ଝାରସୁଗୁଡ଼ା ଜିଲ୍ଲାରେ ପହଞ୍ଚିଲା ଭ୍ରାମ୍ୟମାଣ ପାଠାଗାର
ଝାରସୁଗୁଡ଼ା : ଛାତ୍ର ଛାତ୍ରୀ ମାନଙ୍କୁ ପୁସ୍ତକ ମନସ୍କ କରାଇବା, ପୁସ୍ତକ ପ୍ରତି ଆଗ୍ରହ ବଢାଇବା ଓ ସେମାନଙ୍କ ହାତ ପାହାନ୍ତାରେ ପୁସ୍ତକ ଓ ପତ୍ର ପତ୍ରିକା ପହଞ୍ଚାଇବା ତଥା ଶିଶୁ ସାହିତ୍ୟର ବିକାଶ କରିବା ଉଦ୍ଦେଶ୍ୟରେ କାର୍ଯ୍ୟରତ ବରଗଡ଼ର ‘ଶିଶୁଶ୍ରୀ’ ଭ୍ରାମ୍ୟମାଣ ପାଠାଗାର ଆନୁକୁଲ୍ୟରେ ଆୟୋଜିତ ପିଲାଙ୍କ ପାଖରେ ପାଠାଗାର କାର୍ଯ୍ୟକ୍ରମ ଝାରସୁଗୁଡ଼ା ଜିଲ୍ଲା ସର୍ ବାହାଲ ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ପରିସର ମଧ୍ୟରେ ଆୟୋଜିତ ହୋଇଯାଇଛି। ବିଦ୍ୟାଳୟର ସଭାପତି ଡକ୍ଟର ସରୋଜ କୁଅଁର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ଅନନ୍ତ ରାମ ସାହୁ, ମୁଖ୍ୟ ବକ୍ତା ଭାବେ ପ୍ରଧ୍ୟାପକ ତପନ କୁମାର ବାରିକ ଓ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ର ସମ୍ପାଦକ ସୁବ୍ରତ କୁମାର ତ୍ରିପାଠୀ ଓ ସାହିତ୍ୟିକ ଅକ୍ଷୟ କୁମାର ପତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପୁସ୍ତକ ମନୁଷ୍ୟ କୁ ସହାନୁଭୂତି ସମ୍ପନ୍ନ କରିବା ସହ ମଣିଷ ଭିତରେ ମଣିଷ ପଣିଆ ଭରି ଦେଇଥାଏ ବୋଲି ମତବ୍ୟକ୍ତ କରିଥିଲେ। ତେଣୁ ଛାତ୍ରଛାତ୍ରୀମାନେ ପାଠାଗାର ସହ ସମ୍ପର୍କ ଯୋଡି ପୁସ୍ତକ ମନସ୍କ ହୋଇ ପୁସ୍ତକ ସହ ବନ୍ଧୁତା ସ୍ଥାପନ କରିବାକୁ ପରାମର୍ଶ ଦେଇଥିଲେ। ଶିଶୁଶ୍ରୀ ଭ୍ରାମ୍ୟମାଣ ପାଠାଗାର ର ଆବାହକ ଶିଶୁ ସାହିତ୍ୟିକ ଡକ୍ଟର ରବିନାରାୟଣ ସାହୁ ୨୦୧୮ ମସିହାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ବରଗଡ଼ ଜିଲ୍ଲାରୁ ଆରମ୍ଭ ହୋଇ ନଅଟି ଜିଲ୍ଲା ପରିକ୍ରମା ସାରି ଦଶମ ଜିଲ୍ଲା ଭାବେ ଝାରସୁଗୁଡ଼ା ରେ ପହଞ୍ଚି ଥିବା କଥା ଉଲ୍ଲେଖ କରି ଥିଲେ। ଏହି ଅବସରରେ ପ୍ରଦର୍ଶିତ ପୁସ୍ତକ ସବୁରୁ ନିଜର ପସନ୍ଦ ମୁତାବକ ପୁସ୍ତକ ପାଠକରି ପଠିତ ପୁସ୍ତକ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରି ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ଜସ୍ମିନ ଭୂୟାଁ, ବୈଷ୍ଣବୀ ତ୍ରିପାଠୀ ଓ ବିଶ୍ବରଂଜନ ଦଳାଇ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। ଏହି ଅବସରରେ ଆବାହକ ଡକ୍ଟର ସାହୁ ଙ୍କୁ ବିଦ୍ୟାଳୟ ତରଫରୁ ସମ୍ମାନିତ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ବିଜୟ କୁମାର ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।
