ଆଜି ରାଣୀ ଏଲିଜାବେଥ୍ ଦ୍ବିତୀୟଙ୍କୁ ବିଦାୟ ଜଣାଇବ ବ୍ରିଟେନ
Britain's King Charles III, center, and other members of the royal family hold a vigil at the coffin of Queen Elizabeth II at St Giles' Cathedral, Edinburgh, Scotland, Monday Sept. 12, 2022. (Jane Barlow/Pool via AP)
ଶ୍ରଦ୍ଧାଞ୍ଜଳି ଜଣାଇବାକୁ ସାରା ବିଶ୍ୱରୁ ୨୦୦୦ ଅତିଥିଙ୍କ ସମାଗମ
ଲଣ୍ଡନ : ଆଜି ବ୍ରିଟେନ ରାଣୀ ଏଲିଜାବେଥ୍ ଦ୍ବିତୀୟଙ୍କ ଅନ୍ତ୍ୟେଷ୍ଟି କାର୍ଯ୍ୟକ୍ରମ । ସମଗ୍ର ବ୍ରିଟେନ ଆଜି ରାଣୀ ଏଲିଜାବେଥ୍ ଦ୍ବିତୀୟଙ୍କୁ ବିଦାୟ ଜଣାଇବେ । ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ସାରା ବିଶ୍ୱରୁ ୨୦୦୦ ଅତିଥି ଲଣ୍ଡନରେ ପହଞ୍ଚିଛନ୍ତି । ଏମାନଙ୍କ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ପରି ବଡ଼ ନେତା ଅଛନ୍ତି। ରାଣୀଙ୍କୁ କିଙ୍ଗ ଜର୍ଜ ଷଷ୍ଠ ମେମୋରିଆଲ ଚାପେଲରେ ତାଙ୍କ ସ୍ୱାମୀ ପ୍ରିନ୍ସ ଫିଲିପଙ୍କ ସମାଧି ପାଖରେ ରାଷ୍ଟ୍ରୀୟ ସମ୍ମାନ ଏବଂ ରାଜକୀୟ ସମାରୋହ ସହ କବର ଦିଆଯିବ। ଏଲିଜାବେଥ୍ ଦ୍ୱିତୀୟଙ୍କ ଅନ୍ତ୍ୟେଷ୍ଟି ଏକବିଂଶ ଶତାବ୍ଦୀର ସବୁଠାରୁ ବଡ଼ କାର୍ଯ୍ୟକ୍ରମ ବୋଲି କୁହାଯାଉଛି । ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ରୁଷ୍ ଏବଂ ବେଲାଋଷ ବ୍ୟତୀତ ପ୍ରାୟ ସମସ୍ତ ଦେଶର ମୁଖ୍ୟଙ୍କୁ ନିମନ୍ତ୍ରଣ ପଠାଯାଇଛି ।
ଦିବଂଗତ ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବ୍ରିଟେନରେ ଅଛନ୍ତି। ସେ ୧୭ ସେପ୍ଟେମ୍ବରରେ ବ୍ରିଟେନରେ ପହଞ୍ଚିଥିଲେ । ଲଣ୍ଡନର ୱେଷ୍ଟମିନିଷ୍ଟର ହଲରେ ସ୍ୱର୍ଗତାଃ ରାଣୀଙ୍କ କଫିନ୍ ରଖାଯାଇଛି । ଏହାପୂର୍ବରୁ ରାଷ୍ଟ୍ରପତି ମୁର୍ମୁ ରବିବାର ରାଣୀଙ୍କୁ ଶେଷ ସମ୍ମାନ ଜଣାଇ ଭାରତ ତରଫରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବ୍ରିଟିଶ ରାଜତନ୍ତ୍ର ଇତିହାସରେ ସର୍ବୋଧିକ ୭୦ ବର୍ଷ ଶାସନ କରିଥିବା ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ସେପ୍ଟେମ୍ବର ୮ରେ ୯୬ ବର୍ଷ ବୟସରେ ପରଲୋକ ହୋଇଥିଲା ।
