ପିତୃପୁରୁଷଙ୍କ ସ୍ମରଣାର୍ଥେ ମହାଳୟା …
ଉତ୍କୃଷ୍ଟ କଳା, ଗୌରବମୟ ଇତିହାସ, ସମୃଦ୍ଧ ପରମ୍ପରା, ଐତିହ ଓ ସଂସ୍କୃତିର ଗନ୍ତାଘର ଓଡିଶା | ଏହାର ଚାଲିଚଳଣି, ସଂସ୍କୃତି ଓ ପରମ୍ପରା ଦେଶର ଅନ୍ୟ ଆଞ୍ଚଳ ଠାରୁ ଭିନ୍ନ ଓ ସ୍ଵତନ୍ତ୍ର | କଥାରେ ଅଛି – ଓଡିଶାରେ ବାର ମାସରେ ତେର ପର୍ବ | ଦୁଃଖ ଓ ଯନ୍ତ୍ରଣା ରେ ପରିପୂର୍ଣ ମଣିଷ ଜୀବନ କୁ ସରସ ଓ ସୁନ୍ଦର କରି ଥାଏ ବିଭିନ୍ନ ପର୍ବପର୍ବାଣି | ଓଡିଶାରେ ପାଳିତ ହେଉଥିବା ବିଭିନ୍ନ ପର୍ବ ପର୍ବାଣି ମଧ୍ୟରେ ମହାଳୟା ସ୍ଵତନ୍ତ୍ର | ମହାଳୟା ଅମାବାସ୍ୟା ଠାରୁ ଦେବୀ ଦୂର୍ଗାଙ୍କ ନବରାତ୍ରି ପୂଜା ତଥା ଶାରଦୀୟ ଦଶହରା ପର୍ବ ଆରମ୍ଭ ହୋଇ ଥାଏ |
ଏହା ଆଶ୍ଵିନ ମାସ କୃଷ୍ଣ ପକ୍ଷ ଅମାବାସ୍ୟା ତିଥିରେ ପଡି ଥାଏ | ଧାର୍ମିକ ପରମ୍ପରାରେ ପିତୃପୁରୁଷଙ୍କ ପାଇଁ ପାଳନ କରାଯାଉଥିବା ବିଭିନ୍ନ ଶ୍ରାଦ୍ଧ କର୍ମ ମଧ୍ୟରେ ମହାଳୟା ଶ୍ରେଷ୍ଟତମ | ଏହି ଅବସରରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦାନ ଓ ଉତ୍ସର୍ଗ ଆଦି କରାଯାଉଥିବାରୁ ଏହାକୁ ପିତୃ ପର୍ବ କୁହାଯାଏ | ପ୍ରତିପଦା ଠାରୁ ପରବର୍ତ୍ତୀ ଅମାବାସ୍ୟା ପର୍ଯ୍ୟନ୍ତ ହେଉଛି ପିତୃପକ୍ଷ | ପିତୃପକ୍ଷର ଚତୁର୍ଦ୍ଦଶୀ ଯାଏଁ ତର୍ପଣ ପରେ ଅମାବାସ୍ୟାରେ ପିଣ୍ଡ ଦାନ କରିବାର ବିଧି ରହିଛି |
ମହାଳୟା ଅମବାସ୍ୟାରେ ଅନୁଷ୍ଠିତ ଏହି ଶ୍ରାଦ୍ଧକୁ ସମ୍ବତ୍ସରିକ ଶ୍ରାଦ୍ଧ, ପାର୍ବଣ ଶ୍ରାଦ୍ଧ, ମଉଳା ଶ୍ରାଦ୍ଧ ମଧ୍ୟ କୁହାଯାଏ | ଏହି ଅବସରରେ ପିତୃ ପକ୍ଷରେ ଯେକୌଣସି ଦିନ ନିଜର ସାଧ୍ୟ ମତେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ବ୍ରାହ୍ମଣ ଭୋଜନ ଦିଆଯାଏ | ଏହାଦ୍ବାରା ପୁଣ୍ୟଲାଭ ଏବଂ ବଂଶର ଉତ୍ତର ପିଢୀର ସକଳ ଉନ୍ନତି ହେଉଥିବା ବିଶ୍ବାସ କରାଯାଏ |
ମନୁଷ୍ୟ ନିଜର ଜନ୍ମ କାଳ ମଧ୍ୟରେ ସଂସାର ଚକ୍ରରେ ଘାଣ୍ଟି ହୋଇ ଲୋଭ ମୋହ ଆଦି ରିପୁ ଗୁଡିକୁ ଆପଣେଇ ଥାଏ | ଏହି ଭୋଗ ଇଚ୍ଛାରୁ ଯଦି ଗୋଟିଏ ମରଣ କାଳରେ ମଣିଷ ମନରେ ଉଦ୍ରେକ ହୁଏ ତା’ହେଲେ ଜୀବାତ୍ମା ଅମୋକ୍ଷ ଅବସ୍ଥାରେ ରହେ | ମାତ୍ର ଯେଉଁ ପୁଣ୍ୟାତ୍ମା ମୃତ୍ୟୁ ସମୟରେ କାମନାହୀନ ଭାବେ ରହିଥାଏ , ସେ ଜୀବ ଦେହତ୍ୟାଗ ପରେ ପରମାତ୍ମା ପ୍ରାପ୍ତି ହୋଇଥାଏ | ଅଥଚ କାମନାଯୁକ୍ତ ଜୀବ ଅଦୃଶ୍ୟ ଶରୀର ଲାଭ କରି ପ୍ରଥମେ ପ୍ରେତତ୍ଵ ଓ ପରେ ପିତୃତ୍ଵ ଲାଭ କରିଥାଏ | ପ୍ରେତତ୍ଵର ଉତ୍କଣ୍ଠା ମାତ୍ରାଧିକ ଅଥଚ ପିତୃତ୍ଵ ର ଉତ୍କଣ୍ଠା ସଂଯତ | ସେଥିପାଇଁ ପିତୃପକ୍ଷରେ ହିଁ ସେମାନେ ଉତ୍ତରପୁରୁଷ ଅର୍ଥାତ ପୁତ୍ରପୌତ୍ରାଦିଙ୍କ ଠାରୁ ତିଳୋଦକ ପାଇବା ପାଇଁ ଅପେକ୍ଷା କରି ରହିଥାନ୍ତି | ଯେଉଁ ଦିବସ ଗୁଡିକୁ ଶାସ୍ତ୍ରରେ ‘ପିତୃ କ୍ଷୁଧା ’ ଦିବସ ରୂପେ ଅଭିହିତ କରାଯାଇଛି , ତାହାର ଦୀର୍ଘତା ପ୍ରକୃତ ପକ୍ଷେ ଆଶ୍ଵିନ ମାସ କୃଷ୍ଣ ପକ୍ଷ ପ୍ରତିପଦା ଠାରୁ କାର୍ତ୍ତିକ ମାସ ଅମାବାସ୍ୟା ପର୍ଯ୍ୟନ୍ତ | ପିତୃପୁରୁଷ ମାନେ ମହାଳୟାରେ ପିଣ୍ଡଲାଭ ପୂର୍ବକ ତୃପ୍ତିଲାଭ କରି ଦୀପାବଳିର ପବିତ୍ର ମୁହୂର୍ତ୍ତରେ ଉତ୍ତରପୁରୁଷଙ୍କ ଦ୍ଵାରା ପ୍ରଦର୍ଶିତ ଉଜ୍ଵଳ ଆଲୋକ ମାର୍ଗରେ ସ୍ଵଲୋକକୁ ସନ୍ତୋଷରେ ପ୍ରତ୍ୟାବର୍ତ୍ତନ କରନ୍ତି |
