ଜେନେଭା ଛାଟ ପରେ ବାଟକୁ ଆସିଲା ଶ୍ରୀଲଙ୍କା, କହିଲା, ‘ଚୀନ ଆମର ଘନିଷ୍ଠ ବନ୍ଧୁ କିନ୍ତୁ ଭାରତ…’
ନୂଆଦିଲ୍ଲୀ: ଜେନେଭା ବୈଠକରେ ଭାରତ ଝଟକା ଦେବା ପରେ ଶ୍ରୀଲଙ୍କା ଶେଷରେ ମୁହଁ ଖୋଲିଛି। ସୋମବାର ଭାରତରେ ଉବସ୍ଥାପିତ ଶ୍ରୀଲଙ୍କା ଉଚ୍ଚାୟୁକ୍ତ, ମିଲିନ୍ଦା ମୋରାଗୋଡା କହିଛନ୍ତି ଯେ, ତାଙ୍କ ଦେଶର ପୂର୍ବତନ ରାଷ୍ଟ୍ରପତି ମହିନ୍ଦା ରାଜପକ୍ଷ ସର୍ବଦା ସମ୍ପର୍କକୁ ଗୁରୁତ୍ୱ ଦେଉଥିଲେ। ସେ କହୁଥିଲେ, ଚୀନ ଆମର ଘନିଷ୍ଠ ବନ୍ଧୁ କିନ୍ତୁ ଭାରତ ଆମର ଭାଇ ଓ ଭଉଣୀ। ମିଲିନ୍ଦା ପୁଣି କହିଛନ୍ତି ଯେ, ଉଭୟ ଦେଶ ସହ ଶ୍ରୀଲଙ୍କାର ଏକ ଏକ ସ୍ୱତନ୍ତ୍ର ସମ୍ପର୍କ ରହିଛି କିନ୍ତୁ ଭାରତର ସୁରକ୍ଷା ବ୍ୟାପାର ତାଙ୍କ ପାଇଁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ ଶ୍ରୀଲଙ୍କାର ଏହି ବୟାନ ସେତେବେଳେ ଆସିଛି, ଯେତେବେଳେ ଜେନେଭାରେ ବୈଠକରେ ଶ୍ରୀଲଙ୍କାରେ ତାମିଲଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇଥିଲା।
ଇଣ୍ଡିଆନ ଓମେନସ ପ୍ରେସ କର୍ପସ ସହ ଆଲୋଚନା ବେଳେ ଶ୍ରୀଲଙ୍କା ଉଚ୍ଚାୟୁକ୍ତ, ମିଲିନ୍ଦା ମୋରାଗୋଡା କହିଛନ୍ତି, “ପୂର୍ବତନ ରାଷ୍ଟ୍ରପତି ମହିନ୍ଦା ରାଜପକ୍ଷ ସବୁବେଳେ କହୁଥିଲେ ଚୀନ ଆମର ଅତିଘନିଷ୍ଠ ବନ୍ଧୁ କିନ୍ତୁ ଭାରତ ଆମର ଭାଇ ଓ ଭଉଣୀ…। ଗୋଟିଏ ପରିବାରରେ ଝଗଡା ହୋଇପାରେ ତଥାପି ଆମେ ଗୋଟିଏ ପରିବାର। ରାମାୟଣ ଠାରୁ ବୌଦ୍ଧ ଧର୍ମ ପର୍ଯ୍ୟନ୍ତ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଏକ ଲମ୍ବା ଐତିହାସିକ ସମ୍ପର୍କ ରହିଛି। ସୀତା ଏବଂ ସଙ୍ଘମିତ୍ରା ଉଭୟେ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ସେତୁ ନିର୍ମାଣ କରିଥିଲେ। ଆମ ମଧ୍ୟରେ ନିଆରା ସମ୍ପର୍କ ରହିଛି। ବେଳେ ବେଳେ ତାହା ତଳ-ଉପର ହୁଏ। କିନ୍ତୁ ତାହା ନିଶ୍ଚିତ ଭାବେ ବିଷମ କିନ୍ତୁ ସ୍ୱତନ୍ତ୍ର ଅଟେ।”
ଶ୍ରୀଲଙ୍କାରେ ଚାଲିଥିବା ଆର୍ଥିକ ସଙ୍କଟର ସମାଧାନ ପାଇଁ ଭାରତ ନେଇଥିବା ପଦକ୍ଷେପକୁ ମିଲିନ୍ଦା ପ୍ରଶଂସା କହିଛନ୍ତି। ସେ କହିଛନ୍ତି, “ବର୍ଷ ସାରା ଶ୍ରୀଲଙ୍କାକୁ ଭାରତ ସହାୟତା ଯୋଗାଇଛି। ଯେତେବେଳେ କୌଣସି ଦେଶ ଶ୍ରୀଲଙ୍କାର ସମସ୍ୟା ବୁଝିବାକୁ ଚାହୁଁନଥିଲେ ସେତେବେଳେ ଭାରତ ଆମ ସହ ଠିଆ ହୋଇଛି। କେବଳ ଆର୍ଥିକ ସହାୟତା କିମ୍ବା ସହଯୋଗ କରିନାହିଁ, ଆମକୁ ସହଯୋଗ କରିବାକୁ ଆଇଏମଏଫ ଓ ଅନ୍ୟ ସଂସ୍ଥାକୁ ପ୍ରତ୍ସାହିତ ମଧ୍ୟ କରିଛି। ଶ୍ରୀଲଙ୍କା ବିଷମ ଆର୍ଥିକ ସଙ୍କଟ ଓ ରାଜନୈତିକ ଅସ୍ଥିରତା ଦେଇ ଗତି କରୁଥିବା ବେଳେ ଭାରତ ବିଭିନ୍ନ ମାଧ୍ୟମରେ ପ୍ରାୟ ୩.୮ ବିଲିୟନ ଆମେରିକୀୟ ଡଲାର ଋଣ ଦେଇଛି।”
ହମ୍ବନଟୋଟା ବନ୍ଦରରେ ଚୀନର ଜାହାଜ ଲାଗିବା ପ୍ରସଙ୍ଗରେ ଶ୍ରୀଲଙ୍କା ଉଚ୍ଚାୟୁକ୍ତ କହିଛନ୍ତି ଯେ, ଗତ ମାସରେ ହମ୍ବନଟୋଟା ବନ୍ଦରରେ ଚୀନର ‘ୟୁଆନ ୱାଂଗ୍ ୫’ ଲାଗିଥିଲା। ତେବେ ଆଧିକାରୀକ ଭାବେ ଏହା କିଛି ସମୟ ପାଇଁ ହିଁ ବନ୍ଦରରେ ଥିଲା। ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଦେଶ ଛାଡିଲା ପରେ ଏହି ଘଟଣା ଘଟିଛି। ଜିଓପଲିଟିକାଲ ସଙ୍କଟକୁ ନେଇ ଶ୍ରୀଲଙ୍କା ନିଜର ପ୍ରତିକ୍ରିୟା ଦେଇ କହିଛି ଯେ, ଭାରତର ସୁରକ୍ଷାକୁ ବିପଦରେ ପକାଇବା ଶ୍ରୀଲଙ୍କାର କୌଣସି ଉଦ୍ଦେଶ୍ୟ ନୁହିଁ। କାରଣ ଭାରତର ସୁରକ୍ଷା ମାନେ ଶ୍ରୀଲଙ୍କାର ସୁରକ୍ଷା। କିନ୍ତୁ ଏହାକୁ କିପରି କାର୍ଯ୍ୟକାରୀ କରାଯିବ ତାହା ଏକ ପ୍ରଶ୍ନ?
ଗତ ମାସରେ ଶ୍ରୀଲଙ୍କାରେ ଅବସ୍ଥାପିତ ଚୀନ ଦୂତାବାସ, ଭାରତକୁ ଆକ୍ଷେପ କରି ଅଭିଯୋଗ କରିଥିଲା ଯେ, ଶ୍ରୀଲଙ୍କାର ସର୍ବଭୌମତ୍ୱ ଉପରେ ଭାରତ ହସ୍ତକ୍ଷେପ କରୁଛି ଏବଂ ଉତ୍ତରରେ ଥିବା ପଡୋଶୀଙ୍କ ସହ କଳି କରାଇବାକୁ ଉସୁକାଉଛି। ତେବେ ପରବର୍ତ୍ତୀ ସମୟରେ ଭାରତ ଏହାର ଜବାବ ଦେବା ସହ ଶ୍ରୀଲଙ୍କାକୁ ବାଟକୁ ଆଣିବାପାଇଁ ଏକ କୂଟନୈତିକ ରଣନୀତି ଆପଣାଇଥିଲା। ଚୀନର ଅନୁପ୍ରବେଶ ଅଟକାଇବାକୁ ହେଲେ ଶ୍ରୀଲଙ୍କାକୁ ଟାର୍ଗେଟ କରିବାକୁ ପଡିବ ବୋଲି ନୂଆଦିଲ୍ଲୀ ଅନୁଭବ କରିଛି। ଆଉ ଏଥିପାଇଁ ମୋଦି ସରକାର ଶ୍ରୀଲଙ୍କାର ବର୍ତ୍ତମାନ ପରିସ୍ଥିତିକୁ ନେଇ ତାମିଲ କାର୍ଡ ଖେଳିବେ। ଗତ ସେପ୍ଟେମ୍ବର ୨ ତାରିଖରେ ଜେନେଭାରେ ଶ୍ରୀଲଙ୍କାକୁ ଭାରତ ଘେରିଛି।
