ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ
ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲା ବିରମହାରାଜପୁରରେ ନୂଆଁଖାଇ ଭେଟଘାଟ-୨୦୨୨ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ଅଞ୍ଚଳର କଳାକରମାନେ ଲୋକ କଳା, ଲୋକ ସଂସ୍କୃତି, ନାଚ, ଗୀତ ସହ ସାଂସୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥଲେ । ପାରମ୍ପରିକ ନାଚଗୀତରେ ମଞ୍ଚ ଦୁଲୁକିଥିଲା । ସମ୍ବଲପୁରୀ ନାଚ ଗୀତରେ ମଧ୍ୟ ପରିବେଷିତ ହୋଇଥିଲା । ବର୍ଷିଆନ କଳାକାରଙ୍କ ଦ୍ୱାରା ପରିବେଷିତ ନୃତ୍ୟ ଓ ଗୀତ ମଧ୍ୟ ଦର୍ଶକଙ୍କ ମନ ମୋହିଥିଲା । କାର୍ଯ୍ୟକ୍ରମରେ ସ୍ଥାନୀୟ କଳାକାରଙ୍କ ସମେତ ବିଭିନ୍ନ ଜିଲ୍ଲାର କଳାକାର ଯୋଗ ଦେଇଥିଲେ ।
ଦର୍ଶକମାନେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଏହାକୁ ମନଭରି ଉପଭୋଗ କରିଥିଲେ । ଲୋକ କଳା ଓ ସଂସ୍କୃତି ଏବଂ ପଶ୍ଚିମ ଓଡିଶାର ପରମ୍ପରାକୁ ଉଜ୍ଜିବୀତ କରାଯାଇ ସ୍ଥାନୀୟ କଳାକାରଙ୍କୁ ମଞ୍ଚରେ ସୁଯୋଗ ଦେବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ଆୟୋଜକ କମିଟି ପ୍ରକାଶ କରିଛି । ବୀରମହାରାଜପୁର ମୁଖ୍ୟ ଛକରେ ଅନୁଷ୍ଠିତ ଏହି ନୂଆଁଖାଇ କାର୍ଯ୍ୟକ୍ରମରେ ନୂଆଁଖାଇ ଭେଟଘାଟ କମିଟିର ସଭାପତି ସ୍ୱାଧିନ ଖଟୁଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଡିଓ ମୋତିଲାଲ ସୁଲିଆ, ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା, ଉପାଧ୍ୟକ୍ଷ ନାରାୟଣ ଲୁହା, ଅଶୋକ ନନ୍ଦ, କୃତ୍ତିବାସ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ପଶ୍ଚିମ ଓଡିଶାର ପୁରପଲ୍ଲୀରେ ପାଳିତ ହେଉଥିବା ଏହି ନୂଆଁଖାଇ ପର୍ବ ଲୋକଙ୍କୁ ବାନ୍ଧି ରଖିପାରିଛି ବୋଲି ଅତିଥିମାନେ ମତ ଦେଇଥିଲେ ।
