ବିଶ୍ୱ ବୟସ୍କ ଦିବସ! ବୃଦ୍ଧାବସ୍ଥା କ’ଣ? କେଉଁସବୁ ମାନସିକ ସମସ୍ୟା ଦେଖାଯାଏ, ଏହାର କାରଣ ଓ ଚିକିତ୍ସା
ଦିନେ ପାର୍କରେ ବୁଲୁ ବୁଲୁ ଦେଖିଲି କେତେଜଣ ବୟସ୍କ ଲୋକ ଗୋଟିଏ ଜାଗାରେ ଏକାଠି ବସି କଥାବାର୍ତ୍ତା କରୁଛନ୍ତି । କିଏ ମଜା ଗପ କହୁଛି ତ କିଏ ଆଧ୍ୟାତ୍ମିକ କଥା କହୁଛି । ଅନେକେ ସେମାନଙ୍କ ନିଜ ନିଜ ସମସ୍ୟା କଥା କହୁଛନ୍ତି । ମତେ ଟିକେ ବୟସ୍କ ଲୋକଙ୍କ କଥା ଶୁଣିବାକୁ ଭଲ ଲାଗେ । ମୁଁ ସେମାନଙ୍କ ପାଖରେ ବସିପଡ଼ିଲି । ଏହି ସମୟରେ ଆଉ ଜଣେ ଦୁଇଜଣ ଲୋକ ଗରମ ଗରମ ସିଙ୍ଗଡା, ବରା ଧରି ପହଞ୍ôଚଗଲେ ଓ ସମସ୍ତଙ୍କ ହାତକୁ ଗୋଟିଏ ବରା ଓ ଗୋଟିଏ ସିଙ୍ଗଡ଼ା ବଢ଼ାଇଦେଲେ । ମତେ ବି ଦୁଇଟା ବରା ଦେଲେ । ଗପଟା ଆହୁରି ଜମିଗଲା ।
ଜଣେ କହିଲେ ଓଃ ଘରେ ଏଗୁଡ଼ାକ ମିଳୁନି । କିଏ କହୁଛି ଦେହ ଖରାପ ହେବ, କିଏ କହୁଛି ପେଟ ଖରାପ ହେବ । ଖାଲି ଚୁଡ଼ା, ଛତୁଆ, ବୁଟ ଓ କଦଳୀ ଖାଇବାକୁ ମିଳୁଛି । ଏତିକି ବେଳେ ରାମବାବୁ, ହରିବାବୁଙ୍କୁ ପଚାରିଲେ ଆଉ ତୁମ ଖବର କ\’ଣ? ରିଟାୟାର୍ଡ଼ ପରେ କିପରି ଅଛନ୍ତି? ହରିବାବୁ କହିଲେ କେମିତି ଆଉ ଅଛି? ଅଫିସ୍ ବନ୍ଦ ପରେ ସମୟ କଟୁନି । କେତେ ଆଉ ଘରେ ବସିବି? ପଇସା ବି କମିଗଲା, ଖର୍ଚ୍ଚ ଜଗି ରଖି କରିବାକୁ ପଡ଼ୁଛି । ମୋ\’ ସ୍ତ୍ରୀ ଖାଲି ଚିଡ଼ି ଚିଡ଼ି ହେଉଛି । ପିଲାଗୁଡ଼ାକ କିଛି କରୁ ନାହାନ୍ତି । ଝିଅଟା ବାହା ହୋଇନି । ପିଲାମାନେ ବାହାରକୁ ଗଲେ ଛାନିଆ ହେଉଛି । ବାରମ୍ବାର ଫୋନ କରି ସେମାନେ କେଉଁଠି ଅଛନ୍ତି ବୋଲି ପଚାରୁଛି । ପିଲାମାନେ ବି ଚିଡ଼ିଗଲେଣି । ଏସବୁ ଚିନ୍ତା କରି କରି ରାତିରେ ନିଦ ହେଉନି । ମନ ଭଲ ଲାଗୁନି । ବିଶେଷ କିଛି କାମ କରିବାକୁ ମନ ହେଉନି । ମାନ୍ଦା ମାନ୍ଦା ଲାଗୁଛି । ମୁଣ୍ଡଟା ଓଜନିଆ ଲାଗୁଛି । କିଛି ଭଲ ଲାଗୁନି ।
ହରିବାବୁ ରାମବାବୁଙ୍କୁ ପଚାରିଲେ ଆପଣଙ୍କ ଖବର କ\’ଣ? କେମିତି ଅଛନ୍ତି? ରାମବାବୁ କହିଲେ ତୁମର ତ ସମସ୍ତେ ପାଖରେ ଥାଇ ତୁମକୁ ଭଲ ଲାଗୁନି । ଆମେ ତ ବୁଢ଼ାବୁଢ଼ୀ ଦୁଇଜଣ । ବଡ଼ପୁଅ ଦିଲ୍ଲୀରେ । ସାନପୁଅ ଆମେରିକାରେ, ଆଉ ଝିଅ ବାଙ୍ଗାଲୋରରେ । ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ । ବାପା, ମା\’ଙ୍କ କଥା ପଚାରେ କିଏ? କାହାକୁ ସମୟ ନାହିଁ ତ କାହା ପାଖରେ ଟଙ୍କା କମ୍ ଅଛି । ବାପା, ମାଙ୍କୁ ଦେବାକୁ ଅଣ୍ଟୁନି । ତୁମେ ତ ଜାଣିଛ ବୟସ ହୋଇଗଲେ କାହାକୁ ବ୍ଲଡ଼ପ୍ରେସର, କାହାକୁ ଡାଇବେଟିସ୍, କାହାର ହାର୍ଟ ପ୍ରୋବଲେମ୍ । ଏସବୁଥିରୁ ଆମେ ଦୁଇଜଣ ବାଦ ଯିବୁ କିପରି? ଦୁଇଜଣଙ୍କର ଔଷଧ ଖର୍ଚ୍ଚ ମାସକୁ ଚାରି ପାଞ୍ଚ ହଜାରରୁ କମ୍ ନୁହେଁ । ଆଉ ଚା\’ପାନ ଖର୍ଚ୍ଚ କଥା ତୁମେ ଜାଣ । ସବୁ ତ କିଣୁଛୁ । ପେନ୍ସନ ପଇସାରେ କ\’ଣ ଚଳି ହେଉଛି? ତେଣେ ମୋ ସ୍ତ୍ରୀର ଆଣ୍ଠୁଗଣ୍ଠି ବାତ ଯେ ସବୁଦିନ ରୋଗୀ । ପିଲାଙ୍କ ପାଖକୁ ଯାଇପାରୁନୁ । ପିଲାମାନେ ଆସୁ ନାହାନ୍ତି । ମଝିରେ ମଝିରେ ଫୋନ୍ କରି ଆମ ସମସ୍ୟା ଶୁଣିବା ପୂର୍ବରୁ ତାଙ୍କ ସମସ୍ୟା କହି ଚାଲୁଛନ୍ତି । ବୁଝି ବିଚାରୀ ସବୁ ଶୁଣି ମନ ଦୁଃଖ କରୁଛି । କାନ୍ଦୁଛି । ନିଜେ ନିଜ କାମ କିଛି କରିବାକୁ ଇଛା କରୁନି । ଯାହା ନେଲେ ଠିକ୍ ଭାବେ ଖାଉନି । କହୁଛି କିଛି ସ୍ୱାଦ କେଉଁଥିରେ ନାହିଁ । ସବୁବେଳେ କହୁଛି ମୋ ମୁଣ୍ଡ ବିନ୍ଧୁଛି, ଗୋଡ ବିନ୍ଧୁଛି । ଆଜିକାଲି ତା\’ର ସ୍ମରଣଶକ୍ତି କମିଗଲାଣି । କେଉଁଠି ଚାବି ଓ ଟଙ୍କା ରଖୁଛି ଭୁଲିଯାଉଛି । ସେତେବେଳେ ମୋର ବରାଖିଆ ସରି ମୁଁ ଦୁଇ ମଉସାଙ୍କ କଥାକୁ ଧ୍ୟାନ ଦେଇ ଶୁଣୁଥିଲି । ମୁଁ ସେମାନଙ୍କୁ କହିଲି, ମଉସା ଏପରି ଲକ୍ଷଣ ପ୍ରାୟତଃ ପରିବେଶ ଓ ପରିସ୍ଥିତିରେ ପଡ଼ି ଲୋକମାନେ ଏମିତି ଅନୁଭବ କରନ୍ତି । ଏଥିପାଇଁ ଏବେ ଅନେକ ପ୍ରକାର ଔଷଧ ବାହାରିଲାଣି । ବୟସ ହେଲେ ମାନସିକ ଚାପ ଟିକେ ଅଧିକ ପଡ଼େ । ବିଭିନ୍ନ ପ୍ରକାର ମାନସିକ ସମସ୍ୟା ବାହାରେ । ମଉସା ପୁଣି ପଚାରିଲେ, ତେବେ କହିଲ ବୃଦ୍ଧାବସ୍ଥା କ\’ଣ? କେଉଁସବୁ ମାନସିକ ସମସ୍ୟା ଦେଖାଯାଏ? କାରଣ କ\’ଣ? ଏହାର ଚିକିତ୍ସା ଅଛି?
ବୃଦ୍ଧାବସ୍ଥା କ’ଣ? :
ମଣିଷ ଯେତେବେଳେ ତାର ଜୀବନର ହାରାହାରି ବୟସକୁ ଅତିକ୍ରମ କରିଥାଏ ବା ଜୀବନଚକ୍ରର ଶେଷ ଅବସ୍ଥାରେ ପହଞ୍ôଚଥାଏ, ତାହାକୁ ବୃଦ୍ଧାବସ୍ଥା କୁହାଯାଏ । ମଧ୍ୟବୟସ୍କ ଲୋକଟି କେତେବେଳେ ବୃଦ୍ଧ ହେଲା, ତାହା ସବୁ ସମାଜରେ ସମାନ ନୁହେଁ । କେତେକ ସମାଜରେ ଲୋକଟି ନିଜ କାର୍ଯ୍ୟରୁ ଅବସର ନେଲେ, ଆଉ କେତେକ ସମାଜରେ ନାତିନାତୁଣୀ ଜନ୍ମ ହେଲେ ବୃଦ୍ଧ ବୋଲି ଧରାଯାଏ । ଅଟୋ ଭନ୍ ବିସ୍ମାର୍କ ପ୍ରଥମେ ସାମାଜିକ ସୁରକ୍ଷା ପାଇଁ ୬୦ବର୍ଷ ବୟସ୍କଙ୍କୁ ଅବସର ନେବାର ସମୟ ବୋଲି ଘୋଷଣା କରିଥିଲେ । ପାରମ୍ପରିକ ଭାବେ ପ୍ରାୟ ସବୁ ସମାଜରେ ଏହାକୁ ଗ୍ରହଣ କରାଯାଏ ।
ମାନସିକ ଦୃଷ୍ଟିକୋଣରୁ ବୃଦ୍ଧାବସ୍ଥା :
ଏରିକ୍ ଏରିକ୍ସନଙ୍କ ଅନୁସାରେ ମଣିଷ ଜୀବନର ୮ଟି ପର୍ଯ୍ୟାୟରୁ ବୃଦ୍ଧାବସ୍ଥା ହେଉଛି ଶେଷ ସମୟ । ଯାହା ମଣିଷଟିକୁ ସଂପୂର୍ଣ୍ଣ କରେ । ଏହି ସମୟରେ ଲୋକଟି ନିଜ ଜୀବନକୁ ବିଶ୍ଲେଷଣ କରେ । ଯିଏ ନିଜ ଜୀବନକୁ ସଫଳତା ପ୍ରାପ୍ତି ଭାବେ ସେ ଗର୍ବିତ ଅନୁଭବ କରେ । ଅନ୍ୟମାନେ ଅସାଫଲ୍ୟ ଭାବି ପରିତ୍ୟକ୍ତ ଅନୁଭବ କରନ୍ତି ।
ମାନସିକ ବିଷାଦ :
ଏହା ମୁଖ୍ୟ ସମସ୍ୟା ଅଟେ । ଏଥିରେ ଲୋକଟିର ମନ ଦୁଃଖ ରହେ, ନିଦ ଓ ଭୋକ ରୁହେ ନାହିଁ । ନିଜ ଶରୀର ବିଷୟରେ ଅତ୍ୟଧିକ ଚିନ୍ତା କରେ ଓ ଆତ୍ମହତ୍ୟାର ଭାବନା ମଧ୍ୟ ଆସିପାରେ । ବେଳେବେଳେ ମନଦୁଃଖ ଅଛି ବୋଲି ବୃଦ୍ଧାବସ୍ଥାରେ ଲୋକମାନେ ମାନନ୍ତି ନାହିଁ, ମାତ୍ର ନାନା ଶାରୀରିକ ରୋଗ ହୋଇଛି ବୋଲି କୁହନ୍ତି ।
ଅତ୍ୟଧିକ ଛାନିଆ ହେବା :
ଏହା ପ୍ରାୟତଃ ମାନସିକ ବିଷାଦ ସହିତ ଦେଖାଦେଇଥାଏ । ପିଲାମାନଙ୍କର ଭବିଷ୍ୟତ ବିଷୟରେ, ଆର୍ଥିକ ସମସ୍ୟା ବିଷୟରେ ଭାବି ଭାବି ଛାନିଆ ହୁଅନ୍ତି ।
ସିଜୋଫ୍ରେନିଆ :
ଏଥିରେ ଲୋକଟି ସନ୍ଦେହ କରେ ଯେ, ତା ବିରୋଧରେ ସମସ୍ତେ ଷଡ଼ଯନ୍ତ୍ର କରୁଛନ୍ତି, କଥା ହେଉଛନ୍ତି ଓ ଶୂନ୍ୟବାଣୀ ହେବାପରି ଲାଗେ । ମାନସିକ ସମସ୍ୟା ଓ ପାରିବାରିକ ଚାପ ରୋଗଟିକୁ ବଢ଼ାଇ ଦିଏ ।
ସ୍ମରଣଶକ୍ତି ହ୍ରାସ :
ଲୋକଟିର ମନେ ରହେ ନାହିଁ । ନିଜ ଜିନିଷ କେଉଁଠି ରଖିଛନ୍ତି ଭୁଲିଯାଇ ଦୈନନ୍ଦିନ କାର୍ଯ୍ୟ ବାଧାପ୍ରାପ୍ତ ହୁଏ । ଶେଷରେ ସମସ୍ତ ଜାଣିପାରନ୍ତି ନାହିଁ ଓ ଅନ୍ୟମାନଙ୍କୁ ମଧ୍ୟ ଚିହ୍ନିପାରନ୍ତି ନାହିଁ ।
କାରଣ :
ବିଭିନ୍ନ କାରଣରୁ ବୃଦ୍ଧାବସ୍ଥାରେ ମାନସିକ ଚାପ ଅଧିକ ପଡ଼ିଥାଏ । ଉଦାହରଣ ସ୍ୱରୂପ ଚାକିରିରୁ ଅବସର, ଅର୍ଥହ୍ରାସ, ସମାଜରେ ନିଜର ସ୍ଥିତି ହରାଇବା, ଶାରୀରିକ ରୋଗ ଇତ୍ୟାଦି । ନିଜର ସ୍ୱାମୀ ବା ସ୍ତ୍ରୀକୁ ହରାଇଲେ ଲୋକଟି ଅଧିକ ଭାରାକ୍ରାନ୍ତ ହୋଇଯାଏ ।
ଚିକିତ୍ସା :
ବିଭିନ୍ନ ପ୍ରକାର ମାନସିକ ସମସ୍ୟାର ଚିକିତ୍ସା, ରୋଗ ଉପରେ ନିର୍ଭର କରେ । ଯେଉଁ ରୋଗ ହୋଇଥିବ ସେହି ଅନୁସାରେ ଔଷଧ ଓ ମନସ୍ତାତ୍ତ୍ୱିକ ଚିକିତ୍ସାର ସାହାଯ୍ୟ ନିଆଯାଏ । ଦରକାର ପଡ଼ିଲେ ପାରିବାରିକ ଓ ସାମୂହିକ ଚିକିତ୍ସାର ସାହାଯ୍ୟ ମଧ୍ୟ ନିଆଯାଏ ।
ନିଜେ ନିଜର ସାହାଯ୍ୟ କରନ୍ତୁ :
ନିୟମିତ ଶାରୀରିକ ପରିଶ୍ରମ କରନ୍ତୁ । ସାମାଜିକ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରନ୍ତୁ । ପ୍ରତିଦିନ ଯଥେଷ୍ଟ ପରିମାଣରେ (୭ରୁ ୯ଘଣ୍ଟା) ଶୁଅନ୍ତୁ । ଯେଉଁ କାର୍ଯ୍ୟରେ ସୁଖ ଅନୁଭବ କରୁଛନ୍ତି, ସେଥିରେ ନିଜକୁ ନିୟୋଜିତ କରନ୍ତୁ । ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତୁ । ନୂଆ କିଛି ଶିଖିବାକୁ ଚେଷ୍ଟା କରନ୍ତୁ । ଉଦାହରଣସ୍ୱରୂପ ଗୀତ, ବାଦ୍ୟଯନ୍ତ୍ର, କମ୍ପ୍ୟୁଟର ଇତ୍ୟାଦି । ନିଜକୁ ସବୁବେଳେ ଖୁସି ରଖିବାକୁ ଚେଷ୍ଟା କରନ୍ତୁ ।
ସମାଜର ଦାୟିତ୍ୱ :
ନିଜ ପରିବାରରେ ତଥା ସମାଜରେ ଥିବା ବୃଦ୍ଧଲୋକଙ୍କୁ ସମ୍ମାନ ଦିଅନ୍ତୁ । ସେମାନଙ୍କୁ ସମୟ ଦିଅନ୍ତୁ । ଉଦାହରଣ ସ୍ୱରୂପ ନିଜ ସହିତ ମାର୍କେଟ, ସିନେମା ଆଦି ନିଅନ୍ତୁ । ସ୍ୱାସ୍ଥ୍ୟକର ଖାଦ୍ୟ ଦିଅନ୍ତୁ । ଶାରୀରିକ ରୋଗ ହେଲେ, ଯେପରି ଠିକ୍ ସମୟରେ ଚିକିତ୍ସିତ ହେବେ ତାହାର ଦାୟିତ୍ୱ ନିଅନ୍ତୁ ।
