ବରି ସରକାରୀ ହାଇସ୍କୁଲ ପରିସରରେ ୨ଶହ ବୃକ୍ଷ ରୋପଣ କରାଗଲା
ସିମୁଳିଆ : ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଅଧୀନ ବରି ସରକାରୀ ହାଇସ୍କୁଲ ପରିସରରେ ମଧ୍ୟାହ୍ନରୁ ଦିବସବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଥମରୁ ଦଶମ ଶ୍ରେଣୀର ସମସ୍ତ ଛାତ୍ରୀଛାତ୍ରଙ୍କ ସମେତ ବିଭିନ୍ନ ଅତିଥି ମାନେ ଏଥିରେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ରୂପେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗଦେଇଥିଲେ । ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଅତିଥି ରୂପେ ବିଦ୍ୟାଳୟ ପରିଚଳାନା ସମିତିର ସଭାପତି ନରେନ୍ଦ୍ର ମହାକୁଡ଼, ସ୍ଥାନୀୟ ସରପଞ୍ଚ ବିମଳ କୁମାର ଲେଙ୍କା ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ପଞ୍ଚାୟତ ତରଫରୁ ପ୍ରଦାନ କରାଯାଇଥିବା ୨ଶହ ନଡ଼ିଆ, ଆମ୍ବ ଇତ୍ୟାଦି ବିଭିନ୍ନ କିସମର ଫଳ ବୃକ୍ଷ ରୋପଣ କରାଯାଇଥିଲା । ପ୍ରାଥମିକ ବିଦ୍ୟାଳୟର ୪୫୩ଜଣ ଛାତ୍ରୀଛାତ୍ରଙ୍କୁ ପୋଷାକ ଓ ଯୋତା ବଣ୍ଟନ କରାଯାଇଥିଲା । ସେହିପରି ସ୍ୱାଧିନତାର ଅମୃତ ମହୋତ୍ସବ ଉପଲକ୍ଷେ ପୂର୍ବରୁ ଅନୁଷ୍ଠିତ ପ୍ରବନ୍ଧ ପ୍ରତିଯୋଗୀତାରେ ୧୦ଜଣ କୃତିଙ୍କୁ ସମ୍ମାନୀତ କରାଯାଇଥିଲା ।
