଚନ ବିଗୁଲ ଫୁଙ୍କିଛନ୍ତି। ଏହା ସହ ବିଜେପି ସରକାର କେବଳ ମୂଳଦୁଆ ପକାଇବ ନାହିଁ ବରଂ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ହିମାଚଳ ପ୍ରଦେଶର ବିଲାସପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏମ୍ସର ଉଦଘାଟନ କରିବା ସହିତ ସେ ହିମାଚଳ ପ୍ରଦେଶକୁ ୩୬୫୦କୋଟି ଟଙ୍କା ମୂଲ୍ୟର ବିକାଶମୂଳକ ପ୍ରକଳ୍ପ ମଧ୍ୟ ଉପହାର ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ବିଲାସପୁରର ଲୁହଣୁ ମଇଦାନରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି କହିଛନ୍ତି ଯେ, ହିମାଚଳ ପ୍ରଦେଶ ହେଉଛି ବୀରମାନଙ୍କ ରାଜ୍ୟ। ମୁଁ ହିମାଚଳର ରୁଟି ଖାଇଛି, ତେଣୁ ମୋତେ ମଧ୍ୟ ଏହି ରାଜ୍ୟର ଋଣ ପରିଶୋଧ କରିବାକୁ ହେବ।
ଚଳିତ ବର୍ଷ ଶେଷରେ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ରାଜ୍ୟର ପୂର୍ବ କଂଗ୍ରେସ ନେତୃତ୍ୱାଧୀନ ସରକାରଙ୍କୁ ସମାଲୋଚନା କରିଥିଲେ। ସେ କହିଥିଲେ ଯେ ନିର୍ବାଚନ ଶେଷ ହେବା ପରେ ସେମାନେ କେବଳ ମୂଳଦୁଆ ପକାଇଲେ ଏବଂ ପ୍ରକୃତ ପ୍ରକଳ୍ପ ବିଷୟରେ ଭୁଲିଗଲେ। ୨୦୧୪ରେ ହିମାଚଳ ପ୍ରଦେଶରେ କେବଳ ତିନୋଟି ମେଡିକାଲ କଲେଜ ଥିଲା। ଗତ ୮ବର୍ଷ ମଧ୍ୟରେ ଆହୁରି ୮ଟି ମେଡିକାଲ କଲେଜ ଏବଂ ଏମ୍ସ ନିର୍ମାଣ କରାଯାଇଛି। ତେବେ ସାଧାରଣ ସଭାକୁ ସମ୍ବୋଧିତ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୁଲୁ ଅଭିମୁଖେ ଯାଇ ଦଶହରା ରଥ ଯାତ୍ରାରେ ଭାଗ ନେଇଥିଲେ ବୋଲି ଜଣାପଡ଼ିଛି।
