ଏଣିକି ସରକାରୀ ବୈଠକରେ ମିଳିବ ମାଣ୍ଡିଆ ପ୍ରସ୍ତୁତ ସ୍ନାକ୍ସ
ବିଭିନ୍ନ ବିଭାଗର ସଚିବଙ୍କୁ ଅନୁରୋଧ ପତ୍ର ଲେଖିଲେ କୃଷି ସଚିବ
ଭୁବନେଶ୍ବର : ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଦ୍ୱାରା ଆୟୋଜିତ ବୈଠକ ଏବଂ ସମ୍ମିଳନୀରେ ମାଣ୍ଡିଆରୁ ପ୍ରସ୍ତୁତ ଜଳଖିଆ ପରିବେଷଣ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢୀ ଚିଠି ଲେଖିଛନ୍ତି ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବ ଏବଂ ସଚିବଙ୍କୁ ଚିଠି ଲେଖିଛନ୍ତି ।ପୁଷ୍ଟିରେ ଭରପୂର ମାଣ୍ଡିଆରୁ ପ୍ରସ୍ତୁତ ବିସ୍କୁଟ, ମିକ୍ସଚର, ଖୁରୁମା, ନିମିକି, ସେଉ, ପିଠା, ଛତୁଆ ଆଦି ଅତ୍ୟନ୍ତ ସ୍ୱାଦିଷ୍ଟ ଏବଂ ଗ୍ରାହକ ମହଲରେ ଏହା ବହୁଳ ଭାବରେ ଆଦୃତ ହେଉଛି । ଓଡ଼ିଶା ମିଲେଟ ମିଶନ ଦ୍ୱାରା ପ୍ରଶିକ୍ଷିତ ମିଶନ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ବିଭିନ୍ନ ବିଭାଗକୁ ମାଣ୍ଡିଆ ପ୍ରସ୍ତୁତ ଜଳଖିଆ ଯୋଗାଣ ଏକ ବଡ଼ ଆର୍ଥିକ ସୁଯୋଗ ସୃଷ୍ଟି କରିବ ବୋଲି ପ୍ରମୁଖ ଶାସନ ସଚିବ ପତ୍ରରେ ଉଲ୍ଲେଖ କରିଛନ୍ତି । ଏହା ଲଘୁଶସ୍ୟର ଉପକାରିତା ସଂପର୍କରେ ଜନସଚେତନତା ସୃଷ୍ଟି କରିବା ସହିତ ମାଣ୍ଡିଆରୁ ସ୍ନାକ୍ସ ପ୍ରସ୍ତୁତିରେ ଅନେକଙ୍କୁ ଜୀବିକା ଯୋଗାଇଦେବ ବୋଲି କୃଷି ସଚିବ ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ରାଜ୍ୟ ସରକାରଙ୍କ ଫ୍ଲାଗସିପ ଯୋଜନା ଓଡ଼ିଶା ମିଲେଟ ମିଶନକୁ ରାଜ୍ୟର ୧୯ଟି ଜିଲ୍ଲାରେ କାର୍ଯ୍ୟକାରୀ କରୁଛି । ମାଣ୍ଡିଆ ଏବଂ ଲଘୁଶସ୍ୟ ଅତ୍ୟନ୍ତ ପୁଷ୍ଟିକର ଏବଂ ଏହା ଜଳବାୟୁ ସହନଶୀଳ । ବର୍ଷାପୁଷ୍ଟ ଅଞ୍ଚଳର ସମ୍ବେଦନଶୀଳ କୃଷକମାନଙ୍କ ଜୀବିକାର ଉନ୍ନତି ନିମନ୍ତେ ଓଡ଼ିଶା ମିଲେଟ ମିଶନ ମାଣ୍ଡିଆକୁ ଚାଷରେ ଏବଂ ଜନସାଧାରଣଙ୍କ ଖାଦ୍ୟଥାଳିରେ ପୁନଃପ୍ରଚଳନ କରିବାକୁ ଲକ୍ଷ୍ୟ ରଖିଛି । ମିଲେଟ ଚାଷକୁ ପ୍ରୋତ୍ସାହିତ କରିବା ଦିଗରେ ଓଡ଼ିଶା ମିଲେଟ ମିଶନ ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ସର୍ବୋତ୍ତମ ମଡ଼େଲ୍ ମଧ୍ୟରୁ ଗୋଟିଏ । ଏନେଇ ଓଡ଼ିଶାକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ମିଳିଛି । ଭାରତ ସରକାର ମିଲେଟର ପ୍ରୋତ୍ସାହନ ପାଇଁ ଓଡ଼ିଶା ମଡେଲକୁ ଆପଣେଇବା ପାଇଁ ଅନ୍ୟ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି । ଜାତିଂସଘ ଦ୍ୱାରା ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ ବର୍ଷ ଭାବରେ ଘୋଷଣା କରାଯାଇଛି ।
