“ସମ୍ଭାଦ: ଆଦିବାସୀ ସମ୍ମେଳନ”
ବାଲେଶ୍ୱର : ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟ ଠାରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଓ ସୁବର୍ଣ୍ଣରେଖା ପୋର୍ଟ୍ ପ୍ରାଇଭେଟ ଲିମିଟେଡ ଏବଂ ଫକୀର ମୋହନ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ “ସମ୍ଭାଦ : ଆଦିବାସୀ ସମ୍ମେଳନ” ପ୍ରାସଙ୍ଗିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଆଦିବାସୀମାନେ ସେହି ଆଦିମ ସଭ୍ୟତାର ସଦସ୍ୟ ବୋଲି ସମିତି ଅନୁନ୍ନତା ଭିତରେ ରହିଯିବା କଦାପି ପ୍ରଗତିଶୀଳତାର ଲକ୍ଷଣ ନୁହେଁ, ସେମାନେ ଯୁଗୀୟ ବୈଶିଷ୍ଟ୍ୟ ଅନୁସାରେ ସଭ୍ୟ ଓ ଶିକ୍ଷିତ ହେବା ଉଚିତ୍ ଏବଂ ବିଶ୍ୱବିଦ୍ୟାଳୟ ଏଦିଗରେ ଗଠନାତ୍ମକ କାର୍ଯ୍ୟକୁ ଗୁରୁତ୍ୱ ପ୍ରଦାନ କରିବ ବୋଲି ମତ ଦେଇଥିଲେ ।
ମୁଖ୍ୟ ଅତିଥି ଭାବେ ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ ଯୋଗଦେଇ ଓଡ଼ିଶାର ବିଶେଷତଃ ବାଲେଶ୍ୱର ଜିଲାର ଆଦିବାସୀ ସମ୍ପ୍ରଦାୟର ସାମାଜିକ-ଅର୍ଥନୈତିକ ବିକାଶ ସହିତ ସେମାନଙ୍କୁ ଏକ ବିକାଶଶୀଳ ସଭ୍ୟତାର ମୁଖ୍ୟ ସ୍ରୋତକୁ ଆଣିବା ନିମିତ୍ତ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ର ପ୍ରୟାସ ଓ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । କୁଳସଚିବ କୁକୁମୀନା ଦାସ ଆଦିବାସୀମାନଙ୍କର ସାଂସ୍କୃତିକ ମୂଲ୍ୟବୋଧକୁ ଗୁରୁତ୍ୱ ଦେଇ ସେମାନଙ୍କର ସାମାଜିକ ସାଂସ୍କୃତିକ ଜୀବନରେ ସମସ୍ତ ବିକାଶ ସାଧିତ ହେବା ଉଚିତ୍ ବୋଲି ମତ ପ୍ରକାଶ କରିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର୍ ମୁନେଶ୍ ଚନ୍ଦ୍ର ଅଧିକାରୀ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଉପଯୋଗୀତା ସମ୍ପର୍କରେ ମତ ଦେଇଥିଲେ । କର୍ପୋରେଟ ସୋସିଆଲ ରେସ୍ପନ୍ସିବିଲିଟିର ମୁଖ୍ୟ ଡ. ଅମିତ୍ ପ୍ରସାଦ ନନ୍ଦ, ଟାଟା ଷ୍ଟିଲ ଜାମସେଦପୁରର ପ୍ରମୋଦ କୁମାର ପାତ୍ର, ନୃପରାଜ ମହାରଣା, ମିସ୍ ନୀଳିମା ପ୍ରମୁଖ ଅଧିକାରୀ ବୃନ୍ଦ, ସୁବର୍ଣ୍ଣରେଖା ପୋର୍ଟ ପ୍ରାଇଭେଟ ଲିମିଟେଡ୍ର ଅଧିକାରୀବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ବିଭିନ୍ନ ଦିଗରୁ ଆଲୋଚନା କରିଥିଲେ । ଫକୀର ମୋହନ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଡ. ସନ୍ତୋଷ କୁମାର ଅଗ୍ରୱାଲା, ପ୍ରଫେସର ମନୋରଞ୍ଜନ ମିଶ୍ର, ଡ. ମିହିର ତନୟ ଦାସ, ଡ. ରବି ନାରାୟଣ ବେହେରା, ଡ. ଅଶେଷ କୁମାର ନାୟକ, ଡ. ପ୍ରହ୍ଲାଦ ଖିଲାର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ । ବାଲେଶ୍ୱର ସଂଲଗ୍ନ ଆଦିବାସୀ ଅଧ୍ୟୁଷିତ ଗ୍ରାମାଞ୍ଚଳରୁ ଷ୍ଟେକ୍ ହୋଲଡ଼ର ଭାବରେ ଆଦିବାସୀବୃନ୍ଦ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏଥିରେ ଅଧ୍ୟାପକ ଡ. ନିହାର ରଞ୍ଜନ ରାଉତ ସଂଯୋଜନା କରିଥିଲେ ।
