ବାର୍ଷିକ ରିପର୍ଟକାର୍ଡ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ୨୦୨୩ ବେଳକୁ ଜିଲ୍ଲାରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶୁଭାରମ୍ଭ ହେବ
ବାରିପଦା : ଆଜି ମୟୁରଭଞ୍ଜ ମୟୁରଭଞ୍ଜ ସାଂସଦ ତଥା କେନ୍ଦ୍ର ଜଳଶକ୍ତି ଏବଂ ଆଦିବାସୀ ବ୍ୟାପାର ମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁ ବାରିପଦା ହୋଟେଲ ଅମ୍ବିକା ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନିଜ ମୟୁରଭଞ୍ଜ ସଂସଦୀୟ କ୍ଷେତ୍ରର ବିକାଶ ମୂଳକ କାର୍ଯ୍ୟକୁ ନେଇ ବାର୍ଷିକ ରିପର୍ଟକାର୍ଡ ଉନ୍ମୋଚନ କରି ଜିଲ୍ଲା ତଥା ରାଜ୍ୟର ବହୁ ବିକାଶ ମୂଳକ କାର୍ଯ୍ୟରେ ରାଜ୍ୟ ସରକାର ବା ସ୍ଥାନୀୟ ଜିଲ୍ଲା ପ୍ରସାଶନ ଆନ୍ତରିକତା ଏବଂ ତତ୍ପରତା ଦେଖାଇଲେ ପ୍ରକଳ୍ପ ଗୁଡିକ ତୁରନ୍ତ କାର୍ଯ୍ୟକାରୀ ହୋଇ ପାରିବ ବୋଲି କହିଥିଲେ । ନିଜ ସଂସଦୀୟ କ୍ଷେତ୍ରର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଶିଳ୍ପ, ରେଲୱେ, ଜଳସେଚନ ଓ ପାନୀୟ ଜଳ, ବିମାନ ଚଳାଚଳ, ପର୍ଯ୍ୟଟନ ଓ ସଂସ୍କୃତି ଆଦି କ୍ଷେତ୍ରରେ ବିଗତ ବର୍ଷେ ମଧ୍ୟରେ ହୋଇଥିବା ବିକାଶମୂଳକ କାର୍ଯ୍ୟର ତାଲିକା ଓ ଅଗ୍ରଗତି ସମ୍ପର୍କରେ ସୂଚନା ପ୍ରଦାନ କରିବା ସହିତ ବୁଡାମରା ଚାକୁଳିଆ ରେଳପଥର ଝାଡଖଣ୍ଡ ରାଜ୍ୟରେ ପଡୁଥିବା ଅଂଶରେ ଝାଡଖଣ୍ଡ ରାଜ୍ୟ ସରକାର ଜମୀ ଯୋଗାଇ ଦେବାରେ ବିଳମ୍ବ କରୁଥିବାରୁ ଓଡିଶା ରାଜ୍ୟ ଅଂଶରେ ଥିବା ରେଳପଥ କାମ ଖୁବଶୀଘ୍ର ପ୍ରଥମ ପର୍ଯ୍ୟାୟରେ ଆରମ୍ଭ ହେବ ବୋଲି କହିଥିଲେ । ବାଦାମପାହାଡ କେନ୍ଦୁଝର କାମ ଯଥେଷ୍ଟ ଆଗେଇଥିବା ବେଳେ, ବାଙ୍ଗିରିପୋଷୀ ଗୋରୁମହିଷାଣି ରେଳପଥ କାମ ଟିକେ ବିଳମ୍ବ ହେବ । ସେହିପରି ଷ୍ଟେସନ ଉନ୍ନତି କରଣ, ଟ୍ରେନ ସମ୍ପ୍ରସାରଣ ଆଦି କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ ହେଉଥିବା କହିଛନ୍ତି । ସେହିପରି ଜିଲ୍ଲା ଦେଇ ଯାଇଥିବା ୧୮ ଏବଂ ୪୯ ନମ୍ବର ଜାତୀୟ ରାଜପଥର ପ୍ରସସ୍ତିକରଣ କାର୍ଯ୍ୟ ଚାଲିଥିବା ବେଳେ, ୧୮ ନମ୍ବର କାମ ସରିବାକୁ ବସିଥିବା ବେଳେ, ୪୯ ନମ୍ବର କାମ ଦ୍ୱାରଶୁଣୀ ଘାଟି ଏବଂ ହାତୀକୋରିଡର ପାଇଁ ଅସମ୍ପୂର୍ଣ ରହିଛି । ତେବେ ହାତି କୋରିଡର ବାବଦରେ ଥିବା ବାଧା ଦୂର ହୋଇ ସାରିଥିବା ବେଳେ, ତାହା ଶୀଘ୍ର ସରିବ ମାତ୍ର ଦ୍ୱାରଶୁଣୀ ଘାଟି ଅଂଶର ପରିବେଶ ମଂଜୁରି ଫାଇଲ ରେ ସ୍ଥାନୀୟ ବନ ଅଧିକାରୀ ରିପର୍ଟ ଦେଇସାରିଥିବା ବେଳେ ରାଜ୍ୟ ସରକାରଙ୍କ ପିସିସିଏଫ ଲେବୁଲରେ ଆଟକି ରହିଛି । ଯେତେଶୀଘ୍ର ରାଜ୍ୟ ସରକାର ଫାଇଲ କେନ୍ଦ୍ରକୁ ପଠାଇବେ କେନ୍ଦ୍ର ତୁରନ୍ତ ଅଗ୍ରାଧିକାର ଭିତିରେ କାର୍ଯ୍ୟ ସମ୍ପାଦନ କରିବ ବୋଲି କହିଛନ୍ତି । ସେହିପରି ଜିଲ୍ଲାର ୪ଟି ପ୍ରମୁଖ ପର୍ଯ୍ୟଟନ ସ୍ଥଳି ଦେବକୁଣ୍ଡ, ଶମୀବୃକ୍ଷ, ବରେହିପାଣି ଓ ଖିଚିଂକୁ କେନ୍ଦ୍ର ସରକାର ମେଗା ପ୍ରଜେକ୍ଟ ହିସାବରେ ନେଇଥିବା ବେଳେ, ରାଜ୍ୟ ସରକାର ଦେଇଥିବା ଜିଲ୍ଲାର ଅନ୍ୟ ୯ଟି ପର୍ଯ୍ୟଟନ ସ୍ଥଳିର ବିକାଶ ପାଇଁ କାର୍ଯ୍ୟ ଆଗେଇଥିବା ବେଳେ, ରାଜ୍ୟ ସରକାର ପର୍ଯ୍ୟଟନ ବିକାଶ ବାବଦରେ ପୂର୍ବରୁ କେନ୍ଦ୍ରରୁ ଆସିଥିବା ଅର୍ଥର ୟୁସି ଏବଂ ଚଳିତ ପ୍ରଜେକ୍ଟ ଗୁଡିକର ଫାଇଲ ପଠାଇଲା ପରେ ତୁରନ୍ତ କାର୍ଯ୍ୟ ସମ୍ପାଦନ କରାଯିବ ଏବଂ ରାଜ୍ୟ ସରକାର ମଧ୍ୟ ତୁରନ୍ତ ୟୁସି ଦେବେ ବୋଲି ପ୍ରତିଶୃତି ଦେଇଥିବାର କହିଥିଲେ । ସେହିପରି ଜଳ ସେଚନ ଓ ପାନୀୟ ଜଳ ପ୍ରକଳ୍ପ ଗୁଡିକର କାମ ଚାଲିଥିବା ବେଳେ, ଜିଲ୍ଲାରେ ୧୯ଟି ଏକଲବ୍ୟ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ଆଦିର କାମ ବହୁ ମାତ୍ରାରେ ଆଗେଇଥିବାର କହିଛନ୍ତି । ସେହିପରି ବିମାନ ଚଳାଚଳ କ୍ଷେତ୍ରରେ ଅମର୍ଦ୍ଦା ଏୟାର ଷ୍ଟ୍ରିପ କାମ ୨୦୨୩ ପ୍ରଥମାର୍ଦ୍ଧରେ ଆରମ୍ଭ ହେବା ନେଇ ଆଶାବ୍ୟକ୍ତ କରିବା ସହିତ କରୋନା କଟକଣା କାରଣରୁ ବିଗତ ୨ବର୍ଷ ଧରି କାର୍ଯ୍ୟ ଗୁଡିକ ଟିକେ ବିଳମ୍ବ ହୋଇଥିଲେ ମଧ୍ୟ ୨୦୨୩ ବେଳକୁ ଜିଲ୍ଲାର ବିକାଶ ପାଇଁ ଯୋଜନା କରାଯାଇଥିବା ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶୁଭାରମ୍ଭ ହେବ ବୋଲି କହିଛନ୍ତି । ଆଜିର ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ବିଜେପି (ପୂର୍ବଭାଗ) ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ, ଉଦଳା ବିଧାୟକ ଭାସ୍କର ମଢେଇ, ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝି, ସାରସକଣା ବିଧାୟକ ଡାଃ ବୁଢାନ ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ ।
