ସରକାରଙ୍କ ଜନକଲ୍ୟାଣ ବାର୍ତା ଲୋକଙ୍କ ପାଖରେ ପହଂଚାଅ : ମୁଖ୍ୟମନ୍ତ୍ରୀ
ବରମୁଣ୍ଡା ପଡ଼ିଆରେ ବିଜେଡିର ପଦଯାତ୍ରା ପ୍ରସ୍ତୁତି ବୈଠକ ଆରମ୍ଭ
ଭୁବନେଶ୍ୱର : ଆମ ଦଳ ଲୋକଙ୍କ ସାଥୀରେ ଅଛି, ଲୋକଙ୍କ ପାଇଁ କାମ କରୁଛି । ତେଣୁ ଆମ ସରକାରର ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ବାର୍ତା କିପରି ଲୋକଙ୍କ ପାଖରେ ପହଂଚିପାରିବ, ତାହା ଉପରେ ଧ୍ୟାନ ଦିଅ ବୋଲି ବାଙ୍ଗାଲୋରରୁ ବାର୍ତା ଦେଇ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାନ୍ଧୀ ଜୟନ୍ତୀଠାରୁ ସାରା ରାଜ୍ୟରେ ଆରମ୍ଭ ହେଉଥିବା ବିଜୁ ଜନତା ଦଳର ଏକ ମାସ ବ୍ୟାପି ଜନସମ୍ପର୍କ ପଦଯାତ୍ରାକୁ ସଫଳ କରିବାକୁ ଆହ୍ୱାନ ଦେଇଛନ୍ତି । କେବଳ ସେତିକି ନୁହେଁ, ଦେଶର ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ସଂଗ୍ରାମୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବାରୁ ସେହି ବରପୁତ୍ରମାନଙ୍କ ଅବଦାନ ସଂପର୍କରେ ମଧ୍ୟ ଲୋକଙ୍କୁ ସ୍ମରଣ କରାଇ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ଗୁରୁବାରଠାରୁ ସ୍ଥାନୀୟ ବରମୁଣ୍ଡା ପଡ଼ିଆରେ ଆରମ୍ଭ ହୋଇଥିବା ପଦଯାତ୍ରା ପ୍ରସ୍ତୁତି ବୈଠକର ପ୍ରଥମ ଦିନରେ ସାରା ଓଡ଼ିଶାରୁ ଦଳର ଯୁବ, ଛାତ୍ର ଓ ମହିଳା ସଂଗଠନର କର୍ମକର୍ତା, ଦଳର ସମସ୍ତ ମନ୍ତ୍ରୀ, ବିଧାୟକ, ସାଂସଦ ଏବଂ ରାଜ୍ୟ କର୍ମକର୍ତାମାନେ ଯୋଗ ଦେଇଥିଲେ । ଏହି ସମାବେଶରେ ଅଧ୍ୟକ୍ଷତା କରି ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଲେ ଯେ ୨୫ ବର୍ଷ ତଳେ ନବୀନ ବାବୁ ବିଜୁ ଜନତା ଦଳର ଯେଉଁ ଚାରାଟିଏ ପୋତିଥିଲେ, ତାହା ଆଜି ମହାଦ୍ରୁମରେ ପରିଣତ ହୋଇଛି । ଓଡ଼ିଶାରେ ସ୍ୱାର୍ଥ ରକ୍ଷା ପାଇଁ ବିଜୁ ଜନତା ଦଳ ଏକ ସାମୂହିକ ଆନ୍ଦୋଳନର ରୂପ ନେଇଛି । ଦଳର ପ୍ରତିବଦ୍ଧତାକୁ ଆଗକୁ ନେବାଲାଗି ଆମର ଉତରଦାୟିତ୍ୱ ରହିଛି ବୋଲି କହି ପଦଯାତ୍ରାକୁ ସଫଳ କରିବା ପାଇଁ ଶ୍ରୀ ଦାସ ଆହ୍ୱାନ ଦେଇଥିଲେ ।
ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ର କହିଥିଲେ ସବୁ ବାଧାବିଘ୍ନକୁ ଅତିକ୍ରମ କରି ମୁଖ୍ୟମନ୍ତ୍ରୀ ଋଣଗ୍ରସ୍ତ ଓଡ଼ିଶାର ଆର୍ôଥକ ସ୍ଥିତିକୁ ସୁଦୃଢ଼ କରି ସଂପୂର୍ଣ୍ଣ ମୋଡ଼ ବଦଳାଇ ଦେଇଥିଲେ । ଏବେ ତାଙ୍କ ନେତୃତ୍ୱରେ ସବୁ କ୍ଷେତ୍ରରେ ଓଡ଼ିଶାର ପ୍ରଗତିର ଧାରା କ୍ଷିପ୍ର ହୋଇଛି । ଏହି ଅବସରରେ ମନ୍ତ୍ରୀ ଅତନୁ ସବ୍ୟସାଚୀ କହିଲେ, ଦଶନ୍ଧି ଆରମ୍ଭରେ ଏକ ଖାଦ୍ୟ ଅଭାବୀ ରାଜ୍ୟ ଥିବା ଓଡ଼ିଶା ଏବେ ଏକ ଖାଦ୍ୟ ବଳକା ରାଜ୍ୟରେ ପରିଣତ ହୋଇଛି । ଖାଦ୍ୟ ସୁରକ୍ଷା କାର୍ଯ୍ୟାନ୍ୱୟନରେ ଓଡ଼ିଶା ଦେଶର ୧ନମ୍ବର ରାଜ୍ୟର ମାନ୍ୟତା ପାଇଛି । ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ସଶକ୍ତିକରଣ, ବିପର୍ଯ୍ୟୟ ପରିଚାଳନା ଆଦି ସବୁ କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ଅର୍ଜନ କରିଛି ।
ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ କହିଲେ ଦଳର ଯୁବ, ଛାତ୍ର, ମହିଳା ଶାଖା ଆହୁରି ସଶକ୍ତ ହୋଇଛି । ଏବେ ଏହି ରୂପାନ୍ତରୀକରଣ ଜନସାଧାରଣଙ୍କ ପର୍ଯ୍ୟନ୍ତ ପହଂଚାଇବା ଆମର ଦାୟିତ୍ୱ । ନମ୍ରତା, ସେବା ମନୋବୃତି, ଜନତାଙ୍କୁ ସମ୍ମାନ, ସ୍ୱଚ୍ଛତା, ସାଧୁତାକୁ ପ୍ରାଥମିକତା ଦେବାକୁ ଶ୍ରୀ ସାହୁ ଆହ୍ୱାନ ଦେଇଥିଲେ । ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଲେ ଯେ ବିଜେପି ଓଡ଼ିଶାରେ ନବୀନ ବାବୁଙ୍କୁ କ୍ଷମତାରୁ ଦୂରେଇ ଦେବାକୁ ରଣନୀତି ପ୍ରସ୍ତୁତ କରୁଥିବାବେଳେ ନବୀନ ବାବୁ ଓଡ଼ିଶାରୁ ଦାରିଦ୍ର୍ୟକୁ ଦୂରେଇ ଦେବା ପାଇଁ ବାଙ୍ଗାଲୋରରେ ବସି ରଣନୀତି ତିଆରି କରୁଛନ୍ତି । ନବୀନ ବାବୁଙ୍କ ସ୍ଥିର ଓ ଦୃଢ ନେତୃତ୍ୱ ଯୋଗୁଁ ଆଜି ଓଡ଼ିଶାର ଅର୍ଥନୈତିକ ବିକାଶ ସମ୍ଭବ ହୋଇଛି ।
ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଲେ ଆମ ମୁଖ୍ୟମନ୍ତ୍ରୀ ମହିଳାମାନଙ୍କୁ ସ୍ୱୀକୃତି ଓ ସମ୍ମାନ ଦେଇଛନ୍ତି । ନିଜ ବାପାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ପଂଚାୟତ ଓ ପୌର ନିର୍ବାଚନରେ ୫୦ ଭାଗ ମହିଳାଙ୍କୁ ସୁଯୋଗ ଦେଇଛନ୍ତି ଏବଂ ସାମାଜିକ ମୁଖ୍ୟସ୍ରୋତରେ ସାମିଲ୍ କରିଛନ୍ତି ।ଓଡ଼ିଶା ପ୍ରତି କେନ୍ଦ୍ରର ଅବହେଳା ଉପରେ ଆଲୋକପାତ କରି ସାଂସଦ ସସ୍ମିତ ପାତ୍ର କହିଲେ, ନବୀନ ବାବୁ ଓଡ଼ିଶାର ହକ୍ ପାଇଁ ଲଢ଼େଇ କରୁଛନ୍ତି । ଦିଲ୍ଲୀରେ ଆମର କେହି ମାଲିକ ନାହାନ୍ତି, ସାଢ଼େ ଚାରି କୋଟି ଓଡ଼ିଶାବାସୀ ହିଁ ଆମର ମାଲିକ ।
ସମାବେଶର ଦ୍ୱିତୀୟ ଅଧିବେଶନରେ ପ୍ରଖ୍ୟାତ ପ୍ରେରଣାଦାୟୀ ବକ୍ତା ଡ. ଉଜ୍ଜ୍ୱଳ ପଟନୀ ନବୀନ ବାବୁଙ୍କୁ ଦେଶର ତିନି ଜଣ ଶ୍ରେଷ୍ଠ ନେତାଙ୍କ ମଧ୍ୟରୁ ଜଣେ ବୋଲି ଅଭିହିତ କରିଥିଲେ । ସେ ଆହୁରି କହିଥିଲେ ଯେ ଦେଶର ଅଧେ ନେତା ନବୀନ ବାବୁଙ୍କଠାରୁ ବିନମ୍ରତା ଓ ସରଳତା ଶିଖିବା ଉଚିତ । ଏହି ଅବସରରେ ସେ ଉପସ୍ଥିତ ମହିଳା, ଯୁବ ଓ ଛାତ୍ର ନେତାଙ୍କୁ ନେତୃତ୍ୱ ବିକାଶର ବିଭିନ୍ନ କୌଶଳ ସମ୍ପର୍କରେ ଶିକ୍ଷା ଦେଉଥିଲେ । ପ୍ରାରମ୍ଭରେ ଦଳର ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ର, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ପ୍ରଦୀପ ଅମାତ, ଟୁକୁନି ସାହୁ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ପ୍ରମୁଖ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସମାବେଶକୁ ଉଦଘାଟନ କରିଥିଲେ । ବନ୍ଦେ ଉତ୍କଳ ଜନନୀ ଗାନ ହେଲା ପରେ ବୈଠକ ଆରମ୍ଭ ହୋଇଥିଲା । ବୈଠକରେ ଦଳର ବହୁ ବରିଷ୍ଠ ନେତା , ମନ୍ତ୍ରୀ , ବିଧାୟକ , ସାଂସଦ, ମେୟର ଆଦି ଉପସ୍ଥିତ ଥିଲେ ।
