ଅହିଂସା ରଥକୁ ନୀଳଗିରିରେ ବିଭିନ୍ନ ସ୍ଥାନରେ ଭବ୍ୟ ସମ୍ବର୍ଦ୍ଧନା
ନୀଳଗିରି : ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତୀ ‘ଆଜାଦି କା ଅମୃତ ମହୋତ୍ସବ’ ପାଳନ ଅବସରରେ ଅଗଷ୍ଟ ୧୫ ତାରିଖରୁ ଭୁବନେଶ୍ୱରରୁ ବାହାରିଥିବା ଅହିଂସା ରଥ ଗତ ଗୁରୁବାର ବାଲେଶ୍ୱର ଜିଲାର ବିଭିନ୍ନ ସ୍ଥାନ ପରିକ୍ରମା କରିବାପରେ ବୁଧବାର ପୂର୍ବାହ୍ନ ୯ଟା ସମୟରେ ନୀଳଗିରି ବ୍ଲକ ପରିସରରେ ପହଞ୍ଚିଥିଲା । ଏହି ଅବସରରେ ବାଲେଶ୍ୱର ଏମ୍ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ନୀଳଗିରି ଉପ-ଜିଲାପାଳ ଦୀପ୍ତିରଞ୍ଜନ ସେଠୀ, ତହସିଲଦାର ଅଶେଷ ନାୟକ, ନୀଳଗିରି ବିଡ଼ିଓ ରାହୁଲ ମଣ୍ଡଳ, ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ବଡୁ, ବ୍ଲକ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ, ଏନ୍ଏସି ଅଧ୍ୟକ୍ଷା ଅମ୍ବିକା ଦାସ, ବ୍ଲକ ଉପାଧ୍ୟକ୍ଷ ଜୋତିର୍ମୟୀ ପୁଥାଳ, ନୀଳଗିରି ଅନୁସୂଚିତ ଜାତିର ସଭାପତି ଶରତ କୁମାର ଦାସ, ୧୨ନଂ. ଜୋନ୍ର ଜିଲାପରିଷଦ ସଦସ୍ୟା ରଞ୍ଜିତା ସିଂ, ୧୩ନଂ. ଜୋନ୍ର ଜିଲାପରିଷଦ ସଦସ୍ୟ ଗତିକୃଷ୍ଣ ନନ୍ଦ, ନୀଳଗିରି ସୂଚନା ଅଧିକାର ଗୋବର୍ଦ୍ଧନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ରଥକୁ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ଅବସରରେ ଆୟୋଜିତ ସଭାମଞ୍ଚରେ ଉଲ୍ଲିଖିତ ବ୍ୟକ୍ତିମାନେ ଉଦ୍ବୋଧନ ଦେଇଥିଲେ ।
ଏହି ଅବସରରେ ନୀଳଗିରି ବ୍ଲକ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦୁଇ ସ୍ୱାଧୀନତା ସଂଗ୍ରାମୀ ତଥା ସମ୍ମାନନୀୟ ସୁନାରମ ସିଂ (୯୮)ଓ ଅନନ୍ତ ଖଟୁଆ (୯୬)ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆଖପାଖ ଅଞ୍ଚଳର ସ୍କୁଲ୍ ଛାତ୍ରୀଛାତ୍ରୀ ଭିନ୍ନ ଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ପରେ ନୀଳଗିରି ବ୍ଲକ ଅନ୍ତର୍ଗତ ପୁଡ଼ାଶୁଳ, ସଜନାଗଡ଼ ଠାରେ ସ୍ଥାନୀୟ ଜନସାଧାରଣ, ବୁଦ୍ଧିଜୀବୀ, ବିଭିନ୍ନ ସଂଗଠନ ପକ୍ଷରୁ ଅହିଂସା ରଥକୁ ସ୍ୱାଗତ କରିଥିଲେ ।
