ଦୁର୍ଗା ପୂଜା ପାଇଁ ରୂପସାରେ ଶାନ୍ତି କମିଟି ବୈଠକ, ବାଜିବନି ଡିଜେ
ରୂପସା : ବାଲେଶ୍ୱର ଜିଲା ଅନ୍ତର୍ଗତ ରୂପସା ଥାନାରେ ଦୁର୍ଗା ପୂଜା, ରାବଣପୋଡ଼ି ଓ ମହମ୍ମଦ ଜୟନ୍ତୀ ପାଳନ ପାଇଁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଏସ୍ଡିପିଓ ଜଳନ୍ଧର ଜାଲି ଅଧ୍ୟକ୍ଷତା କରି ଶାନ୍ତି ଶୃଙ୍ଖଳାରେ ଉତ୍ସବ ପାଳନ ଦିଗରେ ସମସ୍ତ ପୂଜାକମିଟି କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ । ଏଥର ପୂଜା ଓ ଭସାଣି ଉତ୍ସବରେ ଡିଜେ ବଜାଇବାକୁ ବାରଣ କରାଯାଇଥିଲା । ପୂଜା ପାଇଁ ଥାନା, ଦମକଳ ବିଭାଗ ଓ ବିଦ୍ୟୁତ ବିଭାଗ ଠାରୁ ସ୍ୱୀକୃତି ଆଣିବା ବାଧ୍ୟତାମୂଳକ ବୋଲି ଏସଡିପିଓ ନିର୍ଦ୍ଦେଶ ଦେଇଥିଲେ ।
ସରକାରୀ ନିୟମ ଅନୁଯାୟୀ ପୂଜା, ଭସାଣି ଓ ରାବଣ ପୋଡି ଉତ୍ସବ ପାଳନ କରିବାକୁ ଥାନା ପକ୍ଷରୁ ପରାମର୍ଶ ଦିଆଯାଇଥିଲା । ପୂଜା ମଣ୍ଡପରେ ଭିଡ଼କୁ ନିୟନ୍ତ୍ରଣ ପାଇଁ କମିଟି ତରଫରୁ ସ୍ୱେଛାସେବୀ ନିୟୋଜିତ କରିବାକୁ କୁହାଯାଇଥିଲା । ଏଏସ୍ଆଇ ନଗେନ୍ଦ୍ର ନାଥ ଦାସ ପ୍ରାରମ୍ଭିକ ସୂଚନା ଦେଇଥିଲେ । ବିଭିନ୍ନ କମିଟିର କର୍ମକର୍ତ୍ତା ଜୟନ୍ତ କୁମାର ପାଣିଗ୍ରାହୀ, ମନୋରଞ୍ଜନ ମହାପାତ୍ର, କୈଳାସ ଚନ୍ଦ୍ର ନାୟକ, ଶ୍ରୀପତି ରାଉତ, ମହାଦେବ ଦାସ, ସନ୍ତୋଷ କୁମାର ପରିଡା, ମାୟାଧର ମଣି, ହରେକୃଷ୍ଣ ପାଳ, ନାସିରୁଦ୍ଦିନ ଖାନ, ମଜନୁ ମହମ୍ମଦଖାନ, ଲମ୍ବୋଦର ଜେନାଙ୍କ ସମେତ ଜନପ୍ରତିନିଧି ଉପସ୍ଥିତ ଥିଲେ । ଶେଷରେ ଏଏସ୍ଆଇ ସନାତନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
