ଚୋରା ଦେଶୀ ମଦ ଜବତ, ୨ ଗିରଫ
କଟକ : ବାରଙ୍ଗ ଥାନା ପୋଲିସ ଗତକାଲି ରାତି ୮ଟା ସମୟରେ ଚଢଉ କରି ଏକ ଧଳା ରଙ୍ଗର ମାରୁତି ସୁଜୁକି ଏସଏକ୍ସ୪ ଗାଡିରୁ ୧୨ଟି ବ୍ଲାଡରରେ ଥିବା ୨୪୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହ ଏହି କାରବାରରେ ସଂପୃକ୍ତ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁରର ଗଦାଧର ଦେହୁରୀ(୩୨) ଓ ଢେଙ୍କାନାଳ ଜିଲ୍ଲା ଭାପୁର ଥାନା ଅନ୍ତର୍ଗତ ବିଞ୍ଝାରପୁରର ବିଚିତ୍ର ବେହେରା(୨୮) । ସୂଚନା ମୁତାବକ, ଗତକାଲି ରାତିରେ ବାରଙ୍ଗ ଥାନା ପୋଲିସ ଏହି ଚୋରା କାରବାରର ଖବର ପାଇ ନରାଜ ପୋଲ ନିକଟରେ ଜଗିରହିଥିଲା । ପୋଲିସକୁ ଦେଖି ଉକ୍ତ ମାରୁତି କାରଟି ଦ୍ରୁତ ଗତିରେ ପଳାଇବାକୁ ଚେଷ୍ଟା କରିଥିଲା ବେଳେ ପୋଲିସ ଦଳ ତାକୁ ଅଟକାଇ ପାରିଥିଲେ । ତେବେ ତଲାସୀ ନେବାରେ ଗାଡିର ପଛ ସିଟ ତଳୁ ଏହି ପରିମାଣର ମଦ ଜବତ ହୋଇଥିଲା । ଆଜି ଅଭିଯୁକ୍ତଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।
