ଟ୍ରଲର ଓଲଟି ଯୁବକ ମୃତ : ସ୍କୁଲ ଛାତ୍ରୀ ଗୁରୁତର
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ ରଣାଶାଳ ଘାଟି ଓଭର୍ ବ୍ରିଜ୍ ତଳେ ଆଜି ଅପରାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି । ଏକ ୨୨ ଚକିଆ ଟ୍ରଲର ୫/୧୮ ସାଇଜର୍ (ଏନ୍ଏଲ୍ -୦୧ ଏଡି -୨୭୭୧) ଲୁହାପଥର ବୋଝେଇ କରି ବଡବିଲ ପଟୁ ଦ୍ରୁତଗତିରେ ଆସି ଭାରସାମ୍ୟ ହରାଇ ରଣାଶାଳ ଘାଟି – ଡିଏଭି ସ୍କୁଲ ଜଙ୍କସନ ଓଭରବ୍ରିଜ ତଳେ ଓଲଟି ପଡିବା ସମୟରେ ଉକ୍ତ ସ୍ଥାନରେ ପୂର୍ବରୁ ଛିଡା ହୋଇଥିବା ବଡବିଲ ସେଣ୍ଟ୍ ମେରୀ ସ୍କୁଲର ଛାତ୍ରୀ ଶ୍ରୁତି କ୍ରିଷ୍ଣା ଗୋପ ଓ ଯୋଡାର ଅଭିଷେକ ଗୁପ୍ତା ନାମକ ୨୫ ବର୍ଷର ଯୁବକଙ୍କ ଉପରେ ଓଲଟି ପଡିଥିଲା । ଟେଲର ଓଲଟି ପଡିବା ଯୋଗୁ ପାଖାପାଖି ୪୦ଟନ୍ ଲୁହାପଥର ଦୁଇଜଣଙ୍କ ଉପରେ ଢାଳି ହୋଇଯାଇଥିଲା, ଯାହାଫଳରେ ଅଭିଷେକ ଗୁପ୍ତା ଲୁହାପଥର ତଳେ ସଂପୂର୍ଣ୍ଣ ପୋତି ହୋଇଯାଇଥିବା ବେଳେ ଛାତ୍ରୀ ଜଣଙ୍କର ଅଣ୍ଟା ପାଖରୁ ପାଦଯାଏ ପୋତି ହୋଇଯାଇଥିଲା । ଏଥିସହିତ ଉକ୍ତ ସ୍ଥାନରେ ଥିବା ୨ଟି ବାଇକ (ଓଆର୍ ୧୪ଏଲ୍ ୨୯୨୨, ଓଡି ୦୯ ଜି ୩୫୨୩) ଭାଙ୍ଗି ଚୁରମାର ହୋଇଯାଇଥିବା ଦେଖିବାକୁ ମିଳିଛି । ଖବର ପାଇ ଯୋଡା ଥାନା ଆଇଆଇସି ଜୟନାରାୟଣ ଖଣ୍ଡାଇ ସଦଳବଳେ ଘଟଣା ସ୍ଥଳରେ ପହଂଚି ଟ୍ରେଲରଟିକୁ ଜେସିବି ସାହାଯ୍ୟରେ ଉଠାଇବା ସହିତ ଲୁହାପଥର ଗୁଡିକୁ ମେସିନ୍ ସାହାଯ୍ୟରେ ଆଡେଇ ପୋତି ହୋଇରହିଥିବା ଦୁଇଜଣଙ୍କୁ ଉଦ୍ଧାର କରି ତୁରନ୍ତ ଟାଟାଷ୍ଟିଲ ଡାକ୍ତରଖାନାକୁ ପଠାଇଥିଲେ । ସେଠାରେ ଡାକ୍ତର ଅଭିଷେକ ଗୁପ୍ତାଙ୍କୁ ମୃତ୍ୟୁ ଘୋଷଣା କରିଥିବାବେଳେ ଆହତ ହୋଇଥିବା ଛାତ୍ରୀଙ୍କର ଚିକିତ୍ସା ଜାରି ରଖିଥିବା ଜଣାପଡିଛି । ଦୁର୍ଘଟଣା ଘଟାଇଥିବା ଟ୍ରଲର ଚାଳକ କୌଶଳ କ୍ରମେ ଘଟଣା ସ୍ଥଳରୁ ଫେରର ହୋଇ ଯାଇଚି । । ଆହତ ଛାତ୍ରୀ ଜଣଙ୍କ ଘର ଯୋଡା ପୌରପାଳିକା ଅନ୍ତର୍ଗତ ୨ ନମ୍ବର ୱାର୍ଡ ମୁଖାର୍ଜି ହାଟିଂର ହୋଇଥିବାବେଳେ ମୃତ ଅଭିଷେକ ଗୁପ୍ତାଙ୍କ ମୂଳ ଘର ରାଉରକେଲା ଅଂଚଳର ବୋଲି ଜଣାପଡିଛି । ମୃତ ଅଭିଷେକ ଯୋଡା ସ୍ଥିତ ଝୁମ୍ପୁଡ଼ି ହାଟିଂରେ ରହି ଏକ ପରିବହନ ସଂସ୍ଥାରେ କାର୍ଯ୍ୟ କରିଆସୁଥିଲେ । ପୁଲିସ୍ ଦୁର୍ଘଟଣା ଘଟାଇଥିବା ଟ୍ରଲର୍ ଓ ୩ଟି ମଟର ବାଇକ୍ ଜବତ୍ କରିବା ସହିତ ଅଧିକ ତଦନ୍ତ ଚଳାଇଛି ।
