ପୂଜାମଣ୍ଡପରେ ମୂର୍ତି ନିର୍ମାଣ ଶେଷ ପର୍ଯ୍ୟାୟରେ
ପୁରୀ : ଶ୍ରୀକ୍ଷେତ୍ରର ବିଭିନ୍ନ ପୂଜା ମଣ୍ଡପରେ ନିର୍ମାଣ ହେଉଥିବା ମୂର୍ଣ୍ଣୟୀ ମୂର୍ତି ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଛିଛି । ଷଷ୍ଠୀ ଓଷା ଠାରୁ ମୂର୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ମୂର୍ତି କାରିଗରମାନେ କାଠ,ପଟା,ଖଟ,କୀଳା,ନଡ଼ା, ମାଟି,ଧଳାକନା, ଆଦି ସରଞ୍ଜାମ ସଂଗ୍ରହ କରି ମୁର୍ତି ନିର୍ମାଣରେ ନିୟୋଜିତ ହୋଇଥିଲେ । କୀଳା ବାଡ଼େଇ ମୂର୍ତିର ପ୍ରତିକୃତି ନଡ଼ାରେ ନିର୍ମାଣ କରି ତା ଉପରେ ମାଟି ଲେପନ କରିଥାନ୍ତି । ମାଟି ଉପରେ ଧଳାକନା ପକାଇ ପରେ ରଙ୍ଗ କାର୍ଯ୍ୟ ଆରମ୍ଭ କରିଥାନ୍ତି । ବିଭିନ୍ନ ମଣ୍ଡପରେ ମୂର୍ତି ଗୁଡ଼ିକ ବିଭିନ୍ନ ଆକୃତି ଓ ଉଚ୍ଚତାର ସହ ନିର୍ମାଣ ହୋଇଥାଏ । ପୂଜାମଣ୍ଡପ କମିଟିର ତତ୍ୱାବଧାନରେ ମୂର୍ତି ନିର୍ମାଣ ଅଗ୍ରସର ହୋଇଥାଏ । ବିଭିନ୍ନ ସାହି ଓ ଯାଗା ମାନଙ୍କରେ ମୂର୍ତି ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଛିଛି । ସହର ପୂଜାପଣ୍ଡପ ମଧ୍ୟରେ ବାରବାଟୀ, କାକୁଡ଼ିଖାଇ, ଜହ୍ନିଖାଇ, ଜହ୍ନିମୁଣ୍ଡିଆ, ବନଦୁର୍ଗା, ଗେଳବାଇ,ହରଚଣ୍ଡୀ, ଶୂନ୍ୟଗୋସାଣୀ, ମହତେଶ୍ୱରୀ, ବେଲବାଇ ଆଦି ମଣ୍ଡପରେ ଏବେ ମୂର୍ତି କାରିଗରମାନେ ନିଷ୍ଠା ଓ ଭକ୍ତିର ସହ କାର୍ଯ୍ୟରେ ନିମଗ୍ନ ଅଛନ୍ତି । ଏହା ସହ ବିଭିନ୍ନ ଯାଗା ଅଖାଡ଼ା ମାନଙ୍କରେ ନାଗାମୂର୍ତି, ହନୁମାନ ମୂର୍ତି, ବୁଢାବୁଢୀ ଚଢେଇଆ ଚଢେଇଆଣୀ ଆଦି ମୂର୍ତି ନିର୍ମାଣ ଚାଲିଛି । ପୁରୀ ନାଗାମୂର୍ତି ବେଶ ଆକର୍ଷଣୀୟ ହୋଇଥାଏ । ବିଭିନ୍ନ ପୂଜା ମଣ୍ଡପରେ ମୂର୍ତି ନିର୍ମାଣରେ କାରିଗର ମାନଙ୍କ କରିସ୍ମା ଦେଖିବାକୁ ମିଳିଛି । ମହାସପ୍ତମୀ ଠାରୁ ଦଶହରା ପର୍ଯ୍ୟନ୍ତ ଚଣ୍ଡୀପାଠ ଓ ପୂଜାର୍ଚ୍ଚନା ଚାଲୁରହିବ । ଆକର୍ଷଣୀୟ ଦେବୀମୂର୍ତି ନିର୍ମାଣରେ ପୁରୀ କାରିଗରଙ୍କ ପ୍ରସିଦ୍ଧି ରହିଛି । ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଦେବୀ ଯାତ ଅନୁଷ୍ଠିତ ହେବ । ଦୁର୍ଗାପୂଜା ଦେଖିବାକୁ ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଜିଲ୍ଲା ପ୍ରଶାସନ,ପୋଲିସ ପ୍ରଶାସନ,ପୂଜା ମଣ୍ଡପ କମିଟିଙ୍କ ପ୍ରସ୍ୁତି ବୈଠକ ଅନୁଯାୟୀ ସମସ୍ତ କାର୍ଯ୍ୟ ଶାନ୍ତି ଶୃଙ୍ଖଳାର ସହ ସମାପନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଛିଛି ।
