ଏହି ରାଜ୍ୟରୁ ଆରମ୍ଭ ହେବ କଂଗ୍ରେସର ‘ଭାରତ ଯୋଡ଼ ଯାତ୍ରା’ର ଦ୍ୱିତୀୟ ପର୍ଯ୍ୟାୟ, ଆଗାମୀ ବର୍ଷ ଅରୁଣାଚଳରେ ହେବ ଶେଷ
ନୂଆଦିଲ୍ଲୀ : ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ତଥା କେରଳର ୱାୟନାଡରୁ ସାଂସଦ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡ଼ ଯାତ୍ରା ଚାଲିଛି । ଏହି ଯାତ୍ରା ମାଧ୍ୟମରେ କଂଗ୍ରେସ ସାଧାରଣ ଜନତାଙ୍କ ସହ ଯୋଡ଼ିବା ପାଇଁ କାର୍ଯ୍ୟ କରୁଛି । ଏହାସହ ଦଳର ସଂଗଠନକୁ ମଜବୁତ କରିବାକୁ ପ୍ରୟାସ କରାଯାଉଛି । ଏହି ଯାତ୍ରା ତାମିଲନାଡୁର କନ୍ୟାକୁମାରୀଠାରୁ ଆରମ୍ଭ ହୋଇ କାଶ୍ମୀରରେ ଶେଷ ହେବାର ଅଛି । କିନ୍ତୁ ବର୍ତ୍ତମାନ ଦଳ ଆଉ ଏକ ବଡ଼ ନିଷ୍ପତ୍ତି ନେଇଛି । କଂଗ୍ରେସ ଭାରତ ଯୋଡ଼ର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ ବୋଲି ଘୋଷଣା କରିଛି ।
ଗୁଜୁରାଟରେ ଭାରତୀୟ ଜନତା ପାର୍ଟିକୁ କ୍ଷମତାରୁ ହଟାଇବା ପାଇଁ କଂଗ୍ରେସ ଏକ ଅଭିଯାନ ଚଳାଇବାକୁ ନିଷ୍ପତ୍ତି ନେଇଛି । କଂଗ୍ରେସ ଘୋଷଣା କରିଛି ଯେ, ଭାରତ ଯୋଡ଼ର ଦ୍ୱିତୀୟ ପର୍ଯ୍ୟାୟ ପଶ୍ଚିମ ରାଜ୍ୟ ଗୁଜୁରାଟରୁ ଆରମ୍ଭ ହୋଇ ୨୦୨୩ ମସିହାରେ ଅରୁଣାଚଳ ପ୍ରଦେଶରେ ଶେଷ ହେବ । ଅଲ ଇଣ୍ଡିଆ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ (ସଞ୍ଚାର) ଜୟରାମ ରମେଶ କୋଲାମରେ କହିଛନ୍ତି ଯେ, ଭାରତ ଯୋଡ଼ର ଦ୍ୱିତୀୟ ପର୍ଯ୍ୟାୟ ୧୫୦ ଦିନ ଚାଲିବ । ଏହି ସମୟ ମଧ୍ୟରେ ପ୍ରାୟ ୩,୧୦୦ କିଲୋମିଟର ଦୂରତା ଅତିକ୍ରମ କରାଯିବ । ଦୁନିଆର କୌଣସି ରାଜନୈତିକ ଦଳ ଦ୍ୱାରା ନିଆଯାଇଥିବା ଏହା ହେଉଛି ଦୀର୍ଘତମ ପଦଯାତ୍ରା । ଏହାପୂର୍ବରୁ ଚୀନ ନେତା ମାଓ ସେ ତୁଙ୍ଗ୍ ଏହା କରିଥିଲେ । ସେ ଏହା ମଧ୍ୟ କହିଛନ୍ତି ଯେ, ଯଦି କନ୍ୟାକୁମାରୀରୁ କାଶ୍ମୀର ଯାତ୍ରା ସଫଳ ହୁଏ ତେବେ ଦଳ ଗୁଜରାଟରୁ ଅରୁଣାଚଳ ପ୍ରଦେଶ ଅଭିମୁଖେ ଯାତ୍ରା କରିବ ।
କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ, ଭାରତ ଯୋଡ଼ ଯାତ୍ରା ପରେ ଦଳ ଏକ ନୂତନ ଅବତାରରେ ଉଭା ହେବ । ଦଳ ପୂର୍ବ ଅପେକ୍ଷା ଅଧିକ ଆକ୍ରମଣାତ୍ମକ ଓ ସକ୍ରିୟ ହେବ । ଏଣିକି ଆମର ଉଭୟ ବନ୍ଧୁ ଓ ବିରୋଧୀ କଂଗ୍ରେସକୁ ହାଲୁକା ଭାବେ ଗ୍ରହଣ କରିପାରିବେ ନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ଆମର ବିରୋଧୀ, ବନ୍ଧୁ ଏବଂ ସହଯୋଗୀମାନେ ମଧ୍ୟ କଂଗ୍ରେସକୁ ହାଲୁକା ଭାବେ ଗ୍ରହଣ କରୁଥିଲେ । ଯଦି ବିଜେପି ଆକ୍ରାମକ ହେବ, ତେବେ କଂଗ୍ରେସ ଦୁଇଗୁଣ ଅଧିକ ଆକ୍ରମଣାତ୍ମକ ହେବ ।
