ଗୀତ, ଗୀତିକାର ଓ ଗୀତିକବିଙ୍କ ମିଳନ ଉତ୍ସବ
ବାଲେଶ୍ୱର : ବାଲେଶ୍ୱର ସହର ପାଣିଟାଙ୍କି ସ୍ଥିତ ଆତିଥ୍ୟ ସମ୍ମିଳନୀ କକ୍ଷରେ ଶିକ୍ଷା ଓ ଜ୍ଞାନର ଦିବ୍ୟଦୃଷ୍ଟି ‘ପ୍ରଜାପତି’ ଅନୁଷ୍ଠାନର ସାରସ୍ୱତ ଶାଖା ‘ଅକ୍ଷର’ ତରଫରୁ ଏକ ଗୀତ, ଗୀତିକାର ଓ ଗୀତି କବିଙ୍କର ମିଳନ ଉତ୍ସବ ଏକ ଗୀତିମୟ ପରିବେଶ ଭିତରେ ଅନୁଷ୍ଠିତ ହୋଇଯାଇଛି । ଗୀତ ଗୀତି କବିତାର ଆତ୍ମା ଓ ଗୀତି କବିତା କବି ହୃଦୟର ସଙ୍ଗୀତ । ସଙ୍ଗୀତ ମାନସିକ ଶାନ୍ତି ଓ ଆନନ୍ଦ ଆଣିବା ପରିବର୍ତ୍ତେ ଯଦି ମାନସିକ ଉତ୍ତେଜନା ବୃଦ୍ଧି କରେ ତାହା କେବେ ଶ୍ରୁତି ମଧୁର ସଙ୍ଗୀତ ହୋଇପାରେନା ବୋଲି ଉତ୍ସବରେ ଉପସ୍ଥିତ ଅତିଥିଗଣ ପ୍ରକାଶ କରିଛନ୍ତି ।
ବରେଣ୍ୟ ଅତିଥି ଭାବେ ଫକୀରମୋହନ ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ବିଭାଗର ସହଯୋଗୀ ପ୍ରଫେସର ଡ. ଦେବାଶିଷ ପାତ୍ର, ଫକୀରମୋହନ ଅଟୋ ନୋମାସ କଳେଜର ଓଡ଼ିଆ ଭାଷା ବିଭାଗର ମୁଖ୍ୟ ଡ. ସନ୍ତୋଷ ନାୟକ ଓ ବହିଘର ପ୍ରକାଶନର ପ୍ରତିଷ୍ଠାତା କବି ଅଭୟ ଦାସ ଯୋଗଦାନ କରି ଗୀତ, ଗୀତିକବି ଓ ଗୀତିକାର ସମ୍ପର୍କରେ କହିଥିଳେ ଯେ, ସୁନ୍ଦର ଲେଖାଟିଏ ସୁନ୍ଦର ସ୍ୱର ସଂଯୋଜନାରେ କଣ୍ଠଶିଳ୍ପୀର କଣ୍ଠରୁ ଝରି ଶ୍ରୋତାଙ୍କୁ ଆନନ୍ଦ ପ୍ରଦାନ କଲେ ତାହା ସଙ୍ଗୀତ କେବଲ୍ୟ ହୋଇଯାଏ । ପ୍ରଜାପତିର ପ୍ରତିଷ୍ଠାତା କବି ପ୍ରଶାନ୍ତ ଦାସ ମିଳନ ଉତ୍ସବକୁ ପରିଚାଳନା କରି କହିଥିଲେ ଯେ, ଅକ୍ଷର ଓଡ଼ିଆ ସାହିତ୍ୟ ଜଗତକୁ ସୁନ୍ଦର ଗୀତି କବିତା ଓ ସଙ୍ଗୀତ ଜଗତକୁ ସୁନ୍ଦର ଗୀତ ଉପହାର ଦେବା ପାଇଁ ଧାରାବାହିକ ପ୍ରୟାସ କରିବ । ଉତ୍ସବରେ ଆବାହକ ରାଜେଶ ଗିରି, ସଂଯୋଜକ ବିପ୍ଳବ ଦାସମହାପାତ୍ର, ଉପଦେଷ୍ଟା ପୂର୍ଣ୍ଣଚନ୍ଦ୍ର ମହାନ୍ତି ଓ ଶଶି ରଞ୍ଜନ ମଲ୍ଲିକ ନିଜ ନିଜର ସଂକ୍ଷିପ୍ତ କଥା ରଖିଥିଲେ । ଚଳଚ୍ଚିତ୍ର ଗୀତିକାର ଓ ସଂଳାପ ଲେଖକ ମନୋରଞ୍ଜନ ଦାସ, ଗୀତିକାର ପ୍ରଶାନ୍ତ ପଟେଲ, ରବୀନ୍ଦ୍ର ବିଶ୍ୱାଳ, ଦୀପକ ବୋଷ ଓ ଦେବାଶିଷ ପାତ୍ର ନିଜ ନିଜର ଲେଖିଥିବା ଗୀତକୁ ପାଠ କରିଥିଲେ । ସେହି ଗୀତଗୁଡ଼ିକୁ କଣ୍ଟଶିଳ୍ପୀ ଶ୍ୱେତାଲିସା ଶୁଭଦର୍ଶିନୀ, ଆକାଶ ପଣ୍ଡା, ସ୍ମୃତି ସ୍ୱରୂପା ମିଶ୍ର ଓ ସଂଶ୍ରିତା ପାତ୍ର ସୁନ୍ଦର ଭାବେ ପରିବେଷଣ କରିଥିଲେ । ଗୀତ କବିତା ପଠନ ପରିବେଶକୁ ରୋମାଂଚିତ କରିଥିଲା । ଗୀତି କବି ଗାୟତ୍ରୀ ଆଚାର୍ଯ୍ୟ, ମଧୁସୂଦନ ମିଶ୍ର, କବି ଇନାୟତ ଅଲ୍ଲୀ, ସୁଧାକର ସେଠୀ ଓ ପ୍ରବୀର କମିଳା ପ୍ରଭୃତି ଗୀତି କବିମାନେ ନିଜ ନିଜର ରଚିତ ଗୀତ କବିତାଗୁଡ଼ିକୁ ପାଠ କରିଥିଲେ । ପ୍ରାରମ୍ଭରେ ସମସ୍ତ ଅତିଥି, ଗୀତିକାର, ଗୀତିକବି ଓ କଣ୍ଠଶିଳ୍ପୀଙ୍କୁ ଉତ୍ତରୀୟ ଓ ପୁଷ୍ପ ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ଗାୟନ ହୋଇଥିବା ଗୀତଗୁଡ଼ିକୁ ନିର୍ଦ୍ଦେଶନା ଦେଇଥିବା ସଙ୍ଗୀତ ଗୁରୁ ସତ୍ୟନାରାୟଣ ମହାନ୍ତିଙ୍କୁ ଉତ୍ସବରେ ବିଶେଷ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଉତ୍ସବକୁ ସୁନ୍ଦର ଭାବେ ଆୟୋଜନ କରିବାରେ ପ୍ରଜାପତିର ସଦସ୍ୟ ପାର୍ଥ ସାରଥୀ ସାହୁ, ପ୍ରତୀମା ତ୍ରିପାଠୀ ସନ୍ତୋଷ ଦଳେଇ, ନନ୍ଦିତା ନାୟକ, ସୁଚିସ୍ମିତା ବେହେରା, ସୁକୁମାର ଘୋଷ ପ୍ରମୁଖ ସହଯୋଗ କରିଥିଲେ ।
