ହତ୍ୟାକରୀ ହାଟଡ଼ିହିରେ ଲୁଚିଥିଲା ବଙ୍ଗୀୟ ଅପରାଧୀ, ଧରିଲା ପଶ୍ଚିମବଙ୍ଗ ପୋଲିସ
କେନ୍ଦୁଝର : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପଶ୍ଚିମବଙ୍ଗ ମୁର୍ସିଦାବାଦ୍ ଜିଲ୍ଲା ବେଲତାଙ୍ଗ ଥାନା ଡାଳୁଆ ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ହାଣି ହତ୍ୟା କରାଯାଇଥିଲା । ହତ୍ୟାକାଣ୍ଡ ପରେ ତିନି ଅଭିଯୁକ୍ତ ଗାଁ ଛାଡ଼ି ଆସି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ସୋସୋ ଥାନା ଅଂଚଳରେ ଲୁଚି ରହିଥିଲେ । ଆଜି ପଶ୍ଚିମବଙ୍ଗ ପୁଲିସ ଆସି ସେମାନଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ଏମ୍ଡି ଗୁଲାମ ମୁର୍ତାଜା, ତା’ର ଭାଇ ମୁସ୍ତଫିଜ ରହେମାନ ଓ ଗୁଲଜାରୀ ସେକ୍ । ସମସ୍ତଙ୍କୁ ପଶ୍ଚିମବଙ୍ଗ ନିଆଯାଇଛି । ପ୍ରାପ୍ତ ସୂଚନା ଅନୁସାରେ, ବେଲତାଙ୍ଗ ଥାନା ଡାଳୁଆ ଗ୍ରାମରେ ୧୦ ଦିନ ତଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କେ. ମୁସରତ୍ ନାମକ ଜଣେ ବ୍ୟକ୍ତିଙ୍କୁ ହାଣି ହତ୍ୟା କରାଯାଇଥିଲା । ଏନେଇ ବେଲତାଙ୍ଗ ଥାନାରେ କେସ ନମ୍ବର ୫୦୯/୨୨ରେ ଏକ ହତ୍ୟା ମାମଲା ରୁଜୁ ହୋଇଥିଲା । ହତ୍ୟାକାଣ୍ଡ ପରେ ତିନି ଅଭିଯୁକ୍ତ ଏମ୍ଡି ଗୁଲାମ ମୁର୍ତାଜା, ମୁସ୍ତଫିଜ ରହମାନ ଓ ଗୁଲଜାରୀ ସେକ୍ ଫେରାର ହୋଇଯାଇଥିଲେ । ସେମାନେ ଓଡ଼ିଶା ପଳାଇ ଆସିଥିଲେ । କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ସୋସୋ ଥାନା ଅନ୍ତର୍ଗତ ବରାଙ୍ଗରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ରହୁଥିଲେ । ଏକ ଠିକାସଂସ୍ଥା ଅଧୀନରେ ଶ୍ରମିକ ଭାବେ କାମ କରୁଥିଲେ । ଅଭିଯୁକ୍ତଙ୍କ ଫୋନ୍ ଟ୍ରାକିଂ କରି ପଶ୍ଚିମବଙ୍ଗ ପୁଲିସ ସେମାନଙ୍କ ସୁରାକ ପାଇଯାଇଥିଲା । ବେଲତାଙ୍ଗ ଥାନାର ତଦନ୍ତକାରୀ ଅଧିକାରୀ ଏସ୍ଆଇ ଅତନୁ ଦାସ, ଏସ୍ଆଇ ଗୋବିନ୍ଦ, ଏଏସ୍ଆଇ ସମ୍ପିତୋ ପ୍ରମୁଖ ଗତକାଲି ସୋସୋ ଥାନାରେ ପହଂଚିଥିଲେ । ସେମାନେ ଗତକାଲି ଏକ ସ୍କର୍ପିଓ ଗାଡ଼ିର ନମ୍ବର ପ୍ଲେଟ୍ରେ କାଦୁଅ ବୋଳି ଦିନସାରା ସ୍ଥାନୀୟ ଅଂଚଳରେ ଘୂରି ବୁଲିବା ସହ ଅଭିଯୁକ୍ତଙ୍କୁ ଠାବ କରିଥିଲେ । ରାତିରେ ସୋସୋ ପୁଲିସ ସହଯୋଗରେ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ସୋସୋ ଥାନା ଏସ୍ଆଇ ଏସ୍କେ ରାଉତରାୟ, ଏଏସ୍ଆଇ କେସି ସାମଲ ପଶ୍ଚିମବଙ୍ଗ ପୁଲିସକୁ ସହଯୋଗ କରିଥିଲେ । ଅଭିଯୁକ୍ତଙ୍କ ଗିରଫ କରି ପ୍ରଥମେ ଭଦ୍ରକ ଜିଲ୍ଲା ଆଗରପଡ଼ା ଥାନାକୁ ନିଆଯାଇଥିଲା । ସେଠାରୁ ସେମାନଙ୍କୁ ଡାକ୍ତରଖାନା ନିଆଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ହାଟଡିହି କୋର୍ଟରେ ହାଜର କରାଯାଇ ଅଭିଯୁକ୍ତଙ୍କୁ ପଶ୍ଚିମବଙ୍ଗ ନିଆଯାଇଛି ।
