ଘୂର୍ଣ୍ଣିବଳୟ ସକ୍ରିୟ, ଆଜିଠୁ ୨୨ ଯାଏଁ ପ୍ରବଳ ବର୍ଷା, ଆଜି ୧୫ ଜିଲାକୁ ୟେଲୋ ଆଲର୍ଟ
୨୪ ଘଣ୍ଟାରେ ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ
ଭୁବନେଶ୍ବର : ଉତ୍ତର ବଙ୍ଗୋପସାଗରର ତତସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରର ଅଞ୍ଚଳରେ ବାୟୁମଣ୍ଡଳର ୫.୮ କିମି ଉଚ୍ଚତା ଯାଏ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଏହା ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ପାର୍ଶ୍ବବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ତଥା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ସମୁଦ୍ର ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସମ୍ଭାବନା ରହିଛି । ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜିଠାରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇଛି ।
ଆସନ୍ତା ୨୧ ତାରିଖ ଯାଏ ପ୍ରବଳ ବର୍ଷା ସହ ବୃଷ୍ଚିପାତ ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଆଗାମୀ ତିନି ଦିନ ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଉପକୂଳ ସମେତ କିଛି ଆଭ୍ୟନ୍ତରୀଣ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି ପଶ୍ଚିମ କେନ୍ଦ୍ରୀୟ ତଥା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ସମୁଦ୍ରରେ ଲଘୁଚାପ ସୃଷ୍ଟି ହେବ । ଏହାର ପ୍ରଭାବରେ ସାରା ରାଜ୍ୟରେ ୨୦ ଓ ୨୧ରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି ।
