ରାସ୍ତାରେ ଖରାପ ହେଲା ଆମ୍ବୁଲାନ୍ସ : ସାପ କାମୁଡ଼ାରେ ଗୁରୁତର ନାବାଳକ ମୃତ
କେନ୍ଦୁଝର : ବିଲକୁ ଧାନ ଜଗିବାକୁ ଯାଇଥିବାବେଳେ ବିଷଧର ସାପ କାମୁଡ଼ାରେ ତେଲକୋଇ ଥାନା ଅନ୍ତର୍ଗତ ନୂଆଗଡ଼ ଗ୍ରାମର ଜଣେ ନାବାଳକ ଗୁରୁତର ହୋଇଥିଲେ । ନୂଆଗଡ଼ ଗ୍ରାମର ବୁଟୁ ମୁଣ୍ଡାଙ୍କ ପୁଅ ନବୀନା ମୁଣ୍ଡା(୧୭) ତାଙ୍କ ଘର ପଛପଟେ ଥିବା ଧାନ ବିଲକୁ ହାତୀ ଜଗିବାକୁ ଯାଇଥିଲା । ରାସ୍ତାରେ ତାଙ୍କୁ ଏକ ବିଷଧର ସାପ କାମୁଡ଼ି ଦେଇଥିଲା । ସାପ କାମୁଡ଼ିବା ଜାଣି ସେ ପାଟି କରିବାରୁ ସମ୍ପର୍କୀୟ ଭାଇ ଶରତ ମୁଣ୍ଡା ତାକୁ ଟେକି ଟେକି ଘରକୁ ଆଣିଥିଲା । ସେଠାରୁ ଏକ ଗାଡ଼ିରେ ପ୍ରଥମେ ତେଲକୋଇ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରିବା ପରେ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ୧୦୮ ଆମ୍ବୁଲାନ୍ସରେ ସ୍ଥାନାନ୍ତର କରିଥିଲେ । ୧୦୮ ଆମ୍ବୁଲାନ୍ସରେ ତେଲକୋଇରୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ ଆସିବା ସମୟରେ ପିଟାନାଳି ଘାଟିରେ ଆମ୍ବୁଲାନ୍ସ ଖରାପ ହୋଇଯିବାରୁ ରାତି ୧୦ ଟାରେ ପ୍ରାୟ ୧ ଘଣ୍ଟା ଅଟକି ରହିଥିଲା । କେନ୍ଦୁଝରରୁ ଏକ ୧୦୮ ଆମ୍ବୁଲାନ୍ସ ଗାଡ଼ି ବାଂଶପାଳ ଫେରିବା ପରେ ପିଟାନାଳୀ ଘାଟିକୁ ଯାଇ ନବୀନା ମୁଣ୍ଡାଙ୍କୁ ଆଣିବା ପରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ବିଳମ୍ବିତ ରାତିରେ ଭର୍ତି କରାଯାଇଥିଲା । ସେଠାରେ ନବୀନା ର ଅବସ୍ଥା ସଙ୍କଟାପନ୍ନ ହେବାରୁ ୧୨ ତାରିଖ ରାତିରେ କଟକ ସ୍ଥାନାନ୍ତର ବେଳେ ରାସ୍ତାରେ ମୃତ୍ୟୁବରଣ କରିଥିଲା । ତେଲକୋଇ ପୁଲିସ ପକ୍ଷରୁ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ୧୩ ତାରିଖରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ସାପ କାମୁଡିବାର ପ୍ରଥମ କିଛି ଘଣ୍ଟା ଗୋଲଡେନ ଆୱାର ବୋଲି କୁହାଯାଏ । ମାତ୍ର ଏହି ସମୟରେ ରୋଗୀକୁ ନେଇ ଯାଉଥିବାବେଳେ ୧୦୮ ଆମ୍ବୁଲାନ୍ସ ରାସ୍ତାରେ ୧ ଘଣ୍ଟା ଅଟକି ଯିବାରୁ ତାର ମୃତ୍ୟୁ ହୋଇଥିବା ମୃତକଙ୍କ ପିତା ବୁଟୁ ମୁଣ୍ଡା କହିଛନ୍ତି ।
