ଗଞ୍ଜାମରୁ ଖସି କଟକରେ ଫସିଲା ! ଗଞ୍ଜେଇ ଯାଞ୍ଚ ବେଳେ କାରରୁ ମିଳିଳା ରୂପା ଇଟା
କଟକ: ଆଳୁ ଖୋଳୁ ଖୋଳୁ ମିଳିଲେ ମହାଦେବ। ଗୁରୁବାର କଟକ ଟାଙ୍ଗୀ ନିକଟରେ ଗଞ୍ଜେଇ ଖୋଜୁ ଖୋଜୁ ରୂପା ଇଟା ମିଳିଛି। ଏକ କାରର ସିକ୍ରେଟ ଚାମ୍ବରରୁ ପ୍ରାୟ ଏକ କ୍ୱିଣ୍ଟାଲ ରୂପା, ନଗଦ ଟଙ୍କା ଜବତ କରାଯାଇଛି। ଏହା ସହ ଦୁଇ ଅଭିଯୁକ୍ତଙ୍କୁ ଅବକାରୀ ଗୁଇନ୍ଦା ବିଭାଗ ଗିରଫ କରିଥିବା ସୂଚନା ମିଳିଛି। ଏହି ଜିନିଷ ସବୁ ଆସ୍କାରୁ ଖଡ଼କପୁର ଚାଲାଣ ହେଉଥିବା ପୋଲିସ କହିଛି।
ସୂଚନାନୁସାରେ, ଗୁରୁବାର ସକାଳେ ଅବକାରୀ ବିଭାଗକୁ ବିଶ୍ଵସ୍ତ ସୁତ୍ରରୁ ଗଞ୍ଜେଇ ଚାଲାଣର ଟିପଅପ୍ ମିଳିଥିଲା। ଏକ ଟାଟା ନେକ୍ସନ୍ କାରରେ କଟକ ଟାଙ୍ଗୀ ଦେଇ ଗଞ୍ଜେଇ ଚାଲାଣ କରାଯାଉଥିବା କୁହାଯାଇଥିଲା। ପୋଲିସ ଟିପଅପ୍ ଆଧାରରେ ଟାଙ୍ଗି ଟୋଲଗେଟ୍ ନିକଟରେ ଛକି ବସିଥିଲା। ଗାଡିଗୁଡିକ ଯାଞ୍ଚ ବେଳେ ଉକ୍ତ ଟାଟା ନେକ୍ସନ୍ କାରରୁ ଗଞ୍ଜେଇ ବାହାରିଲା ନାହିଁ, କିନ୍ତୁ ଯାହା ବାହାରିଲା ତାହା ଅବକାରୀ ବିଭାଗ କର୍ମଚାରୀଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। କାରଣ କାରର ସିକ୍ରେଟ ଚାମ୍ବରରେ ବିପୁଳ ପରିମାଣର ସିଲଭର ମିଳିଥିଲା।
ଅବକାରୀ ବିଭାଗର ଯାଞ୍ଚ ବେଳେ କାରରେ ଏକାଧିକ ସିକ୍ରେଟ ଚାମ୍ବର ମିଳିଥିଲା। ଯେଉଁଥିରୁ ଏକ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ରୂପା ଇଟା ଓ ରୂପା ଅଳଙ୍କାର ବାହାରିଥିଲା। କେବଳ ସେତିକି ନୁହଁ ଗାଡିରୁ ନଗଦ ୧୪ ଲକ୍ଷ ଟଙ୍କା ମଧ୍ୟ ବାହାରିଛି। ପଶ୍ଚିମବଙ୍ଗ ନମ୍ବର ଥିବା ଗାଡି ରୂପା ଅଳଙ୍କାର ନେଇ ଆସ୍କାରୁ ଖଡ଼କପୁର ଯାଉଥିବା କୁହାଯାଉଛି। ଏହି ଘଟଣାରେ ଡ୍ରାଇଭର ସମେତ ଦୁଇଜଣଙ୍କୁ ଅବକାରୀ ବିଭାଗ ଅଟକ ପଚରାଉଚରା କରୁଛି । ଏହା ସହ ଜିଏସଟି ଅଧିକାରୀମାନେ ମଧ୍ୟ ଅବକାରୀ କାର୍ଯ୍ୟାଳୟରେ ପହଞ୍ଚି ଘଟଣାର ଯାଞ୍ଚ କରୁଛନ୍ତି। ଘଟଣାର ସଂପୂର୍ଣ୍ଣ ଯାଞ୍ଚ ପରେ ରୂପାର ମୂଲ୍ୟ ଜଣାପଡ଼ିବ ବୋଲି ଜିଏସଟି ଅଧିକାରୀମାନେ କହିଛନ୍ତି।
ଅଟକ ଡ୍ରାଇଭର ଜଣଙ୍କ ନାମ ଦୀଲିପ ମଣ୍ଡଳ ଓ ତାଙ୍କ ଘର ଖଡଗପୁରରେ ବୋଲି ଜଣାପଡିଛି। ତାଙ୍କର କହିବା ଅନୁସାରେ, ସେ ଆସ୍କାର ବାବୁ ନାମକ ଜଣେ ଅଳଙ୍କାର ବ୍ୟବସାୟୀଙ୍କ ଠାରୁ ଏହି ଜବତ ରୂପା ନେଉଥିଲେ। ବାବୁଙ୍କୁ ତାଙ୍କୁ ନଗଦ ଟଙ୍କା ଦେଇଥିବା ଦୀଲିପ ସ୍ୱୀକାର କରିଛନ୍ତି। ଗଞ୍ଜାମ ସହ ଅଳଙ୍କାର ଚାଲାଣର ଏକ ପୁରୁଣା ସମ୍ପର୍କ ରହିଛି। ଗତ ବର୍ଷ ଡିସେମ୍ବରରେ ଗୋଷାଣୀ ନୂଆଗାଁ ଥାନା ପୋଲିସ ଛଅ କିଲୋ ସୁନା ଓ ୨୩୫ କିଲୋ ରୂପା ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଥିଲା। ତାମିଲନାଡୁ ସେଲମରୁ ଏକ କାର ଯୋଗେ ଅଳଙ୍କାର ଆସୁଥିଲା।
