ପାର୍ବଣକୁ ଫିକା କରିବ ବର୍ଷା ! ଅକ୍ଟୋବର ୨ ଓ ୩ ପ୍ରବଳ ବର୍ଷା
ଭୁବନେଶ୍ୱର : ପଶ୍ଚିମ କେନ୍ଦ୍ରୀୟ ପାର୍ଶ୍ୱବର୍ତୀ ଆନ୍ଧ୍ର ଉପକୂଳ ସମୁଦ୍ର ମଧ୍ୟରେ ବାୟୁମଣ୍ଡଳର ୧.୫ କିମି ଯାଏଁ ସକ୍ରିୟ ଘୁର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବିଭିନ୍ନ ଅଂଚଳରେ ବିଜୁଳି ଘଡଘଡି ସହ ବର୍ଷା ଲାଗିରହିଛି । ସେହିପରି ୧ ତାରିଖ ବେଳକୁ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଂଚଳରେ ବର୍ଷା ହେବାର ସମ୍ଭାବନା ଥିବାରୁ ଏଥର ଦୁର୍ଗାପୂଜା ଫିକା ପଡିପାରେ । ବିଶେଷ କରି ସପ୍ତମୀ ଓ ଅଷ୍ଟମୀ ତିଥିରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୨୪ ଘଂଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ,ଯାଜପୁର , କେନ୍ଦ୍ରାପଡା, କଟକ, ଜଗତସିଂହପୁର,ପୁରୀ, ଖୋର୍ଦ୍ଧା, ନୟାଗଡ. ଗଂଜାମ, ଗଜପତି, କେନ୍ଦୁଝର, ମୟୁରଭଂଜ, ଅନୁଗୁଳ, ଢେଙ୍କାନାଳ, କନ୍ଧମା, ରାୟଗଡା, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ ମାଲକାନଗିରି, କୋରାପୁଟ, ଗଜପତି , କେନ୍ଦୁଝର ଓ ମୟୁରଭଂଜ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ସମସ୍ତ ଜିଲ୍ଲାଗୁଡିକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।
୨ ଅକ୍ଟୋବର ସପ୍ତମୀ ରେ ଭିଜିବ ପୁରା ଉପକୂଳ । ସମସ୍ତ ଉପକୂଳ ଓଡ଼ିଶାର ୧୧ ଜିଲ୍ଲାକୁ ପ୍ରବଳ ବର୍ଷା ସମ୍ଭାବନା ପାଇଁ ହଳଦିଆ ଚେତାବନୀ ଜାରି କରାଯାଇଛି । ୨ ତାରିଖରେ ଉତର ଆଭ୍ୟନ୍ତରୀଣ ଓଡ଼ିଶାର କେନ୍ଦୁଝର, ମୟୁରଭଞ୍ଜ ସମେତ ଢେଙ୍କାନାଳ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିପରି ୩ ଅକ୍ଟୋବର ଅଷ୍ଟମୀ ରେ ପୁରା ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ୩ ତାରିଖରେ କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ଜଗତସିଂହପୁର, ଏବଂ ପୁରୀ ଜିଲ୍ଲାରେ ପ୍ରବଳ ରୁ ଅତିପ୍ରବଳ ବର୍ଷା ବର୍ଷା ସମ୍ଭାବନା ପାଇଁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।
