ଉପକନିଷ୍ଠ ଖୋ-ଖୋ ପ୍ରତିଯୋଗୀତା : ବାଳିକା ବର୍ଗରେ ଛାନୁଆ ଓ ବାଳକ ବର୍ଗରେ ମହାବୀର ଉଚ୍ଚବିଦ୍ୟାଳୟ ଚମ୍ପିୟାନ
ବାଲେଶ୍ୱର : ବାଲେଶ୍ୱର ଜିଲା କ୍ରୀଡ଼ା ସଂଘର ଆନୁକୂଲ୍ୟରେ ସ୍ଥାନୀୟ ଖ୍ରୀଷ୍ଟିୟାନ ଉଚ୍ଚ ବିଦ୍ୟାଳୟ ଖୋ-ଖୋ ପଡ଼ିଆରେ ଉପକନିଷ୍ଠ ଖୋ-ଖୋ (୧୪ ବର୍ଷରୁ କମ୍) ବାଳିକାବାଳକମାନଙ୍କର ବାର୍ଷିକ ପ୍ରତିଯୋଗୀତା ହୋଇଯାଇଛି । ଏହି ପ୍ରତିଯୋଗୀତାରେ ୮ଟି ବାଳକ ଓ ୬ଟି ବାଳିକା ଦଳ ଅଂଶଗ୍ରହଣ କରିଥିଲେ । ବାଳିକା ଦଳ ମଧ୍ୟରୁ ଛାନୁଆ ସରକାରୀ ଉଚ୍ଚବିଦ୍ୟାଳୟ ଚମ୍ପିୟାନ ହୋଇଥିଲା ବେଳେ ବାରବାଟୀ ଉଚ୍ଚବିଦ୍ୟାଳୟ ଓ ବଡ଼କିଆ ୟୁଜିୟୁପି ବିଦ୍ୟାଳୟର ମିଶ୍ରିତ ଦଳ ରନର୍ସଅପ୍ ହୋଇଥିଲେ । ବାଳକ ଦଳ ମଧ୍ୟରୁ ମହାବୀର ଉଚ୍ଚବିଦ୍ୟାଳୟ ଚମ୍ପିୟାନ ଓ ମ୍ୟୁନିସିପାଲ ଉଚ୍ଚବିଦ୍ୟାଳୟ ରନର୍ସଅପ୍ ହୋଇ ଅତିଥିମାନଙ୍କ ଠାରୁ ଚମ୍ପିୟାନ ଓ ରନର୍ସଅପ୍ ଟ୍ରଫି ଗ୍ରହଣ କରିଥିଲେ । ଏହି ପ୍ରତିଯୋଗୀତାରୁ ବାଳିକା ଓ ବାଳକ ଖେଳାଳୀ ଚୟନ କରାଯାଇଛି । ସେମାନଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଇ ଜିଲା ତରଫରୁ ରାଜ୍ୟ ଉପକନିଷ୍ଠ ଖୋ-ଖୋ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବା ପାଇଁ ସୂଯୋଗ ଦିଆଯିବ ।
ରବିବାର ଉଦ୍ଘାଟନୀ ଉତ୍ସବରେ ଜିଲା କ୍ରୀଡ଼ା ସଂଘର ଉପ-ସଭାପତି ବିରେନ୍ଦ୍ର କୁମାର ସ୍ୱାଇଁ ସଭାପତିତ୍ୱ କରିଥିଲେ । ଖ୍ରୀଷ୍ଟିୟାନ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ନାରାୟଣ ପୃଷ୍ଟି ମୁଖ୍ୟଅତିଥି ଭାବରେ ଯୋଗଦେଇ ଏହି ପ୍ରତିଯୋଗୀତାକୁ ଉଦ୍ଘାଟନ କରିଥିଲେ । କ୍ରୀଡ଼ା ସଂଘର ଖୋ-ଖୋ ଯୁଗ୍ମ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ନାୟକ ପ୍ରତିଯୋଗୀତା ସମ୍ପର୍କରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ । ଏହି ସଭାରେ ଜୁନିୟର ସମ୍ପାଦକ ଜଗଦିଶ ଚନ୍ଦ୍ର ବେହେରା, ନିମାଇ ଚରଣ ରାଉତରାୟ, ପ୍ରଦୀପ କୁମାର ଦାସ, ଚିତ୍ତରଞ୍ଜନ ପାଶା, କଳ୍ପଲତା ରଥ, ଜନ୍ମେଜୟ ଦେ ଖୋ-ଖୋ କୋଚ୍ ମଳୟ ରଞ୍ଜନ ବେହେରା, ନିକଟରେ ଓଡ଼ିଶା ଜଗରନଟ୍ ଖେଳିଥିବା ଜଗନ୍ନାଥ ମୁର୍ମୁ, ଲିପୁନ ମୁଖି, ସିଦ୍ଧେଶ୍ୱର ଟୁଡୁ, ସୁକନାଥ ସିଂ ଓ ବହୁ କ୍ରୀଡ଼ା ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ନିଜ କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ଜିଲା କ୍ରୀଡ଼ା ସଂଘର ସାଧାରଣ ସମ୍ପାଦକ ଅଭୟ ମହାପାତ୍ର ପ୍ରତିଯୋଗୀତାର ମଧ୍ୟଭାଗରେ ଉପସ୍ଥିତ ହୋଇ ଖେଳାଳୀମାନଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ସେହି ସମୟରେ ଚାଲିଥିବା ଦୁଇଦଳ ଖେଳାଳୀଙ୍କ ସହିତ ପରିଚିତ ହୋଇଥିଲେ । ଏହି ପ୍ରତିଯୋଗୀତାକୁ ସଫଳ କରାଇବାରେ କ୍ରୀଡ଼ା ସଂଘର ବରିଷ୍ଠ ସଭ୍ୟ ତଥା ଖ୍ରୀଷ୍ଟିୟାନ ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଚିତ୍ତରଞ୍ଜନ ପାଶାଙ୍କ ସହଯୋଗ ଅତୁଳନୀୟ । ଖେଳ ପରିଚାଳନାରେ ଖୋ-ଖୋ କୋଚ୍ ମଳୟ ରଞ୍ଜନ ବେହେରାଙ୍କ ସହିତ ଜଗନ୍ନାଥ ମୁର୍ମୁ, ଲିପୁନ ମୁଖି, ସିଦ୍ଧେଶ୍ୱର ଟୁଡୁ, ସୁକନାଥ ସିଂ, ତପନ ସିଂ ଓ ଦୀପକ ସିଂ ସହାୟତା କରିଥିଲେ ବୋଲି ଜିଲା ସଂଘର ସାଧାରଣ ସମ୍ପଦାକ ଅଭୟ ମହାପାତ୍ର ଜଣାଇଛନ୍ତି ।
