ବାଲେଶ୍ୱର ଏବଂ ମୟୂରଭଞ୍ଜର ୫ଟି ସ୍କୁଲର ଶିକ୍ଷକଙ୍କ ‘୨୧ତମ ସେଞ୍ଚୁରି ସ୍କିଲ’ର ପ୍ରଶିକ୍ଷଣ ଶିବିର
ବାଲେଶ୍ୱର : ବାଲେଶ୍ୱର ମ୍ୟୁନିସିପାଲ ସରକାରୀ ଉଚ୍ଚବିଦ୍ୟାଳୟ ଠାରେ ବାଲଶ୍ୱର ଓ ମୟୂରଭଞ୍ଜ ଜିଲାର ୫ଟି ବିଦ୍ୟାଳୟଗୁଡ଼ିକର ଶିକ୍ଷୟିତ୍ରୀଶିକ୍ଷକମାନଙ୍କୁ ନେଇ ଏକ ଦକ୍ଷତା ବୃଦ୍ଧି ଭିତ୍ତିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କର୍ମଶାଳାରେ ଜିଲା ଶିକ୍ଷାଧବକାରୀ ବିଷ୍ଣୁଚରଣ ସୂତାର ମୁଖ୍ୟଅତିଥି ଭାବେ ଯୋଗଦେଇ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ସମ୍ପର୍କୀୟ ବହୁ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ରଖିଥିଲେ । ବାଲେଶ୍ୱର ଜିଲାର ମୋ ସ୍କୁଲ ଜିଲା ସଂଯୋଜକ ଡ. ସନ୍ଦୀପ କୁମାର ଖଟୁଆ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ଆଜିର ଯୁଗରେ ଏକାନ୍ତ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ବଟକୃଷ୍ଣ ମିଶ୍ର ଏବଂ ସହକାରୀ ଶିକ୍ଷୟିତ୍ରୀ ମଞ୍ଜୁଲତା ସିଂହ ମଞ୍ଚାସୀନ ଥିଲେ । ଉକ୍ତ କର୍ମଶାଳାକୁ ରାଜ୍ୟ ତରଫରୁ ମାଷ୍ଟର ଟ୍ରେନର ରହିମା ନିଶା ଏବଂ ସହଯୋଗୀ ସ୍ୱାତୀ ଦାସ ପରିଚାଳନା କରିଥିଲେ । ଉପସ୍ଥିତ ସମସ୍ତ ପ୍ରଶିକ୍ଷାର୍ଥୀ ତାଲିମ ଶିବିରରେ ଦଳଗତ ଭାବେ ଅଂଶଗ୍ରହଣ କରିଥିଲେ ଏବଂ ବିଭିନ୍ନ ଆଲୋଚନା ମାଧ୍ୟମରେ ‘୨୧ତମ ସେଞ୍ଚୁରି ସ୍କିଲ’ର ଅବଧାରଣା କରିଥିଲେ । କୁଏଷ୍ଟ ଆଲିଆନ୍ସର ସହଭାଗିତା ଏବଂ ସହଯୋଗ କ୍ରମେ ‘ମୋ ସ୍କୁଲ ଅଭିଯାନ’ର ସମସ୍ତ ଉପାଦାନକୁ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ନିକଟରେ ପହଞ୍ଚାଇବା ତଥା ଶିକ୍ଷକଙ୍କ ଦକ୍ଷତା ବୃଦ୍ଧିରେ ସହାୟକ ଉକ୍ତ କାର୍ଯ୍ୟକ୍ରମକୁ ପ୍ରଶଂସା କରାଯାଇଛି ।
