‘ଶୋଭା’ର ୭ମ ବାର୍ଷିକ ଉତ୍ସବ ; ନାଟକ ‘ବିଷକୁମ୍ଭ’ ମଞ୍ଚସ୍ଥ
ବାଲେଶ୍ୱର : ଦୀର୍ଘ ଦୁଇବର୍ଷ ପରେ ବାଲେଶ୍ୱରର ଏକମାତ୍ର ପ୍ରେକ୍ଷାଳୟ ଓ.ଟି.ରୋଡ଼ସ୍ଥ ଗାନ୍ଧିସ୍ମୃତିଭବନରେ ବିଶିଷ୍ଟ ନାଟ୍ୟକାର ଡ. ପ୍ରଦୀପ ଭୌମିକଙ୍କ ରଚିତ ଏବଂ ଅର୍ଣ୍ଣବ କରଙ୍କ ନିର୍ଦ୍ଦେଶିତ ନାଟକ ‘ବିଷକୁମ୍ଭ’ ନାଟ୍ୟାନୁଷ୍ଠାନ ‘ଶୋଭା’ର ୭ମ ବାର୍ଷିକ ଉତ୍ସବ ପାଳନ ଅବସରରେ ସଫଳତାର ସହ ମଞ୍ଚସ୍ଥ ହୋଇଯାଇଛି ।
ଏହି ସାଂସ୍କୃତିକ ସନ୍ଧ୍ୟାକୁ ‘ଶୋଭା’ର ସଭାପତି ସିଦ୍ଧାର୍ଥ ସାରଥୀ ଦାସଙ୍କ ଅଧ୍ୟକ୍ଷତାରେ ପ୍ରାଧ୍ୟାପକ ରାଜେନ୍ଦ୍ର କିଶୋର ରାୟ, ପ୍ରସିଦ୍ଧ ଗୀତିକାର ରମାକାନ୍ତ ଦାସ (ଆକାଶବାଣୀ) ଏବଂ କବି-ନାଟ୍ୟକାର ଶ୍ରୀଦେବଙ୍କ ବକ୍ତବ୍ୟରେ ନାଟକ ଯୁଗଯୁଗଧରି ସମାଜକୁ ଦିଗ୍ଦର୍ଶନ ଦେଇଆସିଛି, ଭଲ ନାଟକ ସାମାଜିକ ଜୀବନରେ ସକରାତ୍ମକ ରାହା, ମାନବ ଜାତିର ଚେତନା ସଂବୃଦ୍ଧି କରାଇଥାଏ ବୋଲି ଅତିଥିଗଣ ନିଜନିଜର ଅଭିବ୍ୟକ୍ତି ରଖିଥିଲେ । ଏହି ଅବକାଶରେ ଓଡ଼ିଶାର ବିଶିଷ୍ଟ ନାଟ୍ୟକାର ନିର୍ଦ୍ଦେଶକ ଅଭିନେତା, ସଂଗୀତ-ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ଭାସ୍କର ଚନ୍ଦ୍ର ମହାପାତ୍ରଙ୍କୁ ତାଙ୍କର ସାମଗ୍ରିକ ସାରସ୍ୱତ ସଫଳତା ପାଇଁ ‘ଶୋଭା’ ତରଫରୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।
ଏହି ସମାବର୍ତ୍ତନ ଉତ୍ସବରେ ଅଜୟ ଆଚାର୍ଯ୍ୟଙ୍କ ଦ୍ୱାରା ଅତିଥିଆବାହନ କରାଯାଇଥିଲାବେଳେ ‘ଶୋଭା’ର ସଂପାଦକ ଆଶିଷ ବର୍ଦ୍ଧନ ସଂପାଦକୀୟ ବିବରଣୀ ପାଠ କରିଥିଲେ । ପରିଶେଷରେ ସଦସ୍ୟା ମାମା ମିଶ୍ରଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲା । ରକ୍ଷଣଶୀଳ ପରିବାରର ପୁଅ ‘କାହ୍ନୁ’ ଜୀବନର ଝଡ଼ଝଞ୍ଜା, ଉତ୍ଥାନ ପତନର ସାମନା କରି ଜୀବନଯାତ୍ରାରେ ଥକ୍କିନପଡ଼ି ମାର୍ଗଦର୍ଶିକା ପାଲଟିଯିବା ନାଟକ ‘ବିଷକୁମ୍ଭ’ରେ ଏହି ସାମାଜିକ ପ୍ରତିଫଳନକୁ ଅଭିନେତା ଆଶିଷ, ମଦନ, ଶୁଭଙ୍କର, ଅର୍ଣ୍ଣବ, ଲକ୍ଷ୍ମୀ, ଅନନ୍ତ, ବୁଲୁ, ଶିଶୁକଳାକାର ନିହାର, ପୁନମ୍ ଏବଂ ଅଭିନେତ୍ରୀ ସୁସ୍ମିତା ରଣାଙ୍କ ଜୀବନ୍ତ ଅଭିନୟକୁ ଦର୍ଶକମାନେ ଉପଭୋଗ କରିଥିଲେ ।
