“ନଦୀମାନଙ୍କ ମୃତ୍ୟୁରେ ମାନବ ସମାଜ ଓ ଜୀବଜଗତ ଧ୍ୱଂସ ପାଇବ” – ନଦୀ ସୁରକ୍ଷା ଅଭିଯାନ ଯାତ୍ରାରମ୍ଭ
ବାଲେଶ୍ୱର/ରେମୁଣା- ତ୍ରିବେଣୀଘାଟ : ଲୋକଶକ୍ତି ଓ ଜନ ଆନ୍ଦୋଳନମାନଙ୍କ ରାଷ୍ଟ୍ରୀୟ ସମନ୍ୱୟ ତରଫରୁ ଓଡ଼ିଶାର ନଦୀ ଓ ଜଳ ଉତ୍ସଗୁଡ଼ିକର ସୁରକ୍ଷା ଅଭିଯାନଯାତ୍ରା ଶୁକ୍ରବାରଦିନ ପୂର୍ବାହ୍ନରେ କାଠସିଙ୍ଗଡ଼ା ଗ୍ରାମ ନିକଟସ୍ଥ ସୋଣ, ଗଙ୍ଗାହାର ଓ ବୁଢ଼ାବଳଙ୍ଗର ତ୍ରିବେଣୀ ସଙ୍ଗମ ସ୍ଥଳରୁ ଆରମ୍ଭ ହୋଇଛି । ସିଭିଲ୍ ସୋସାଇଟି ପକ୍ଷରୁ ଆହୂତ ସାଧାରଣ ସଭାରେ ଅନ୍ତର୍ଯ୍ୟାମୀ ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ବିଶିଷ୍ଟ ପରିବେଶବିତ୍ ତଥା ମେଗାସିସ୍ ପୁରସ୍କାରପ୍ରାପ୍ତ ପ୍ରଫୁଲ୍ଲ ସାମନ୍ତରା ଏହି ସଭାରେ ଯୋଗଦେଇ ନଦୀ ଓ ଜଳଉତ୍ସମାନଙ୍କୁ ବ୍ୟାପକ ପ୍ରଦୂଷଣ କରାଯାଉଛି ଓ ଗତ ଶହେ ବର୍ଷ ମଧ୍ୟରେ ଦେଶର ତଥା ଆମ ରାଜ୍ୟର କେତେକ ନଦୀର ମୃତ୍ୟୁ ହୋଇଯାଇଛି ବୋଲି ଦୃଷ୍ଟାନ୍ତ ସହ ଉପସ୍ଥାପନା କରିଥିଲେ । ନଦୀମାନଙ୍କୁ ନେଇ ମାନବସଭ୍ୟତା ସୃଷ୍ଟି ହୋଇଥିଲା । ଏବେ ନଦୀଗୁଡ଼ିକର ମୃତ୍ୟୁହେଲେ ମାନବ ସଭ୍ୟତା ଓ ଜୀବଜଗତ ଲୋପ ପାଇବ । ତେଣୁ ନଦୀଗୁଡ଼ିକର ସୁରକ୍ଷା ଅତ୍ୟନ୍ତ ଜରୁରୀ ବୋଲି ଶ୍ରୀ ସାମନ୍ତରା ମତ ଦେଇଥିଲେ । ସୋସାଇଟିର ସଂପାଦକ ଆଇନଜୀବୀ ମନୋଜ ନାୟକ ନଦୀ ସୁରକ୍ଷା ଅଭିଯାନର ଉଦ୍ଦେଶ୍ୟ ସଂପର୍କରେ ଜଣାଇଥିଲେ । ଅଭିଯାତ୍ରୀ ଦଳର ରାଜ୍ୟ ଆବାହକ କଲ୍ୟାଣ ଆନନ୍ଦ, ଗବେଷିକା ଡ. ବ୍ରତିନ୍ଦି ଜେନା, ତ୍ରିବେଣୀ ପୀଠର ମଠାଧୀଶ ଦୟାନନ୍ଦଜୀ, ରୋଟାରିଆନ୍ ନିକୁଞ୍ଜ ମହାନ୍ତି, ପୂର୍ବତନ ବିଧାୟକ କିଶୋର ଦାଶ, ସାମାଜିକ କର୍ମୀ ଅରୁଣ ଜେନା, ବେଣୁଧର ସାହୁ, ସ୍ଥାନୀୟ ବାସିନ୍ଦା ନିରଞ୍ଜନ ଗିରି, ଅଞ୍ଜଳି ସାମଲ, ବାଲିଆପାଳ ଭିଟାମାଟି ସୁରକ୍ଷା ଆନ୍ଦୋଳନ କର୍ମୀ ଅନୁଜ ମହାପାତ୍ର, ଆଇନଜୀବୀ ତୁଷାର ମହାପାତ୍ର ଓ ସୀତାରାମ ପ୍ରଧାନ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ଗୌରାଙ୍ଗ ପାଣିଗ୍ରାହୀ ଅତିଥିମାନଙ୍କୁ ମଞ୍ଚକୁ ଆହ୍ୱାନ କରି ସ୍ୱାଗତ ଜଣାଇଥିଲେ । ଗଗନ କୁମାର ସେଠୀ ଧନ୍ୟବାଦ ଦେଇଥିଲେ । ସାଧାରଣ ସଭା ପରେ ସଙ୍ଗମସ୍ଥଳରେ ଜଳ ସତ୍ୟାଗ୍ରହରେ ଅଭିଯାତ୍ରୀ ଓ ସିଭିଲ୍ ସୋସାଇଟିର ସଦସ୍ୟମାନେ ଯୋଗ ଦେଇଥିଲେ । ଅପରାହ୍ନରେ ବାଲେଶ୍ୱର ସହରସ୍ଥିତ ଷ୍ଟେସନକ୍ଲବ୍ ସଭାଗୃହରେ ବିଭିନ୍ନ ସାମାଜିକ ସଂଗଠନର ପ୍ରତିନିଧି ଓ ବୁଦ୍ଧିଜୀବୀମାନଙ୍କ ବୈଠକରେ ଶ୍ରୀଯୁକ୍ତ ସାମନ୍ତରା ଯୋଗ ଦେଇଥିଲେ । ବର୍ତ୍ତମାନ ବିକାଶ ନାମରେ ଯେପରି ପ୍ରାକୃତିକ ସଂପଦକୁ ଧ୍ୱଂସ କରାଯାଉଛି, ତାହା ଆଗାମୀ ବଂଶଧରମାନଙ୍କ ପାଇଁ ବହୁ ବିପଦ ସୃଷ୍ଟିକରିବ ବୋଲି ଶ୍ରୀ ସାମନ୍ତରା ମତବ୍ୟକ୍ତ କରିଥିଲେ । ତାଙ୍କ ଲିଖିତ ପ୍ରବନ୍ଧ ପୁସ୍ତକ ‘ଆମ ଭବିଷ୍ୟତ କେତେ ସୁରକ୍ଷିତ!’କୁ ବରିଷ୍ଠ ଆଇନଜୀବୀ ଶରତ ମହାପାତ୍ର ଉନ୍ମୋଚନ କରିଥିଲେ । ଶ୍ୟାମସୁନ୍ଦର ଜେନା ଧନ୍ୟବାଦ ଦେଇଥିଲେ ।
