ପରମ ବୈଷ୍ଣବୀ ମା ମରଚିକା ଠାକୁରାଣୀ
ପୁରୀ : ଦେବୀ ପୀଠରେ ଆରମ୍ଭ ହୋଇଛି ଷୋଳ ଦିନାତ୍ମାକ ପୂଜା । ବଡ଼ଦାଣ୍ଡର ମରଚିକୋଟ ଛକର ବାମ ପଟେ ପଡ଼େ ମା ମରଚିକା ଠାକୁରାଣୀଙ୍କ ମନ୍ଦିର । ପ୍ରତ୍ୟେକ ଦିନ ଏଠାରେ ଚଣ୍ଡୀ ପାଠ ସହ ମା’ଙ୍କ ପୂଜାର୍ଚ୍ଚନା ବିଧି ଅନୁଷ୍ଠିତ ହେଉଛି । ମା ପରମ ବୈଷ୍ଣବୀ । ଆଶ୍ୱିନ ଶୁକ୍ଳ ଦିତୀୟା ତିଥିଠାରୁ ବିଜୟା ଦଶମୀ ପର୍ଯ୍ୟନ୍ତ ମାଙ୍କୁ ବିଭିନ୍ନ ବେଶରେ ସୁସଜ୍ଜତି କରାଯାଉଛି । ମାଙ୍କ ନିକଟରେ ଆମିଷ ଭୋଗ ହୁଏ ନାହିଁ । କେବଳ ପାଶ୍ୱର୍ଦେବୀ ଛାୟା ମାୟାଙ୍କୁ ଆମିଷ ଭୋଗ କରାଯାଇଥାଏ । ଦଶହରା ଦିନ ସୂର୍ଯ୍ୟଦୋୟ ପୂର୍ବରୁ ମାଙ୍କୁ ଦହି ଚୁଡ଼ା ଭୋଗ ହୋଇ କଳସ ଉଠେ । ମା ଭକ୍ତର ମନ କଥା ଜାଣିପାରିଥାନ୍ତି । ବନଦୁର୍ଗା ବେଶ,ଗଜଲକ୍ଷ୍ମୀ ବେଶ,ସିଂହବାହିନୀ ବେଶ,ରାଜରାଜେଶ୍ୱରୀ ବେଶ,ମହାସରସ୍ୱତୀ ବେଶ ଓ ଭୁବନେଶ୍ୱରୀ ବେଶ ଅନୁଷ୍ଠିତ ହୋଇଥାଏ । ମହାସପ୍ତମୀରେ ମହା ଗାୟତ୍ରୀ ବେଶ, ମହାଷ୍ଟମୀରେ ମହିଷାମର୍ଦ୍ଧିନୀ ବେଶ ଓ ମହାନବମୀରେ କାଳୀ ବେଶ ଅନୁଷ୍ଠିତ ହେବ । ବଡ଼ ସିଂହାର ବେଶରେ ମାଙ୍କୁ ପଣା ଲାଗି ହୁଏ । ଶ୍ରୀକ୍ଷେତ୍ରର ଅଷ୍ଟଦେବୀଙ୍କ ମଧ୍ୟରେ ମା ମରଚିକା ଅନ୍ୟତମ । ମା ଅଷ୍ଟଭୂଜା । ମାଙ୍କ ହସ୍ତରେ ଖଡ୍ଗ,ଶଙ୍ଖ,ଅଙ୍କୁଶ,ଜପମାଳା ,ଗଦା,ଚକ୍ର,ତ୍ରିଶୂଳ ଓ ପାନପତ୍ର ଧାରଣ କରିଛନ୍ତି । ଶ୍ରୀମନ୍ଦିର ଅର୍ନ୍ତବେଦୀକୁ ମା ସୁରକ୍ଷା ଦିଅନ୍ତି । ମାଙ୍କ ପୀଠରେ ଖେଚୁଡ଼ି ,ଡ଼ାଲମା,ତରକାରୀ,ଖିରୀ ଭୋଗ କରାଯାଇଥାଏ । ଠାକୁରାଣୀଙ୍କ ସମ୍ମୁଖରେ ଦଶମାହାବିଦ୍ୟା, ନବଦୁର୍ଗା, ନବଗ୍ରହ,ମହାବୀର,ମହାଦେବଙ୍କ ମନ୍ଦିର ସହ ବ୍ୟାଘ୍ରମୁଖୀ,ଯମୁନା,ଗଙ୍ଗା ଓ ସିଂହମୁଖୀ ପୂଜା ପାଉଛନ୍ତି । ଠାକୁରାଣୀଙ୍କ ନାମ ଅନୁସାରେ ମରଚିକୋଟ ଛକ ଓ ମରଚିକୋଟ ଲେନ ହୋଇଥିବା କଥିତ ଅଛି । ମାଙ୍କ ମହିମା ଅପାର । ମାଙ୍କୁ ଦର୍ଶନ କଲେ ଭକ୍ତମନ ପରିପୂର୍ଣ୍ଣ ହୁଏ । ଝୁଣା,ଦୀପ,ଧୂପ ସହ ମାଙ୍କ ପୀଠରେ ଘଂଟ,ଘଂଟା ବାଦ୍ୟରେ କମ୍ପୁଛି । ଶ୍ରୀଜଗନ୍ନାଥଙ୍କ ମନ୍ଦିର ସହ ମାଙ୍କ ମନ୍ଦିର ସମ୍ପର୍କ ରହିଛି । ଆଳତି ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି ।
