ଏନଏମଏକୁ ଧନ୍ୟବାଦ ଦେଲେ ଅପରାଜିତା
ଭୁବନେଶ୍ୱର : ଏନ୍ଏମ୍ଏର ସୁପାରିଶ ପରେ ଶ୍ରୀମନ୍ଦିରର ସୁରକ୍ଷା ଓ ନିରାପତା କଥା ଚିନ୍ତା କରୁଥିବା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ଆଶ୍ୱସ୍ତି ଦେଇଛି ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ କହିଛନ୍ତି । ଏନ୍ଓସିକୁ ନେଇ ସେ ଏନଏମଏକୁ ଧନ୍ୟବାଦ ଦେଇଛନ୍ତି । ଜଗନ୍ନାଥ ପରିକ୍ରମା ଓ ଅନ୍ୟ ଐତିହ୍ୟ ପ୍ରକଳ୍ପର କାରଣ ଖୋଜିଥିବାରୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି । ଅନ୍ୟପକ୍ଷରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି ସେ କହିଛନ୍ତି ଯେ ଆଇନ୍ ଅନୁଯାୟୀ କାମ କରୁଥିଲେ ଏଭଳି ଅପଦସ୍ତ ହେବାକୁ ପଡ଼ିନଥାନ୍ତା ।
ସୂଚନାଯୋଗ୍ୟ, ଶ୍ରୀମନ୍ଦିରଠାରୁ ଶହେ ମିଟର ଦୂରରେ ଅଭ୍ୟର୍ଥନା କକ୍ଷ ଓ ଏହାର ଉଚ୍ଚତା କମାଇବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି ଏନ୍ଏମ୍ଏ । ଏହା ଉପରେ ଅପରାଜିତା କହିଛନ୍ତି ଯଦି ରାଜ୍ୟ ସରକାର ଆଇନର ପରିଧି ଭିତରେ ରହି, ସେତେବେଳେ ୧୦୦ ମିଟର ବାହାରେ ଅଭ୍ୟର୍ଥନା କକ୍ଷର କାମ କରିଥାନ୍ତେ ତେବେ ବେଆଇନ ସୌଧ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇନଥାନ୍ତା ।
ଏନଏମଏ ୧୦୦ ମିଟର ବାହାରେ ବା ରେଗୁଲେଟେଡ ଏରିଆରେ କରିବାକୁ କହିଛନ୍ତି । ଅଭ୍ୟର୍ଥନା କକ୍ଷର ଉଚ୍ଚତା କମ କରିବାକୁ ପରାମର୍ଶ ଦେଇଛନ୍ତି ଏନଏମଏ । ଏହାଛଡା ୧୦୦ ମିଟର ନିଷିଦ୍ଧାଂଚଳ ପରିସରରେ ସମସ୍ତ ନିର୍ମାଣକୁ ରଦ୍ଦ କରାଯାଇଛି । ସମାନ ଭାବେ ଏକାମ୍ର ଓ କୋଣାର୍କ ଐତିହ୍ୟ ପ୍ରକଳ୍ପକୁ ମଧ୍ୟ ଏନଓସି ଦେଇଛନ୍ତି । ଅର୍ଥାତ୍ ସରକାର ଆମସାର ଆକ୍ଟ ମାନିବାକୁ ବାଧ୍ୟ ବୋଲି କହିଛନ୍ତି ଅପରାଜିତା ଷଡଙ୍ଗୀ ।
ସେପ୍ଟେମ୍ବର ୯ ତାରିଖରେ ଏନଏମଏ ସମ୍ମିଳନୀରେ ହୋଇଥିବା ଏନଓସି ବୈଠକରେ ଜାତୀୟ କୀର୍ତିରାଜି କର୍ତୃପକ୍ଷ ଏକାମ୍ର ସଂରକ୍ଷଣ ଯୋଜନାକୁ ଏନଓସି ଦେବା ସହ କିଛି ସର୍ତ ରଖିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମକୁ ଧନ୍ୟବାଦ ଜଣାଇଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ଆଗକୁ ଲିଙ୍ଗରାଜ ମନ୍ଦିର ଓ କୋଣାର୍କରେ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ଯେଉଁ କାମ କରିବେ ତାର ନିରୀକ୍ଷଣ କରିବ ଭାରତୀୟ ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥା ।
