ଇରମ ହତ୍ୟାକାଣ୍ଡ ୮୧ ବର୍ଷ ପୂର୍ତ୍ତି ଅବସରରେ ଜାତୀୟ ଆଲୋଚନାଚକ୍ର
ବାଲେଶ୍ୱର : ଇରମ ହତ୍ୟାକାଣ୍ଡର ୮୧ ବର୍ଷ ପୂର୍ତ୍ତି ଅବସରରେ ଫକୀର ମୋହନ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଇତିହାସ ଓ ପ୍ରତ୍ନତତ୍ତ୍ୱ ବିଭାଗ ଆନୁକୂଲ୍ୟରେ ଏକଦିନିଆ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ରକ୍ତତୀର୍ଥ ଇରମ ଭାବେ ପରିଚିତ ଭଦ୍ରକର ବାସୁଦେବପୁରର ଇରମ ଠାରେ ସେପ୍ଟେମ୍ବର ୨୮ ତାରିଖ ୧୯୪୨ ମସିହାରେ ଶାନ୍ତିପୂର୍ଣ୍ଣ ଭାବେ ଇଂରେଜ ସାଶନକୁ ପ୍ରତିବାଦ କରୁଥିବା ବେଳେ ୨୮ ଜଣ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଇଂରେଜ ମାନେ ହତ୍ୟା କରିଥିଲେ ।
“ଇରମ ହତ୍ୟାକାଣ୍ଡ: ଓଡ଼ିଶାରେ ଭାରତ ଛାଡ଼ ଆନ୍ଦୋଳନରେ ଭାଗନେଇଥିବା ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଉଦ୍ଦେଶ୍ୟରେ ଏକ ସ୍ମୃତିଚାରଣ” ଶୀର୍ଷକ ଏହି ଆଲୋଚନାଚକ୍ରରେ ଯୋଗଦେଇ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ନିଜ ଜୀବନକୁ ବଳିଦାନ ଦେଇ ଦେଶକୁ ସ୍ୱାଧୀନତା ପ୍ରଦାନ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ତଥା ରକ୍ତତୀର୍ଥ ଭାବେ ନାମିତ ଭଦ୍ରକର ଇରମ ମାଟିର ସ୍ୱଧିନତା ସଂଗ୍ରାମୀମାନଙ୍କ ଉଦ୍ଦେଶ୍ୟରେ ସ୍ମୃତିଚାରଣ କରିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ମୁନେଶ ଚନ୍ଦ୍ର ଅଧିକାରୀ ତାଙ୍କ ଭାଷଣରେ ଇରମ ହତ୍ୟାକାଣ୍ଡକୁ ଆମ ଦେଶର ସ୍ୱାଧୀନତା ସଂଗ୍ରାମରେ ଏକ ଅନ୍ୟତମ ଅଧ୍ୟାୟ ରୂପେ ବିବେଚନା କରି ଦେଶ ସ୍ୱାଧୀନରେ ନିଜର ଜୀବନକୁ ବଳିଦାନ ଦେଇଥିବା ଶହୀଦ ଇରମବାସୀ ତଥା ଓଡ଼ିଆ ମାନଙ୍କର ଗୁଣଗାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ରାଧାନାଥ ତ୍ରିପାଠୀ ଯୋଗ ଦେଇ ଭାରତ ଛାଡ଼ ଆନ୍ଦୋଳନରେ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ଭୂମିକା ତଥା ଇରମ ହତ୍ୟାକାଣ୍ଡର ପ୍ରାସଙ୍ଗିକତା ସମ୍ପର୍କରେ ଆଲୋଚନାଚକ୍ରରେ ଉପସ୍ଥିତ ଥିବା ଛାତ୍ରୀଛାତ୍ର, ଗବେଷକ ଓ ଅଧ୍ୟାପିକାଅଧ୍ୟାପକ ମାନଙ୍କୁ ଅବଗତ କରାଇଥିଲେ । ମୁଖ୍ୟବକ୍ତା ଭାବେ ଓଡ଼ିଶାର ଜଣାଶୁଣା ଐତିହାସିକ ପ୍ରଫେସର ଅଶୋକ କୁମାର ପଟ୍ଟନାୟକ ଯୋଗଦେଇ ସ୍ୱାଧୀନତା ସଂଗ୍ରାମରେ ଇରମ ହତ୍ୟାକାଣ୍ଡର ପୃଷ୍ଠଭୂମି ଓ ଏହି ଘଟଣାରେ ଜୀବନ ଉତ୍ସର୍ଗ କରିଥିବା ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ସ୍ମୃତିଚାରଣ କରିଥିଲେ । ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ୰ ଗଣେଶ ତ୍ରିପାଠୀଙ୍କର ସୁପୁତ୍ର ରେବତୀକାନ୍ତ ତ୍ରିପାଠୀ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱାଧୀନତା ସଂଗ୍ରାମରେ ତାଙ୍କର ପିତାଙ୍କର ଅବଦାନ ସମ୍ପର୍କରେ ସମସ୍ତଙ୍କୁ ଜଣାଇଥିଲେ । ଏହି ଅବସରରେ ସର୍ବେଶ୍ୱର ଦାସଙ୍କ ଦ୍ୱାରା ସଂଗ୍ରହ କରାଯାଇଥିବା ସ୍ୱାଧୀନତା ସଂଗ୍ରାମ ସମ୍ପର୍କିତ ଏକ ଚିତ୍ର ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । ଇତିହାସ ଓ ପ୍ରତ୍ନତତ୍ତ୍ୱ ବିଭାଗ ତରଫରୁ ଡ. ଶିଖାଶ୍ରୀ ରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଭାଗର ସଂଯୋଜକ ଡ. ରାମକୃଷ୍ଣ ପ୍ରଧାନ ସ୍ୱାଗତ ଭାଷଣ ଦେଇଥିବା ବେଳେ ଡ. ସୁଶାନ୍ତ ବାରିକ ଓ ଜୀନାପ୍ରିୟଙ୍କା ଜେଠି ଏହାର ପରିଚାଳନା କରିଥିଲେ । ଡ. ଶୌମି ସେନଗୁପ୍ତା ଧନ୍ୟବାଦ ଅର୍ପଣ କରିଥିଲେ ।
