ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳି ବିନିମୟ, ୨ ଆତଙ୍କୀ ମୃତ
ଶ୍ରୀନଗର : ଜମ୍ମୁ କାଶ୍ମୀର ଶ୍ରୀନଗରର ନାଓଗାମ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ। ଏଥିରେ ୨ଜଣ ଆତଙ୍କୀ ମୃତ । ମୃତ ଆତଙ୍କୀ ଦ୍ବୟ ପୁଲୱାମା ନିବାସୀ ଆଇଜାଜ ରସୁଲ ନାଜର ଏବଂ ସହିଦ ଅହମ୍ମଦ ବୋଲି ଜଣାପଡିଛି । ସେମାନେ ଅନଶାର ଘଜବାତ-ଉଲ-ହିନ୍ଦ ଆତଙ୍କୀ ସଂଗଠନ ସହ ଜଡିତ । ଏହି ଆତଙ୍କୀ ସଂଗଠନ ଅଲ-କାଏଦା ସହିତ ଲିଙ୍କ ରହିଛି ଏବଂ ଏହା ଉପତ୍ୟକାରେ ସକ୍ରିୟ ଥିବା ଜଣାଯାଇଛି । ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଜାରି ରଖିଛି ସୁରକ୍ଷାବାହିନୀ ।ଏନେଇ ଜମ୍ମୁକାଶ୍ମୀର ପୋଲିସ ତରଫରୁ ଟ୍ବିଟ କରି ସୂଚନା ପ୍ରଦାନ କରାଯାଇଛି ।
କଶ୍ମୀର ଏଡିଜିପି କହିଛନ୍ତି ଯେ, ”ନିହତ ହୋଇଥିବା ଦୁଇ ଆତଙ୍କବାଦୀ ପୁଲଓ୍ବାମାରେ ଚଳିତ ମାସ ୨ତାରିଖରେ ହୋଇଥିବା ଆତଙ୍କୀ ଆକ୍ରମଣରେ ଜଡିତ । ପଶ୍ଚିମବଙ୍ଗର ମୁନିର୍ ଉଲ୍ ଇସଲାମ ନାମକ ଜଣେ ଶ୍ରମିକଙ୍କୁ ଆକ୍ରମଣ ଘଟଣାରେ ଏହି ଦୁଇ ଆତଙ୍କବାଦୀ ଜଡିତ ରହିଥିଲେ । ବର୍ତ୍ତମାନ ଏନକାଉଣ୍ଟର ଜାରି ରହିଥିବା ବେଳେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି” ।
ଗତ କିଛି ଦିନ ମଧ୍ୟରେ ଘାଟିରେ ଆତଙ୍କୀ କାର୍ଯ୍ୟକଳାପ କ୍ରମାଗତ ବଢିବାରେ ଲାଗିଛି । ପୋଲିସ, ସୁରକ୍ଷାବଳର କ୍ୟାମ୍ପ ସହିତ ସାଧାରଣ ଜନତା ଓ ଅଣସ୍ଥାନୀୟଙ୍କୁ ଟାର୍ଗେଟ ହତ୍ୟା କରିବା ପାଇଁ ଆକ୍ରମଣ କରିବାରେ ଲାଗିଛନ୍ତି ଆତଙ୍କୀ । ସୁରକ୍ଷାବଳ ମଧ୍ୟ ସେମାନଙ୍କୁ ନିପାତ କରିବା ପାଇଁ ‘‘ଆଣ୍ଟି ଟେରର ଅପରେସନ’’କୁ ଜୋରଦାର କରିଛି । ନିକଟରେ ହୋଇଥିବା ଏକାଧିକ ଏନକାଉଣ୍ଟରରେ ମଧ୍ୟ ସୁରକ୍ଷାବଳକୁ କ୍ରମାଗତ ସଫଳତା ମିଳିଛି । ସେପ୍ଟେମ୍ବର ୧୨ ଓ ୫ ତାରିଖରେରେ ସୋପିଆନରେ ଜିଲାରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ସେହିପରି ସେପ୍ଟେମ୍ବର ୭ ତାରିଖରେ ଦକ୍ଷିଣ କଶ୍ମୀରର ଅନନ୍ତନାଗରେ ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଯେଉଁଥିରେ ଦୁଇ ଆତଙ୍କୀ ନିପାତ ହୋଇଥିବା ସୂଚନା ମିଳିଥିଲା । ଅଗଷ୍ଟ ୩୧ ତାରିଖରେ ସୋପୁର ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କୀ ମୁହାଁମୁହିଁ ହୋଇଥିଲେ । ଏଥିରେ ୨ ଜଣ ଆତଙ୍କୀ ନିପାତ ହୋଇଥିଲେ ।
