ଦେଶର ନୂଆ ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣି
ନୂଆଦିଲ୍ଲୀ : ବରିଷ୍ଠ ଆଇନଜୀବୀ ଆର ଭେଙ୍କଟରମଣି ଦେଶର ନୂଆ ଆଟର୍ଣ୍ଣି ଜେନେରାଲ । ଭେଙ୍କଟରମଣିଙ୍କୁ ଦେଶର ନୂଆ ଆଟର୍ଣ୍ଣି ଜେନେରାଲ ଭାବେ ନିଯୁକ୍ତ କରାଯାଇଛି । ସେ ଅକ୍ଟୋବର ୧ରୁ ଦାୟିତ୍ବ ଗ୍ରହଣ କରିବେ । ତାଙ୍କର କାର୍ଯ୍ୟକାଳ ୩ ବର୍ଷ ରହିବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ କ୍ରମେ ତାଙ୍କୁ ଏହି ନିଯୁକ୍ତି ମିଳିଛି । ବୁଧବାର କେନ୍ଦ୍ର ଆଇନ ଓ ନ୍ୟାୟିକ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇ ଏହି ସୂଚନା ଦିଆଯାଇଛି ।
ବର୍ତ୍ତମାନ ଦେଶର ଆଟର୍ଣ୍ଣି ଜେନେରାଲ ପଦରେ ଅଛନ୍ତି କେକେ ବେଣୁଗୋପାଳ । ସେପ୍ଟେମ୍ବର ୩୦ ତାରିଖରେ ତାଙ୍କର କାର୍ଯ୍ୟକାଳ ଶେଷ ହେବ । ସେ ୨୦୧୭ ଜୁନ ୩୦ରୁ ଏଜି ପଦଭାର ଗ୍ରହଣ କରିଥିଲେ ଏବଂ ତାଙ୍କର କାର୍ଯ୍ୟକାଳ ୩ ବର୍ଷ ଥିଲା । ତାଙ୍କ କାର୍ଯ୍ୟକାଳକୁ ତିନି ଥର ବୃଦ୍ଧି କରାଯାଇଥିଲା । ୨୦୨୦ରେ ତିନି ବର୍ଷର କାର୍ଯ୍ୟକାଳ ସରିବା ପରେ ବି ସେ ପଦ ଛାଡିବାକୁ ଇଚ୍ଛା ପ୍ରକାଶ କରିଥିଲେ । କିନ୍ତୁ କେନ୍ଦ୍ର ସରକାରଙ୍କ ଅନୁରୋଧ କ୍ରମେ ସେ ରାଜି ହୋଇଥିଲେ ।
ତାଙ୍କର କାର୍ଯ୍ୟକାଳ ସରିବା ପରେ ବରିଷ୍ଠ ଓକିଲ ତଥା ପୂର୍ବତନ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗୀଙ୍କୁ ପୁଣିଥିରେ ଏହି ପଦରେ ନିଯୁକ୍ତି ଲାଗି କେନ୍ଦ୍ର ସରକାର ପ୍ରସ୍ତାବ ଦେଇଥିଲେ । କିନ୍ତୁ ସେ ଏହି ପ୍ରସ୍ତାବକୁ ପ୍ରତ୍ୟାଖାନ କରିଥିଲେ । ଏହାପରେ ବରିଷ୍ଠ ଆଇନଜୀବୀ ଆର ଭେଙ୍କଟରମଣି ଆଟର୍ଣ୍ଣି ଜେନେରାଲ ଭାବେ ନିଯୁକ୍ତ କରାଯାଇଛି ।
୧୯୫୩ ଏପ୍ରିଲ ୧୩ରେ ପଣ୍ଡିଚେରୀରେ ଆର ଭେଙ୍କଟରମଣିଙ୍କ ଜନ୍ମ । ସେ ୧୯୭୭ରେ ତାମିଲନାଡୁ ବାର କାଉନସିଲରୁ ଓକିଲାତି ଆରମ୍ଭ କରିଥିଲେ । ୧୯୭୯ ମସିହାରେ ସେ ସୁପ୍ରିମକୋର୍ଟରେ ବରିଷ୍ଠ ଆଇନଜୀବୀ ଭାବେ ଓକିଲାତି କରିଥିଲେ । ୨୦୧୦ ଓ ୨-୧୩ରେ ଭେଙ୍କଟରମଣି ଲ’ କମିଶନର ସଦସ୍ୟ ଥିଲେ ।
