କୃଷି ବିଭାଗ ପକ୍ଷରୁ କ୍ଷେତ୍ର ପରିଦର୍ଶନ; ପୋକ ଦାଉରୁ ରକ୍ଷା ପାଇଁ ଚାଷୀଙ୍କୁ ପରାମର୍ଶ
ବସ୍ତା : ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ଖରିଫ ଧାନ ଫସଲରେ ମାଟିଆ ଗୁଣ୍ଡି ପୋକର ପାଦୁର୍ଭାବ ଦେଖା ଦେଇଛି । ଏହାକୁ ଦୁଷ୍ଟିରେ ରଖି ଫସଲ କ୍ଷତିଗ୍ରସ୍ତ ନହେବା ପାଇଁ କୃଷିବିଜ୍ଞାନ କେନ୍ଦ୍ର ଏବଂ କୃଷି ବିଭାଗ ପକ୍ଷରୁ ମିଳିତ ଭାବେ ବସ୍ତା ବ୍ଳକ ଭେଲୋରା ପଞ୍ଚାୟତର ବଣିଆମାରୀ ଗ୍ରାମରେ କ୍ଷେତ୍ର ଅନୁଧ୍ୟାନ କରାଯାଇଛି । ଅନୁଧ୍ୟାନକାରୀ ଦଳରେ କୃଷି ବିଜ୍ଞାନକେନ୍ଦ୍ରର ମୂଖ୍ୟ ଡ. ସ୍ୱାଗତିକା ସାହୁ, ଫସଲ ସୁରକ୍ଷା ବୈଜ୍ଞାନିକ ଡ. ଗାୟତ୍ରୀ ସାହୁ, ବିଶେଷଜ୍ଞ ନିରୋଜ କୁମାର ଜେନା, ବାଲେଶ୍ୱର କୃଷି ଜିଲା ଅଧିକାରୀ ଚନ୍ଦ୍ରମୋହନ ପାତ୍ର, ବସ୍ତା ସହକାରୀ କୃଷି ଅଧିକାରୀ ଯଜ୍ଞଦତ୍ତ ସେଠୀ ପ୍ରମୁଖ କ୍ଷେତ୍ର ପରିଦର୍ଶନ କରିଥିଲେ ।
କୃଷି ବୈଜ୍ଞାନିକମାନେ ସିଧାସଳଖ ଚାଷୀଙ୍କ ସହିତ ଆଲୋଚନା କରି ସଠିକ୍ କୀଟନାଶକ ପ୍ରୟୋଗ କରିବା ପାଇଁ ପରାମର୍ଶ ଦେଇଥିଲେ । ଧାନ କିଆରି ଗୁଡ଼ିକରେ ପାହି କରିବା ସହିତ ଧାନ ବିଲରୁ ପାଣି ଶୁଖାଇ ପୁଣି କ୍ଷେତକୁ ପାଣି ମଡ଼ାଇବା ପାଇଁ ପରାମର୍ଶ ଦେଇଥିଲେ । ମାଟିଆ ଗୁଣ୍ଡି ପୋକ ଦାଉରୁ ଫସଲକୁ ରକ୍ଷା ଦିଗରେ ଆବଶ୍ୟକ କୀଟନାଶକ ପ୍ରୟୋଗ ଦିଗରେ ଚାଷୀଙ୍କୁ ସଚେତନ କରାଯାଇଥିଲା ।
